ବଜ୍ରାଘାତରେ ଦୁଇ ବାଳକ ମୃତ, ଦୁଇ ଆହତ

କଣ୍ଟାବାଞ୍ଜି/ବେଲପଡ଼ା : ସୋମବାର ବଜ୍ରାଘାତରେ ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଉଡିଂଗ ଗାଁର ଦୁଇଜଣ ବାଳକଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ହରି ବଏଙ୍କ ପୁଅ ଈଶ୍ୱର ବଏ (୧୩) ଏବଂ ହେମନ୍ତ ଭୋଇଙ୍କ ପୁଅ ପୂର୍ଣ୍ଣାନନ୍ଦ ଭୋଇ (୧୦)।

ସକାଳ ପ୍ରାୟ ୮ଟା ସମୟରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ପାଖରେ ଥିବା ଏକ ଆମ୍ବ ଗଛକୁ ଈଶ୍ୱର ଓ ପୂର୍ଣ୍ଣାନନ୍ଦ ଆମ୍ବ ଗୋଟାଇବାକୁ ଯାଇଥିଲେ। ସେଠାରେ ଉଭୟେ ବଜ୍ରାଘାତର ଶିକାର ହୋଇଥିଲେ।

ସେହିପରି କପାଣି ନିକଟ ସଉତୁଣି ଜୋର ଠାରେ ବଜ୍ରାଘାତରେ ବାଗଉଡ଼ାର ଗ୍ରାମର ଭବାନୀ ବାଗ (୩୦), ଜବବନ୍ଧୁ କୁମ୍ଭାର (୩୪) ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ବେଲପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ଅବସ୍ଥା ବର୍ତ୍ତମାନ ଭଲ ରହିଛି ବୋଲି ଡାକ୍ତର ରବୀନ୍ଦ୍ର ମେହେର କହିଛନ୍ତି। ଏହି ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ବେଲପଡ଼ା ତହସିଲ ଅଫିସରୁ ଆରଆଇ ଗୋପାଳ କୁମ୍ଭାର ପହଞ୍ଚି ତଦନ୍ତ କରିବା ସହ ତହସିଲଦାରଙ୍କୁ ରିପୋର୍ଟ ଦେଇଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ସରକାରୀ ସହାୟତା ଦେବାର ବ୍ୟବସ୍ଥା କରାଯିବ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର