ବାଲିଶଙ୍କରା: ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ୍‌ ତଥା ତଳସରା ଥାନା ରାମପୁର ପଞ୍ଚାୟତ ନିମଡ଼ିହି ଗାଁର ୨ ଜଣ ଯୁବ ହକି ଖେଳାଳିଙ୍କର ଟ୍ରକ୍‌ ଧକ୍କାରେ ମୃତ୍ୟୁ ହୋଇଛି। ସେମାନେ ହେଲେ ସଚିନ୍‌ କିଣ୍ଡୋ (୩୨) ଏବଂ ସୁମିଲାଲ ଟପ୍ପୋ (୩୦)। ଉଭୟ ହକି ଖେଳିବାକୁ ଛତିଶଗଡ଼ ଯାଇଥିଲେ। ସେଠାରୁ ଫେରିବାବେଳେ ଶନିବାର ରାତି ପ୍ରାୟ ୮ଟାରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ସୁନ୍ଦରଗଡ଼ ସୀମାବର୍ତ୍ତୀ ଛତିଶଗଡ଼ ରାଜ୍ୟର ବଳୁଆବାହାଲ ଗାଁରେ ଖାସି ହକି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଥିଲା। ସେଠାରେ ବିଭିନ୍ନ ଦଳ ତରଫରୁ ଖେଳିବାକୁ ହକିର ଅନ୍ତୁଡ଼ିଶାଳ କୁହାଯାଉଥିବା ବାଲିଶଙ୍କରା ବ୍ଲକ୍‌ର ବହୁ ଖେଳାଳି ଯାଇଥିଲେ। 

Advertisment

ସଚିନ୍‌ ଓ ସୁମିଲାଲ ସେଠାରୁ ଖେଳିସାରି ବାଇକ୍‌ ଯୋଗେ ନିଜ ଗାଁକୁ ଫେରୁଥିବା ବେଳେ ଓଡ଼ିଶା ସୀମାରୁ ପ୍ରାୟ ୧୦ କିମି ଦୂର ଛତିଶଗଡ଼ର କତେରବିରା ମନ୍ଦିର ନିକଟରେ ଦୁର୍ଘଟଣା ଘଟିଥିଲା। ବିପରୀତ ଦିଗ ବାଲିଶଙ୍କରା ପଟୁ ଛତିଶଗଡ଼କୁ ଯାଉଥିବା ଏକ ଟ୍ରକ୍‌ ଧକ୍କାରେ ଦୁହେଁ ଛିଟିକି ପଡ଼ି ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଏହି ଘଟଣା ପ୍ରଚାରିତ ହେବାପରେ ନିମଡ଼ିହି ଗାଁରେ ଶୋକର ଛାୟା ଖେଳିଯାଇଛି।