ତିହିଡ଼ିରେ ନିର୍ବାଚନୀ ହିଂସା: ବାପ-ଝିଅ ଗୁରୁତର, ଭଦ୍ରକ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି

ଭୁବନେଶ୍ବର: ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ମତଦାନ ପ୍ରକ୍ରିୟା ସରିବା ପରେ ବି ନିର୍ବାଚନୀ ହିଂସା ଥମିବାର ନାମ ନେଉନାହିଁ। ବିଳମ୍ବିତ ରାତିରେ ତିହିଡ଼ି ବ୍ଲକର ତଳ ଗୋପବିନ୍ଧା ଗାଁରେ ସଂଘବଦ୍ଧ ଆକ୍ରମଣର ଖବର ମିଳିଛି। ଏହାଫଳରେ ଦୁଇଜଣ ଗୁରୁତର ହୋଇଛନ୍ତି। ଏମାନେ ସଂପର୍କରେ ବାପା ଝିଅ। ଉଭୟଙ୍କୁ ଭଦ୍ରକ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏକ ନିର୍ଦ୍ଧିଷ୍ଟ ଦଳକୁ ଭୋଟ୍ ଦେଇଥିବା ଯୋଗୁ ଅନ୍ୟ ଦଳର କର୍ମୀମାନେ ସଂଘବଦ୍ଧ ଆକ୍ରମଣ କରିଥିଲେ। ପରେ ଗୁରୁତର ଅବସ୍ଥାରେ ସେମାନଙ୍କୁ ପ୍ରଥମେ ତିହିଡ଼ି ସ୍ବାସ୍ଥ୍ୟକେନ୍ଦ୍ରରେ ଓ ପରେ ଭଦ୍ରକ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ଅଭିଯୋଗ ଅନୁଯାୟୀ ତଳ ଗୋପବିନ୍ଧା ଗାଁର ଦୁଇ ପରିବାକୁ ଭୋଟ୍ ନ ଦେବା ଲାଗି ଏକ ଗୋଷ୍ଠୀ ତାଗିଦ୍ କରିଥିଲେ। ମାତ୍ର ସେମାନଙ୍କ କଥା ଅମାନ୍ୟ କରି ସେହି ପରିବାର ଲୋକେ ମତଦାନ ଅଧିକାର ସାବ୍ୟସ୍ତ କରିବାକୁ ଯାଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଉକ୍ତ ଗୋଷ୍ଠୀର ଲୋକେ ବାପ-ଝିଅଙ୍କୁ ଲୁହା ଛଡ଼ ଓ ବାଡି ଧରି ସଂଘବଦ୍ଧ ଆକ୍ରମଣ କରିଥିଲେ। ଏନେଇ ଥାନାରେ ଲିଖିତ ଅଭିଯୋଗ ହେବା ପରେ ତିହିଡ଼ି ପୁଲିସ ଘଟଣାର ତଦନ୍ତ କରୁଛି।

ସୂଚନାଯୋଗ୍ୟ,  ଆସନ୍ତା ୬ ତାରିଖ ରବିବାର ସକାଳ ୮ଟା ବେଳେ ଭୋଟ୍‌ ଗଣତି ଆରମ୍ଭ ହେବ। ୨ଟି ବ୍ଲକ୍‌ ଓ ଗୋଟିଏ ଏନ୍‌ଏସିରେ ମୋଟ ୨୩୨ ବୁଥ୍ ପାଇଁ ୧୪ଟି ଗଣତି ଟେବୁଲ କରାଯାଇଛି। ମୋଟ ୧୮ ରାଉଣ୍ଡ ଭୋଟ୍‌ ଗଣତି ହେବ। ଧାମନଗର ବ୍ଲକର ଅସୁରାଳି ଜୋନ୍‌ରୁ ଗଣତି ଆରମ୍ଭ ହୋଇ ତିହିଡ଼ି ବ୍ଲକରେ ଶେଷ ରାଉଣ୍ଡ ଗଣତି ହେବ। ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଅନୁଯାୟୀ, ମୋଟ ୨ ଲକ୍ଷ ୩୮ ହଜାର ଭୋଟରଙ୍କ ମଧ୍ୟରୁ ୧ ଲକ୍ଷ ୬୪ ହଜାର ୪୬୫ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିଛନ୍ତି। ସେମାନଙ୍କ ମଧ୍ୟରୁ ୭୯ ହଜାର ୧୧ ଜଣ ପୁରୁଷ ଭୋଟର ଥିବା ବେଳେ ୮୫ ହଜାର ୪୫୨ ଜଣ ମହିଳା ଭୋଟର। ଦୁଇ ଜଣ ତୃତୀୟ ଲିଙ୍ଗି ମଧ୍ୟ ମତଦାନରେ ସାମିଲ ହୋଇଛନ୍ତି। ପୁରୁଷ ଭୋଟରଙ୍କଠାରୁ ୬ ହଜାର ୪୫୧ ଜଣ ଅଧିକ ମହିଳା ଭୋଟ୍‌ଦାନ କରିଛନ୍ତି।

ସମ୍ବନ୍ଧିତ ଖବର