ପଥର କ୍ୱାରିରେ ବିସ୍ଫୋରଣପଥର କ୍ୱାରିରେ ବିସ୍ଫୋରଣଦୁଇ ଶ୍ରମିକ ମୃତ

ମାଲକାନଗିରି: ସୋମବାର ରାତିରେ ମାଲକାନଗିରି ସହର ଉପକଣ୍ଠ ଏକ ପଥର କ୍ୱାରିରେ ବିସ୍ଫୋରଣ ଘଟି ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତିି। ମାଲକାନଗିରି ସଦର ମହକୁମା ଠାରୁ ମାତ୍ର ୨ କିଲୋମିଟର ଦୂର ସାବିତ୍ରୀ ଷ୍ଟୋନ କ୍ରସର ନିକଟରେ ବିସ୍ଫୋରଣର ଶିକାର ହୋଇଥିବା ମୃତକ ଦ୍ୱୟ ହେଲେ ରାମଚନ୍ଦ୍ର ସମରଥ ଏବଂ ବାବୁଲା ହନ୍ତାଳ। ଆହତ ଜଗା ମୁସାକି ଏବେ ମାଲକାନଗିରି ମେଡିକାଲରେ ଚିକିତ୍ସାଧୀନ ରହିଛି। ଘଟଣାରୁ ପ୍ରକାଶ ଯେ  ଗତକାଲି ସଂଧ୍ୟାରେ ମାଲକାନଗିରିରେ ପ୍ରବଳ ଘଡଘଡି ସାଂଗକୁ ବର୍ଷା ହୋଇଥିଲା। ଏହି ସମୟରେ କିନ୍ତୁ ନିକଟସ୍ଥ ସାବିତ୍ରୀ ଷ୍ଟୋନ୍‌ କ୍ରସରରେ କାମ ଚାଲିଥିଲା। ସ୍ଥାନୀୟ ଗୌଡଗୁଡା ପଞ୍ଚାୟତ ଅନ୍ତର୍ଗତ କାଦବାହାଲ ଗ୍ରାମର ରାମଚନ୍ଦ୍ର ସମରଥ, ଜଗା ମୁସାକି ଏବଂ ବାବୁଲା ହନ୍ତାଳ ପ୍ରମୁଖ ପଥର ଫଟାଇବା ପାଇଁ ବିସ୍ଫୋରକ ଧରି କ୍ରସର ନିକଟରେ ଥିବା ପଥର କ୍ୱାରିକୁ ଯାଇଥିଲେ। ଘଡଘଡି ସହ ବର୍ଷା ହେଉଥିବାରୁ ପାହାଡରେ ଥିବା ଏକ ଛୋଟ ଗୁମ୍ଫାରେ ଆଶ୍ରୟ ନେଇଥିଲେ। ଏହି ସମୟରେ କୌଣସି କାରଣରୁ ବିସ୍ଫୋରଣ ହେବାରୁ ରାମଚନ୍ଦ୍ର ଓ ବାବୁଲାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଜଗା ଗୁରୁତର ଭାବେ ଆହତ ହୋଇଥିଲେ।  ପାହାଡ ଉପରେ ବିସ୍ଫୋରଣ ହେବା ଶବ୍ଦ ଶୁଣିଥିଲେ ମଧ୍ୟ କ୍ରସରରେ କାମ କରୁଥିବା ଲୋକେ ବଜ୍ରପାତ ଭୟରେ  ପ୍ରଥମେ ଘଟଣାସ୍ଥଳକୁ କେହି ଯାଇପାରି ନଥିଲେ। ବର୍ଷା କମିବା ପରେ ଯାଇ ଦେଖିବାକୁ ବେଳକୁ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ  ଗୁରୁତର ଆହତ ହୋଇଥିବା ଜଗାକୁ ଡାକ୍ତରଖାନାକୁ ଆଣିଥିଲେ। ରାତିରେ ଏହି ଘଟଣାକୁ ଚପାଇ ଦେବା ପାଇଁ କ୍ରସର ମାଲିକ ଉଦ୍ୟମ କରିଥିଲେ। ବିସ୍ଫୋରଣ ବଦଳରେ ବଜ୍ରପାତରେ ଏଭଳି ହୋଇଥିବା କହିଥିଲେ। ତେବେ ଆଜି ଘଟଣାସ୍ଥଳକୁ ପୁଲିସ, ଗଣମାଧ୍ୟମ ଏବଂ ମୃତକଙ୍କ ସଂପର୍କୀୟମାନେ ଯିବା ପରେ ବିସ୍ଫୋରଣରେ ଏମାନଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଥିଲା। ଏହି ଖବରପାଇ ଆଜି ସକାଳୁ କ୍ରସର ନିକଟରେ ଶତାଧିକ ଲୋକ ରୁଣ୍ଡ ହେବା ସହ ମାଲିକଙ୍କୁ ଖୋଜିଥିଲେ। ମୃତ ରାମ ସମରଥଙ୍କ ପରିବାର ଲୋକ କହିଛନ୍ତି ଯେ ରାମ ଗତକାଲି ସକାଳେ କାମ କରି ଦ୍ୱିପହରରେ ଘରକୁ ଖାଇବାକୁ ଆସିଥିଲେ। ଏହାପରେ ପୁଣି କାମକୁ ଯାଉଛି କହି ଘରୁ ବାହାରିଥିଲା। ତେବେ ସଂଧ୍ୟାରେ ସେଠାରେ  ଅଘଟଣ ଘଟିଥିବା ଶୁଣି ରାମର ପତ୍ନୀ,ମା’ ଏବଂ ଭାଇ ଯାଇ କ୍ରସର ମାଲିକଙ୍କୁ ସାକ୍ଷାତ କରିଥିଲେ। ରାମର କିଛି ହୋଇ ନଥିବା କହି କ୍ରସର ମାଲିକ ପଠାଇ ଦେଇଥିଲେ ବୋଲି ପତ୍ନୀ ସଂଗୀତା କହିଛନ୍ତି। ଆଜି ଏହି ଘଟଣାକୁ ନେଇ  କ୍ରସର ପରିସରରେ ଉତ୍ତେଜନା ଦେଖାଦେଇଥିଲା। ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଦିନ ୧୨ଟା ବେଳେ ଶବ ଦୁଇଟିକୁ ପାହାଡ଼ରୁ ଓହ୍ଲାଇ ବ୍ୟବଛେଦ ପାଇଁ ପଠାଇଥିଲା। ଏନେଇ ଏସଡିପିଓ ପ୍ରତୀକ ଗୀତା ସିଂକୁ ପଚାରିବାରୁ ବିସ୍ଫୋରଣ ଯୋଗୁଁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି। ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ମାଲକାନଗିରି ଜିଲ୍ଲାରେ ସମସ୍ତ ଆଇନ କାନୁନ୍‌କୁ ଉଲ୍ଲଂଘନ କରି ଅନେକ ଷ୍ଟୋନ୍‌ କ୍ରସର ଚାଲିଛି। କିଛି ଅସାଧୁ କର୍ମଚାରୀଙ୍କୁ ହାତଗୁଞ୍ଜା ଦେଇ କ୍ରସର ମାଲିକମାନେ ବେଆଇନ୍‌ ଭାବେ ବିସ୍ଫୋରକ ଗଛିତ ରଖିବା ସହ ପଥର ଫଟାଇବା ପାଇଁ ବିସ୍ଫୋରଣ କରୁଛନ୍ତି। ଫଳରେ ଏଭଳି ଅଘଟଣ ଘଟୁଥିବା ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର