ଦଶପଲ୍ଲା/ବେଗୁନିଆ/ବୋଲଗଡ଼ : ଆଜି ସନ୍ଧ୍ୟାରେ ବଜ୍ରପାତ ଘଟି ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ଦୁଇ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି।

Advertisment

ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ଶିମିଳିସାହି ପଞ୍ଚାୟତ ଦେଢ଼ଶର ଗ୍ରାମରେ ଆଜି ଅପରାହ୍ଣରେ ଜମିରେ ମୁଗ ଘୋଡ଼ାଉଥିବା ବେଳେ ବଜ୍ରପାତରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣକ ହେଲେ ଶଙ୍କର୍ଷଣ ନାୟକ (୫୫)। ସୂଚନା ଅନୁଯାୟୀ, ଅପରାହ୍ଣ ପ୍ରାୟ ସାଢ଼େ ୩ଟା ସମୟରେ ମେଘ ଆସିବାରୁ ଶଙ୍କର୍ଷଣ ଓ ପତ୍ନୀ ନିବାସିନୀ ଗାଁ ମୁଣ୍ତ କଳାପାଟ ଠାକୁରାଣୀଙ୍କ ନିକଟରେ ଥିବା ଜମିକୁ ଉପୁଡ଼ାଇ ରଖିଥିବା ମୁଗ ଘୋଡ଼ାଇବା ପାଇଁ ବାହାରିଥିଲେ। ଜମିରେ ମୁଗ ଘୋଡ଼ାଇବା ସମୟରେ ହଠାତ୍ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ଶଙ୍କର୍ଷଣ ଅଚେତ ହୋଇ ପଡ଼ିଥିଲେ। ପତ୍ନୀ ଓ ନିକଟସ୍ଥ ଜମିରେ ଥିବା ଗ୍ରାମର କିଛି ବ୍ୟକ୍ତି ତାଙ୍କୁ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଖବର ପାଇ ପୁଲିସ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଶଙ୍କର୍ଷଣ ଚାଷବାସ କରି ଗୁଜୁରାଣ ମେଣ୍ଟାଉଥିବା ବେଳେ ତୁରନ୍ତ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସେହିପରି ବେଗୁନିଆ ଥାନା ଅନ୍ତର୍ଗତ ସାନପଦର ପଞ୍ଚାୟତର ରସୋଳ ଗ୍ରାମର କୁମର ପରିଡ଼ା(୬୧) ଓ ଦୁର୍ଯୋଧନ ପରିଡ଼ା ଗାଈ ଚରାଇ ଗ୍ରାମକୁ ଫେରୁଥିବା ସମୟରେ କାଳବୈଶାଖୀ ବର୍ଷା ସହ ବଜ୍ରପାତ ଘଟିଥିଲା। ଏହି ବଜ୍ରପାତରେ ଘଟଣାସ୍ଥଳରେ ଏକ ଗାଈର ମୃତ୍ୟୁ ଘଟିଥିବା ବେଳେ କୁମର ଓ ଦୁର୍ଯ୍ୟୋଧନ ଗୁରୁତର ଭାବେ ଆହତ ହୋଇଥିଲେ। ଖବର ପାଇ ସ୍ଥାନୀୟ ଲୋକେ ଦୁଇ ଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ। ମାତ୍ର ବାଟରେ କୁମରଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଯୋଧନ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଥିବାର ଜଣା ପଡ଼ିଛି।