ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗରେ ଖାଲି ପଡ଼ିଛି ୨ ଲକ୍ଷ ୨୬ ହଜାର ସରକାରୀ ପଦବୀ, ଜାଣନ୍ତୁ କେଉଁ ଶ୍ରେଣୀରେ କେତେ ଚାକିରି

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ଅର୍ଥମନ୍ତ୍ରୀ

ଭୁବନେଶ୍ୱର: ୨୦୨୧-୨୨ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗରେ ମୋଟ ୨ ଲକ୍ଷ ୨୬ ହଜାର ୫୫୯ ପଦବୀ ଖାଲି ପଡ଼ିଛି | ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତର ଦେଇ ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ସୂଚନା ଦେଇଛନ୍ତି।

ଆଜି ବିଧାନସଭାରେ ଖଣ୍ଡପଡ଼ା ବିଧାୟକ ପ୍ରଶ୍ନ କରିଥିଲେ ଯେ ରାଜ୍ୟରେ କେତେ ସରକାରୀ ପଦବୀ ଖାଲି ରହିଛି | ଏହାର ଉତ୍ତରରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ ମୋଟ ୨ ଲକ୍ଷ ୨୬ ହଜାର ୫୫୯ ପଦବୀ ଖାଲି ରହିଛି | ଏଗୁଡିକ ମଧ୍ୟରୁ ‘ଗ୍ରୁପ ଏ’ର ୧୨୩୩୭ ପଦବୀ, ‘ଗ୍ରୁପ ବି’ର ୪୫୯୬୯, ‘ଗ୍ରୁପ ସି’ର ୧୧୩୫୩୬, ‘ଗ୍ରୁପ ଡି’ର ୩୫୦୯୮,‘ଗ୍ରୁପ ଡି+’ର ୨୦୬୯୪୦ ପଦବୀ ଖାଲି ଅଛି।

ଆର୍ଥିକ ଓ ପ୍ରଶାସନିକ ସଂସ୍କାର କାର୍ଯ୍ୟକାରୀ ହେବା ପରଠାରୁ ୧୯୯୯ରୁ ୨୦୦୮ ମଧ୍ୟରେ ବିଭିନ୍ନ ବିଭାଗର ୪୫ ହଜାର ପାଞ୍ଚ ଶହ ୧୩ଟି ମୂଳ ପଦବୀ ଖାଲି ପଡ଼ିଛି | ସେହିପରି ଖଣ୍ଡପଡ଼ା ବିଧାୟକ ପ୍ରଶ୍ନ କରିଥିଲେ ଯେ ରାଜ୍ୟ ସରକାର କେଉଁଠାରୁ କେତେ ଋଣ ଆଣିଛନ୍ତି?

ଏହି ପ୍ରଶ୍ନର ଉତ୍ତର ରଖି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ ଖୋଲା ବଜାରରୁ ରାଜ୍ୟ ସରକାର ୨୮ ହଜାର ୫୫୮ କୋଟି ଟଙ୍କା, କେନ୍ଦ୍ର ସରକାରଙ୍କ ନିକଟରୁ ୧୮ ହଜାର ୫୦୫ କୋଟି ଟଙ୍କା ଋଣ ଆଣିଛନ୍ତି | ତନ୍ମଧ୍ୟରୁ ବିଶ୍ୱ ବ୍ୟାଙ୍କରୁ ୧ ହଜାର ୧୮ କୋଟି ଟଙ୍କା, ଏସୀୟ ଉନ୍ନୟନ ବ୍ୟାଙ୍କରୁ ୫୫୨ କୋଟି ଟଙ୍କା, ଜାପାନ ଆନ୍ତର୍ଜାତୀୟ ସମବାୟ ସଂସ୍ଥାରୁ ୩ ହଜାର ୩୧୯ କୋଟି ଟଙ୍କା ଋଣ ଆଣିଛନ୍ତି।

ସମ୍ବନ୍ଧିତ ଖବର