ସାକ୍ଷୀଗୋପାଳ: ପବିତ୍ର ଅଁଳାନବମୀ ଉପଲକ୍ଷେ ସାକ୍ଷୀଗୋପାଳ ମନ୍ଦିରରେ ରାଧାରାଣୀଙ୍କ ପାଦଦର୍ଶନ କରିଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ। ମା’ ରାଧାରାଣୀଙ୍କ ପାଦଦର୍ଶନ ନିମନ୍ତେ ରାଜ୍ୟ ତଥା ରାଜ୍ୟ ବାହାରୁ ୨ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା। ପୂର୍ବ ରାତ୍ରରୁ ଦେବନୀତି ସମ୍ପନ୍ନ କରାଯାଇ ରବିବାର ଭୋର୍ ୫ଟାରୁ ସାହାଣ ମେଲା ଦର୍ଶନ ଆରମ୍ଭ ହୋଇଥିଲା। ଶ୍ରଦ୍ଧାଳୁମାନେ ବ୍ୟାରିକେଡ୍ ମଧ୍ୟରେ ଯାଇ ମା’ଙ୍କ ପାଦଦର୍ଶନ କରିଥିଲେ। ଉତ୍ତର ଭାରତରୁ ଆସିଥିବାରୁ ରାଧାରାଣୀ ଉତ୍ତର ଭାରତୀୟ ବେଶଭୂଷା ପରିଧାନ କରିଥାନ୍ତି। ବର୍ଷସାରା ଠାକୁରାଣୀଙ୍କ ପାଦପଦ୍ମ ପିନ୍ଧା ବସନରେ ଆବୃତ୍ତ ହୋଇ ରହିଥାଏ। ପବିତ୍ର ଅଁଳାନବମୀ ତିଥିରେ ଗୋଟିଏ ଦିନ ପାଇଁ ରାଧାରାଣୀ ଓଡ଼ିଆଣୀ ବେଶ ହୋଇ କାଣିଆ କଛା ମାରିଥାନ୍ତି। ଫଳରେ ଠାକୁରାଣୀଙ୍କ ପିନ୍ଧା ବସନ ପାଦପଦ୍ମ ଉପରକୁ ଉଠି ରହିଥାଏ। ସେଥିପାଇଁ ବର୍ଷକରେ ଥରେ ଭକ୍ତମାନଙ୍କୁ ଠାକୁରାଣୀଙ୍କ ପାଦପଦ୍ମ ଦେଖିବାର ସୁଯୋଗ ମିଳିଥାଏ। ଗତକାଲି ରାତିରୁ ଦେବନୀତି ସମ୍ପନ୍ନ କରାଯାଇ ଠାକୁରାଣୀଙ୍କୁ ଓଡ଼ିଆଣୀ ବେଶ କରାଯାଇଥିଲା।
ଠାକୁରାଣୀ ନୂତନ ପାଟବସ୍ତ୍ର ପରିଧାନ କରିଥିବାବେଳେ କାନିରେ ଅରୁଆ ଚାଉଳ, ଦୁବ ଓ ଗୁଆ ବନ୍ଧା ଯାଇଥିଲା। ପାଦରେ ଅଳତା ଓ ଆଖିରେ କଜ୍ବଳ ଲଗାଇବା ସହିତ ମସ୍ତକରେ ସୁବର୍ଣ୍ଣ କିରୀଟ, ଗଳାରେ ସୁବର୍ଣ୍ଣ ଅଁଳା ଫଳମାଳ ଓ ହୀରାକଟା ଚାପସରୀ, ଅଣ୍ଟାରେ ସୁବର୍ଣ୍ଣ ବେଙ୍ଗପାଟିଆ ମାଳ, ସୁବର୍ଣ୍ଣ ଚକିମାଳ, ସୁବର୍ଣ୍ଣ କମରପଟି, ସୁବର୍ଣ୍ଣ ଚାରିସରିଆ ଚନ୍ଦ୍ରହାର ଶିକୁଳି, ବାହୁରେ ସୁବର୍ଣ୍ଣ ଡେଉଁରିଆ ମାଳ, ସୁବର୍ଣ୍ଣ ତାବିଜମାଳ ଓ ସୁବର୍ଣ୍ଣ ତାବିଜ, ହାତରେ ସୁବର୍ଣ୍ଣ ବାଘନଖୀ ମାଳ, ପାଦରେ ସୁବର୍ଣ୍ଣ ନୁପୁର, ଘୁଙ୍ଗୁର, ବାଙ୍କୀ, ପାଦପଦ୍ମ ଓ ଚୁପୁଲି ଶୋଭା ପାଇଥିଲା। ସେହିପରି ଠାକୁର ଶ୍ରୀଗୋପାଳ ଜିଉଙ୍କର ମନୋରମ ନଟବର ବେଶ ହୋଇଥିଲା। ଠାକୁର ନୂତନ ପାଟବସ୍ତ୍ର ପରିଧାନ କରିଥିଲେ। ମସ୍ତକରେ ସୁବର୍ଣ୍ଣ କିରୀଟ, ଗଳାରେ ସୁବର୍ଣ୍ଣ ସେବତୀଫୁଲ ହାର, ହସ୍ତରେ ସୁବର୍ଣ୍ଣ ବଂଶୀ, ନାସାରେ ଗଜମୁକ୍ତା, କର୍ଣ୍ଣରେ ସୁବର୍ଣ୍ଣ କୁଣ୍ଡଳ ଓ ଆଙ୍ଗୁଠିରେ ହୀରକ ମୁଦ୍ରିକା ଶୋଭା ପାଉଥିଲା। ଭକ୍ତମାନଙ୍କ ଦର୍ଶନ ନିମନ୍ତେ ମନ୍ଦିର ସିଂହଦ୍ୱାର ସମ୍ମୁଖରେ ୩ଥାକିଆ ବାଉଁଶ ନିର୍ମିତ ଛାୟାପ୍ରଦ ବ୍ୟାରିକେଡ୍ ନିର୍ମାଣ ହୋଇଥିଲା। ଭକ୍ତମାନେ ଧାଡ଼ିରେ ଆସି ଠାକୁରଙ୍କୁ ଦର୍ଶନ କରିଥିଲେ।