ପୁଲିସ୍‌ ଗୁଳିରେ୨ ଗୁରୁତର

ପୁଲିସ୍‌ କହୁଛି ମାଓବାଦୀ, ସମ୍ପର୍କୀୟ କହୁଛନ୍ତି ନିରୀହ ଗ୍ରାମବାସୀ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍‌ ସୁନାବେଡ଼ା ଅଭୟାରଣ୍ୟ ଅନ୍ତର୍ଗତ ଖୋଲିଭିତର ଗାଁ ଜଙ୍ଗଲରେ ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ୨ ଜଣ ଆହତ ହୋଇଛନ୍ତି। ଆହତ ଦୁଇ ଜଣ ସେହି ଗାଁର ବିଦ୍ୟା ଚିନ୍ଦା(୪୪) ଓ ଚତୁର ଚିନ୍ଦା(୫୩) ଏବଂ ସେମାନେ ମିଲିସିଆ (ମାଓ ସହଯୋଗୀ) ବୋଲି ପୁଲିସ ସୂଚନା ଦେଇଛି। ସେମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଜିଲ୍ଲା ସଦର ହସ୍‌ପିଟାଲ ଚିକିତ୍ସା କରାଯିବା ପରେ ରାୟପୁରକୁ ସ୍ଥାନାନ୍ତର କରାଯାଇଛି। ଅପରପକ୍ଷରେ ସେମାନେ ଦୁଇ ଜଣ ନିରୀହ ଗ୍ରାମବାସୀ। ଚାଷ ଜମିରେ କାମ କରି ଘରକୁ ଫେରୁଥିବାବେଳେ ସେମାନଙ୍କ ଦେହରେ ଗୁଳି ବାଜିଥିବା ପରିବାର ପକ୍ଷରୁ କୁହାଯାଇଛି। ଖୋଲିଭିତର ଗାଁ ଜଙ୍ଗଲରେ ଏସ୍‌ଓଜି ଓ ଡିଭିଏଫ୍‌ଙ୍କ ମିଳିତ କମ୍ବିଂ ଅପରେସନ ଚାଲିଥିଲା। ପରେ ଏସ୍‌ଓଜି ଓ ଡିଭିଏଫ୍‌ ଯବାନମାନେ ମାଓ କ୍ୟାମ୍ପ ଠାବ କରି ବହୁ ସାମଗ୍ରୀ ଉଦ୍ଧାର କରିଛନ୍ତି। ଏ ସଂପର୍କରେ ମଙ୍ଗଳବାର ସନ୍ଧ୍ୟାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ସ୍ମିତ ପି ପରମାର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ମଙ୍ଗଳବାର ସକାଳେ କମ୍ବିଂ ଚାଲିଥିବା ବେଳେ ଏକ ମାଓ କ୍ୟାମ୍ପ ଠାବ କରାଯାଇଥିଲା। ମାଓବାଦୀମାନେ ଏସଓଜି ଯବାନମାନଙ୍କ ଉପରକୁ ଗୁଳି କରିଥିଲେ। ପାଲଟା ଗୁଳିଚାଳନା ପରେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିଲେ। ଯବାନ ମାନେ କ୍ୟାମ୍ପରୁ ୨ରାଇଫଲ, ଗୁଳି, ଖୁର୍କୀ, ମାଓପୁସ୍ତିକା, ତାର ଏବଂ ବିଭିନ୍ନ ମାଓ ସାମଗ୍ରୀ ଜବତ କରିଥିଲେ। ମାଓବାଦୀଙ୍କ ସହ ଗୁଳି ବିନିମୟ ସମୟରେ ଉକ୍ତ ଗାଁର ଦୁଇ ମିଲିସିଆ ବିଦ୍ୟା ଚିନ୍ଦା ଓ ଚତୁର ଚିନ୍ଦାଙ୍କ ଦେହରେ ଗୁଳି ବାଜି ଗୁରୁତର ଆହତ ହୋଇଥିଲେ। ଉକ୍ତ ନକ୍ସଲମାନେ ମିଲିଟାରି ପ୍ଲାଟୁନ୍‌ର ବୋଲି ଜଣାପଡ଼ିଥିବା ଏବଂ ଆହତ ଚତୁର ଚିନ୍ଦା ସିପିଆଇ (ମାଓବାଦୀ)ର ଜଣେ ସକ୍ରିୟ ସଦସ୍ୟ ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ଅନ୍ୟପଟେ ଆହତଙ୍କର ସମ୍ପର୍କୀୟମାନେ କହିଛନ୍ତି ଯେ, ମଙ୍ଗଳବାର ସକାଳେ ଖୋଲିଭିତର ଗାଁ ଜଙ୍ଗଲସ୍ଥିତ ନିଜ ଚାଷ ଜମିରେ ହଳ କରି ସାରି ଜଳଖିଆ ଖାଉଥିବା ବେଳେ ହଠାତ୍‌ ଗୁଳି ଫୁଟିବା ଶବ୍ଦ ଶୁଣିବାକୁ ପାଇଥିଲେ। ଫଳରେ ଭୟଭୀତ ହୋଇ ବିଦ୍ୟା ଓ ଚତୁର ଘରକୁ ଫେରୁଥିବା ବେଳେ ଉଭୟଙ୍କ ଦେହରେ ଗୁଳି ବାଜିଥିଲା।

ସମ୍ବନ୍ଧିତ ଖବର