କୋଣାର୍କ/ରାମଚଣ୍ଡୀ: ମାଘସପ୍ତମୀରେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ଦୁଇ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ମାଘମାସ ଶୁକ୍ଳପକ୍ଷ ସପ୍ତମୀ ତିଥିରେ ଭୋର୍ ୪ଟା ୫୧ ମିନିଟ୍ରେ ତିନିଠାକୁର ସ୍ନାନ କରିବା ପରେ ୫ଟା ଏକ ମିନିଟ୍ରେ ସର୍ବସାଧାରଣ ବୁଡ଼ ଆରମ୍ଭ ହୋଇଥିଲା। ଘନ କୁହୁଡ଼ି ଯୋଗୁ ଚନ୍ଦ୍ରଭାଗା ସମୁଦ୍ରକୂଳରେ ଲକ୍ଷାଧିକ ଶ୍ରଦ୍ଧାଳୁ ସ୍ନାନ ଉପରାନ୍ତ ସୂର୍ଯ୍ୟ ଦର୍ଶନ କରିବାରୁ ବଞ୍ଚିତ ହୋଇଥିଲେ। ବିଗତ ବର୍ଷମାନଙ୍କ ଭଳି ଚଳିତ ବର୍ଷ ମାଧିପୁର ଗ୍ରାମର ମହାଦେବ ଶ୍ରୀ ତ୍ରିବେଣୀଶ୍ବର, ସନ୍ଥପୁର ଗ୍ରାମର ଐଶାଣେଶ୍ୱର ଓ କୁରୁଜଙ୍ଗ ଗ୍ରାମର ଦକ୍ଷିଣେଶ୍ବର ପ୍ରମୁଖ ‘ତ୍ରିଶମ୍ଭୁ’ଙ୍କୁ ସେବାୟତମାନେ ଷଷ୍ଠୀ ରାତି ୧୧ଟା ୩୦ ମିନିଟ୍ ସମୟରେ ସୁସଜ୍ଜିତ ବିମାନରେ ବିଜେ କରାଇ ଧାର୍ମିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଓ ହୋମଯଜ୍ଞ ଆଦି କାର୍ଯ୍ୟ ସଂପାଦନ କରିଥିଲେ।
ପରେ ତ୍ରିଶମ୍ଭୁଙ୍କୁ ନିଜନିଜ ପୀଠରୁ ବେହେରା ସେବକମାନେ ଉଜ୍ବଳ ଆଲୋକ, ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ବିରାଟ ପଟୁଆରରେ ବାଜା,ବାଣ ରୋଷଣୀରେ ଆଣି କୋଣାର୍କ ଏନ୍ଏସି ଭୋଗମଣ୍ଡପଠାରେ ରାତି ଗୋଟାଏ ପାଞ୍ଚ ମିନିଟ୍ ସମୟରେ ପହଞ୍ଚାଇଥିଲେ। ସେଠାରେ ତିନିଠାକୁର ଭୋଗମଣ୍ଡପରେ ବିଜେ କରିବା ପରେ ଧାର୍ମିକ ରୀତିନୀତି ଓ ପରମ୍ପରାର ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ଏହି ପରିପ୍ରେକ୍ଷୀରେ କୋଣାର୍କ ଏନ୍ଏସି ପରିସରରେ ଆଧ୍ୟାତ୍ମିକ ଓ ଚେତନାଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରେ ପରେ ତ୍ରିଶମ୍ଭୁଙ୍କୁ କୋଣାର୍କ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ, ପୂର୍ତ୍ତ ବିଭାଗ କାର୍ଯ୍ୟାଳୟଠାରେ ପୂଜାର୍ଚ୍ଚନା ଓ ହୋମଯଜ୍ଞ ପରେ ତିନିଠାକୁର ଶୋଭାଯାତ୍ରାରେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ସ୍ନାନମଣ୍ଡପ ଅଭିମୁଖେ ଯାତ୍ରା କରିଥିଲେ।