ମାଲକାନଗିରି: ମାଓବାଦୀ ବିରୋଧୀ ଅଭିଯାନ ଜୋର୍ଦାର ହେବା ପରେ ହିଂସ୍ର ହୋଇ ଉଠିଛନ୍ତି ନକ୍ସଲ। ଛତିଶଗଡ଼ ବିଜାପୁର ଜିଲ୍ଲା ପାମେଡ଼ ଥାନା ସେଣ୍ଡ୍ରାବର ଗ୍ରାମର ସାମାୟା ସୁନମ ଏବଂ ଆମାପୁର ଗ୍ରାମର ବେକୋ ଦେବାଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ପୁଲିସ୍ ଇନ୍ଫର୍ମର ସନ୍ଦେହରେ ସଶସ୍ତ୍ର ନକ୍ସଲ ଏପରି କାଣ୍ଡ ଘଟାଇଛନ୍ତି। ଗତ ୪ ଦିନ ମଧ୍ୟରେ ନକ୍ସଲ ୫ ଜଣଙ୍କୁ ହତ୍ୟା କରିଛନ୍ତି। ଏହାପରେ ପୁଲିସ୍ ଓ ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନ୍କୁ ଜୋରଦାର କରାଯାଇଛି। ଶନିବାର ବିଳମ୍ବିତ ରାତିରେ ସଶସ୍ତ୍ର ନକ୍ସଲ ସେଣ୍ଡ୍ରାବର ଗ୍ରାମରେ ପହଞ୍ଚି ସାମାୟାଙ୍କୁ ଖୋଜିଥିଲେ। ସାମାୟା ଘର ଭିତରେ ଥିବା ଜାଣିବା ପରେ ଟାଣି ନେଇ ହତ୍ୟା କରିଥିଲେ। ପରେ ଏମାପୁର ଗ୍ରାମର ବେକୋ ଦେବାଙ୍କୁ ମଧ୍ୟ ଘରୁ ଟାଣି ନେଇ ଜଙ୍ଗଲରେ ନିସ୍ତୁକ ମାଡ଼ ମାରିଥିଲେ। ପୁଲିସ ଇନ୍ଫର୍ମର ଦର୍ଶାଇ ତଣ୍ଟି କାଟି ହତ୍ୟା କରିଥିଲେ।
ସୂଚନାଯୋଗ୍ୟ, ସାମାୟା ସୁନମ ପୂର୍ବରୁ ନକ୍ସଲ ସଂଗଠନରେ ଆର୍ପିସି ସଦସ୍ୟ ଥିଲେ। କିଛି ବର୍ଷ ତଳେ ସେ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଞ୍ଚଳରେ ସର୍ଚ୍ଚ ଅପରେସନ୍କୁ ଜୋର୍ଦାର କରିଛି। ଅନ୍ୟପଟେ ଏହି ଘଟଣା ପରେ ପାମେଡ଼ ଥାନା ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ୪ଦିନ ତଳେ ନକ୍ସଲ ପେଡ଼ାକୋର୍ମା ଗ୍ରାମର ୩ ଜଣଙ୍କୁ ହତ୍ୟା କରିଥିଲେ। ସେଥି ମଧ୍ୟରେ ଦୁଇ ଛାତ୍ର ଥିଲେ। ବିଜାପୁର ଜିଲ୍ଲାରେ ନକ୍ସଲ ସକ୍ରିୟ ହେବା ଯୋଗୁଁ ଦୁର୍ଗମ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)