ରାଉରକେଲା: ଜାନୁଆରୀ ୧୩ ତାରିଖରୁ ପୁରୁଷ ହକି ବିଶ୍ବକପ୍‌ ଆରମ୍ଭ ହେବ। ବିଶ୍ବକପ୍‌ର ୨୦ଟି ମ୍ୟାଚ୍‌ ବିପିୟୁଟି ପରିସରସ୍ଥ ବୀର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଖେଳାଯିବାକୁ ପୂର୍ବରୁ ସୂଚୀ ଜାରି ହୋଇସାରିଛି। ତେବେ ଏହି ନବନିର୍ମିତ ଦେଶର ସର୍ବବୃହତ ହକି ଷ୍ଟାଡିୟମରେ କେବଳ ବିଶ୍ବକପ୍‌ ମ୍ୟାଚ୍‌ ନୁହେଁ ବରଂ ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌ ମଧ୍ୟ ଖେଳାଯିବ। ଏଠାରେ ମୋଟ୍‌ ୬ଟି ମ୍ୟାଚ୍‌ ଖେଳାଯିବାକୁ ସ୍ଥିରିକୃତ ହୋଇଥିବାବେଳେ ହକିପ୍ରେମୀଙ୍କ ଉତ୍କଣ୍ଠା, ଦ୍ବିଗୁଣିତ ହୋଇଯାଇଛି।

Advertisment

ପ୍ରୋ-ଲିଗ୍‌ର ଚତୁର୍ଥ ସଂସ୍କରଣ ଶୁକ୍ରବାର ଦିନଠାରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି। ଆସନ୍ତା ଜୁଲାଇ ମାସ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାର ୧୫ଟି ମ୍ୟାଚ୍‌ ଓଡ଼ିଶାରେ ଖେଲାଯିବ। ଏଥିମଧ୍ୟରୁ ୯ଟି ମ୍ୟାଚ୍‌ କଳିଙ୍ଗ ଷ୍ଟାଡିୟମ (ଭୁବନେଶ୍ବର) ଓ ୬ଟି ମ୍ୟାଚ୍‌ ବୀର୍ସା ମୁଣ୍ଡା ଷ୍ଟାଡିୟମ(ରାଉରକେଲା)ରେ ଖେଳାଯିବ। ଓଡ଼ିଶା ଭାଗରେ ମିଳିଥିବା ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତା ନଭେମ୍ବର ୬ ତାରିଖ ଯାଏଁ ଚାଲିବ। ସେହିଭଳି ଓଡ଼ିଶା ଭାଗର ଦ୍ବିତୀୟ ପର୍ଯ୍ୟାୟ ମ୍ୟାଚ୍‌ ରାଉରକେଲାରେ ହିଁ ଖେଳାଯିବ। ଏହି ମ୍ୟାଚ୍‌ଗୁଡ଼ିକ ମାର୍ଚ୍ଚ ୧୦ ତାରିଖରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ମାର୍ଚ୍ଚ ୧୦ ତାରିଖରେ ଭାରତୀୟ ଦଳ ଜର୍ମାନୀ ବିପକ୍ଷରେ ପଡ଼ିଆକୁ ଓହ୍ଲାଇବାକୁ ଥିବାବେଳେ ମାର୍ଚ୍ଚ ୧୧ ତାରିଖରେ ଅଷ୍ଟ୍ରେଲିଆ ଓ ଜର୍ମାନୀ, ୧୨ ତାରିଖରେ ଭାରତ ଓ ଅଷ୍ଟ୍ରେଲିଆ, ୧୩ ତାରିଖରେ ଭାରତ ଓ ଜର୍ମାନୀ, ୧୪ ତାରିଖରେ ଜର୍ମାନୀ ଓ ଅଷ୍ଟ୍ରେଲିଆ ଏବଂ ମାର୍ଚ୍ଚ ୧୫ ତାରିଖରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍‌ ଖେଳାଯିବ।

ହକି ଗଡ଼ରେ ଦୁଇ ଦୁଇଟି ବିଶ୍ବସ୍ତରୀୟ ପ୍ରତିଯୋଗିତାର ମଜା ନେବାକୁ ସହରବାସୀ ଚାତକପରି ଚାହିଁ ବସିଛନ୍ତି। ତେବେ ଟିକେଟ୍‌ ବ୍ୟବସ୍ଥା ନେଇ ସାମାନ୍ୟ ଦ୍ବନ୍ଦରେ ଥିବା ପରିଲକ୍ଷିତ ହୁଏ। ଟିକେଟ୍‌ଗୁଡ଼ିକ ଅନଲାଇନ୍‌ରେ କିଣିବାର ବ୍ୟବସ୍ଥା କରାଯିବ। ଟିକେଟ୍‌ ଦର ପ୍ରାୟତଃ ୫୦ ଟଙ୍କାରୁ ଆରମ୍ଭ ହୋଇ ୫ ଶହ ଟଙ୍କା ପର୍ଯ୍ୟନ୍ତ ରହିଥାଏ। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚ୍‌ଗୁଡ଼ିକର ଦର ଏତିକି ରହିଛି। ଅନ୍ୟ ଦଳ ଅପେକ୍ଷା ଭାରତୀୟ ଦଳର ମ୍ୟାଚ୍‌ର ଟିକେଟ ଦର ସାମାନ୍ୟ ଅଧିକ ରହିଥାଏ।। ଏତଦ୍‌ବ୍ୟତୀତ ଷ୍ଟାଡିୟମର୍‌ ଷ୍ଟାଣ୍ଡ୍‌ ଅନୁଯାୟୀ ମଧ୍ୟ ଦର ନିର୍ଦ୍ଧାରିତ ହୋଇଥାଏ। ତେବେ ରାଉରକେଲା ଷ୍ଟାଡିୟମ ପାଇଁ ଏଯାଏଁ କୌଣସି ଦର ଧାର୍ଯ୍ୟ ହୋଇନି। ସମ୍ଭବତଃ ମାର୍ଚ୍ଚ ପହିଲାରେ ଟିକେଟ ବିକ୍ରି ଆରମ୍ଭ ହେବ। ଟିକେଟର ଉପଲବ୍ଧତା, ବିକ୍ରି ପ୍ରକ୍ରିୟା ବିଷୟରେ ଆଗାମୀ ଦିନରେ ଏଫ୍ଆଇଏଚ୍‌-ହକି ଇଣ୍ଡିଆ ପକ୍ଷରୁ ସ୍ଥାନୀୟ ପ୍ରଶାସନ ଦ୍ବାରା ବ୍ୟାପକ ସଚେତନତା ସୃଷ୍ଟି କରାଯିବବୋଲି ଜଣେ ଅଧିକାରୀଙ୍କ ସୂଚନାରୁ ପ୍ରକାଶ।