ସିଏଏଫ କ୍ୟାମ୍ପରେ ଅଘଟଣ : ଅଧିକାରୀଙ୍କ ଗୁଳିରେ ଟଳିଲେ ଦୁଇ ଯବାନ, ଗୁରୁତର ଯବାନ ରାୟପୁର ସ୍ଥାନାନ୍ତର

ମାଲକାନଗିରି : ମା‌ଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ ଯୁକ୍ତିତର୍କକୁ ନେଇ ଜଣେ ସିଏଏଫ୍‌ ଯବାନ ଅତର୍କିତ ଭାବେ ସର୍ଭିସ ବନ୍ଧୁକରୁ ଗୁଳି ଚଳାଇବାରୁ ଘଟଣାସ୍ଥଳରେ ଦୁଇ ଜଣ ଯବାନଙ୍କ ଅକାଳ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ସିଏଏଫ କ୍ୟାମ୍ପର ସମସ୍ତ ଯବାନଙ୍କୁ ସ୍ତବ୍ଧ କରି ଦେଇଛି। ସ୍ଥାନୀୟ ପୁଲିସ ସିଏଏଫ ଅଧିକାରୀଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ଆମଦାୟୀ ଘାଟି ଛୋଟେଡ଼ଙ୍ଗର ଥାନା ଅଞ୍ଚଳରେ ଥିବା ସିଏଏଫ-୯ (ଛତିଶଗଡ଼ ଆର୍ମଡ୍ ଫୋର୍ସ) କ୍ୟାମ୍ପରେ ଅଧିକାଂଶ ଯବାନ ରାତ୍ରିଭୋଜନ ପରେ ଶୋଇ ପଡ଼ିଥିଲେ। ବିଳମ୍ବିତ ରାତିରେ ହଠାତ୍ ୩ରାଉଣ୍ଡରୁ ଅଧିକ ଗୁଳି ଫୁଟିବାରୁ ଯବାନମାନେ ଉଠି ପଡ଼ି ନକ୍ସଲ ହମଲା ସନ୍ଦେହରେ ସତର୍କ ହୋଇଥିଲେ। କିନ୍ତୁ କିଛି ସମୟ ଧରି ଅପେକ୍ଷା କରିବା ସତ୍ତ୍ବେ ଆଉ ଗୁଳି ଫୁଟି ନଥିଲା କିମ୍ବା ନକ୍ସଲ ହମଲାର କୌଣସି ସଂକେତ ମିଳି ନଥିଲା। ତେଣୁ ସନ୍ଦେହରେ କ୍ୟାମ୍ପରେ ଖୋଜାଖୋଜି କରିବାରୁ ଦୁଇ ଜଣ ସାଥୀ ଯବାନ ରାମେଶ୍ବର ସାହୁ ଏବଂ ବିଦେସର ସାହାନୀ ରକ୍ତ ଜୁଡ଼ୁବୁଡ଼ୁ ହୋଇ ତଳେ ପଡ଼ିଥିଲେ। ଅଳ୍ପ ଦୂରରେ ଆଉ ଜଣେ ଯବାନ ଲଛୁରାମ ପ୍ରେମୀ ଗୁରୁତର ଅବସ୍ଥାରେ ଛଟପଟ ହେଉଥିଲେ। ପା‌ଖରେ କେବଳ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଘନଶ୍ୟାମ କମେଟି ଥିଲେ ଏବଂ ତାଙ୍କ ହାତରେ ସର୍ଭିସ ରାଇଫଲ ଥିଲା। ଏଥିରୁ ଯବାନଙ୍କୁ କଣ ଘଟିଛି ବୁଝିବାକୁ ବାକି ରହି ନଥିଲା। ସେମାନେ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଘନଶ୍ୟାମଙ୍କୁ କାବୁ କରି ରାଇଫଲ ଛାଡ଼ବା ସହ ଆହତ ଲଛୁରାମଙ୍କୁ ଉଦ୍ଧାର କରିଥିଲେ। ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ରହିଥିବାରୁ ଆହତଙ୍କୁ ରାୟପୁର ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା।

ସ୍ଥାନୀୟ ଥାନାକୁ ଘଟଣା ସଂପର୍କରେ ସୂଚନା ଦେବାପରେ ପୁଲିସ ଆସି ପହଞ୍ଚିଥିଲା। ଆସିଷ୍ଟାଣ୍ଡ କମାଣ୍ଡାଣ୍ଟଙ୍କୁ ଗିରଫ କରି ଥାନାକୁ ନେବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ସେହିପରି ସିଏଏଫ ପକ୍ଷରୁ ମଧ୍ୟ ବରିଷ୍ଠ ଅଧିକାରୀଙ୍କ ଦ୍ବାରା ଘଟଣାର ପୃଥକ ଭାବେ ତଦନ୍ତ କରାଯାଉଛି।

ସମ୍ବନ୍ଧିତ ଖବର