ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ତରେ ଅବାଧ ବନ୍ୟଜନ୍ତୁ ଶିକାର ଦିନକୁ ଦିନ ବଢିବାରେ ଲାଗିଛି। ଗ୍ରାମାଞ୍ଚଳରେ ଦେଶୀ ବନ୍ଧୁକ ଦ୍ବାରା ବନ୍ୟଜନ୍ତୁ ଶିକାର କରାଯାଉଥିବା ଦେଖାଯାଇଛି। ଶିକାରୀଙ୍କ ସଂଖ୍ୟା ମଧ୍ୟ ସାରା ବନଖଣ୍ତରେ ବଢ଼ିବାରେ ଲଗିଛି। ବୁଧବାର ଚାରମାଳ ରେଂଜକୁ ଏକ ସଫଳତା ମିଳିଛି। ରେଂଜ ପକ୍ଷରୁ ଚଢ଼ଉ କରାଯାଇ ୨୦ କେଜି ସମ୍ବର ମାଂସ ଜବତ କରାଯିବା ସହିତ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଦ୍ବୟ ହେଲେ ଚାରମାଳ ରେଂଜ ବନ୍ତଲେଇ ଗ୍ରାମର ରାକେଶ ସ୍ବାଇଁ (୧୯) ଓ ଭୁମନ୍ୟୁ ଗିରି (୧୮)। ଘଟଣାରେ ବ୍ୟବହୃତ ବାଇକ (ଓଆର-୧୯ଜେ-୧୦୮୪) ସହ ଶିକାରରେ ବ୍ୟବହାର କରାଯାଇ ଥିବା ଦେଶୀ ବନ୍ଧୁକ ଜବତ କରାଯାଇଛି। ଘଟଣାରୁ ଜଣାପଡିଛି, ଉଭୟ ଶିକାରୀ ମଙ୍ଗଳବାର ରାତିରେ ଏହି ରେଂଜ ଅନ୍ତର୍ଗତ ବନ୍ତଲେଇ ଗ୍ରାମ ନିକଟସ୍ଥ ଲଣ୍ତାକୋର୍ଟ ସଂରକ୍ଷିତ ଜଙ୍ଗଲରୁ ଏକ ସମ୍ବର ଶିକାର କରିଥିଲେ। ଉଭୟ ଶିକାରୀ ଜବତ ହୋଇଥିବା ବାଇକ୍ରେ ୨୦ କେଜି ମାଂସ ବିକ୍ରି କରିବା ଉଦ୍ଦେଶ୍ୟରେ ଯାଉଥିଲେ।
ବନ ବିଭାଗ କର୍ମଚାରୀମାନେ କୌଣସି ସୂତ୍ରରୁ ଖବରପାଇ ଚାରମାଳ ଥାନା ଅନ୍ତର୍ଗତ ହେଲେଇ ଗ୍ରାମ ନିକଟରୁ ସେମାନଙ୍କୁ ଗିରଫ କରିଥିଲେ। ବନ୍ଧୁକକୁ ଭୁମନ୍ୟୁଙ୍କ ଘରୁ ଜବତ କରାଯାଇଛି। ଜବତ ହୋଇଥିବା ମାଂସକୁ ବ୍ୟବଚ୍ଛେଦ କରିବା ପରେ ପୋତି ଦିଆଯାଇଛି। ଗୁରୁବାର ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ରେଂଜ ଅଧିକାରୀ ଦର୍ଶନୀୟା ଭୋଇ ସୂଚନା ଦେଇଛନ୍ତି। ଚଢ଼ଉରେ ଶ୍ରୀ ଭୋଇଙ୍କ ସହିତ ଫରେଷ୍ଟର ପ୍ରବୀଣ ସାହୁ, ବିଜୟ ବିଶ୍ବାଳ, ବଳରାମ ପ୍ରଧାନ ପ୍ରମୁଖ ସାମିଲ ଥିଲେ। ପ୍ରକାଶଥାଉ କି ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବନ୍ୟଜନ୍ତୁମାନେ ପାଣି ପାଇଁ ଡହକ ବିକଳ ହେଉଥିବା ଦେଖିବାକୁ ମିଳିଛି। ପାଣି ଅନୁସନ୍ଧାନରେ ସେମାନେ ଗାଁ ମୁହାଁ ହେଉଛନ୍ତି। ଏହାର ସୁଯୋଗ ନେଉଛନ୍ତି ଦେଶୀ ବନ୍ଧୁକଧାରୀ ଶିକାରୀ। ରେଢ଼ାଖୋଲ ବନଖଣ୍ତର ବଡବାହାଳ ରେଂଜ ଓ ରେଢ଼ାଖୋଲ ରେଂଜ ଅଞ୍ଚଳରେ ମଧ୍ୟ ବ୍ୟାପକ ବନ୍ୟଜନ୍ତୁ ଶିକାର ହେଉଥିବା ସାଧାରଣରେ ଅଭିଯୋଗ ହେଉଛି। ଏହି ଦୁଇ ରେଂଜ ପକ୍ଷରୁ ଶିକାରୀମାନଙ୍କୁ ଧରିବା ପାଇଁ କୌଣସି ଚଢ଼ଉ ବ୍ୟବସ୍ଥା ହେଉ ନଥିବାରୁ ପଶୁପ୍ରେମୀଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଉଛି। ଏ ଦିଗରେ ବନ ବିଭାଗର ଉଚ୍ଚ କର୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/43-18.jpg)