ଖଣ୍ଡପଡ଼ା: ପ୍ରାୟ ବର୍ଷେ ପରେ ଖଣ୍ଡପଡ଼ା ଅଞ୍ଚଳରେ ହନୁମାନ ପଇସା ନାଁରେ ଠକେଇ ଘଟଣା ଫେରିଥିବା ବେଳେ ଏହି ଲୋଭରେ ୨ ଲକ୍ଷ ଟଙ୍କା ହରାଇଛନ୍ତି ଜଣେ ଯୁବକ। ଅନ୍ୟପକ୍ଷରେ, ଘଟଣାରେ ସମ୍ପୃକ୍ତ ୪ଜଣଙ୍କୁ ସ୍ଥାନୀୟ ପୁଲିସ ବାନ୍ଧିଥିବା ବେଳେ ଅନ୍ୟମାନଙ୍କର ସନ୍ଧାନ ଚଳାଇଥିବା ନେଇ ଥାନାଧିକାରୀ ଜ୍ୟୋତିପ୍ରକାଶ ସ୍ୱାଇଁଙ୍କଠାରୁ ସୂଚନା ମିଳିଛି। ଗିରଫ ବ୍ୟକ୍ତିମାନେ ହେଲେ, ବ୍ଲକ୍ ଅଧୀନ ସିଙ୍ଘାପଡ଼ା ପଞ୍ଚାୟତ ବେଡ଼ାକି ଗ୍ରାମର ବାବାଜୀ ନାଏକ, ଉପରଗଡ଼ିଆସାହି ଗ୍ରାମ ହରିଜନ ସାହିର ପ୍ରମୋଦ ନାଏକ, କିଆଝର ପଞ୍ଚାୟତ ଗୋଛାବାରୀ ଗ୍ରାମର ସୁଦାମ ନାଏକ ଏବଂ ଦଶପଲ୍ଲା ବ୍ଲକ୍ ଅଧୀନ ଦୁଆରଗାଁ ଗ୍ରାମର ଅନ୍ତର୍ଯ୍ୟାମୀ ନାଏକ। ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଧୀନ ନାଗପୁର ଗ୍ରାମର ସୁଧାଂଶୁ ଶେଖର ବିଶ୍ୱାଳଙ୍କ ଏତଲା ଅନୁଯାୟୀ, କିଛି ମାସ ତଳେ ସେ ଫେସ୍ବୁକ୍ରେ ଏହି ଦୁର୍ମୂଲ୍ୟ ମୁଦ୍ରା ବାବଦରେ ସୂଚନା ପାଇଥିଲେ। ଅନଲାଇନ୍ରେ ଦିଆଯାଇଥିବା ଫୋନ୍ ନମ୍ବରରେ ଯୋଗାଯୋଗ ପରେ ଦୁର୍ବୃତ୍ତମାନେ ଏହି ପଇସା ବାବଦରେ ବିଶ୍ବାସ ଜନ୍ମାଇଥିଲେ।
ହନୁମାନ ପଇସା ଲୋଭରେ ସୁଧାଂଶୁ ଜଗତସିଂହପୁରରୁ ଗତ ଅଗଷ୍ଟ ୨୭ ତାରିଖରେ କଣ୍ଟିଲୋରେ ପହଞ୍ଚିଥିଲେ। ଏହି ନିଷିଦ୍ଧ ବେପାର ସମ୍ପର୍କରେ ବିଶ୍ବାସ ଜନ୍ମାଇବା ପରେ ଦୁର୍ବୃତ୍ତମାନେ ହନୁମାନ ପଇସା ଦେବେ କହି ଗଡ଼ିଆସାହି ପଞ୍ଚାୟତ ଅଧୀନ ପିତାମହୁଲ ଗ୍ରାମ ନିକଟସ୍ଥ କୁଆଁରିଆ ନଦୀପାର୍ଶ୍ୱ ଜଙ୍ଗଲ ମଧ୍ୟକୁ ବାଇକ୍ ଯୋଗେ ନେଇଥିଲେ। ସେଠାରେ ସୁଧାଂଶୁଙ୍କୁ ନିସ୍ତୁକ ମାଡ଼ ମାରିବା ସହ ମୋବାଇଲରୁ ଫୋନ୍ ପେ’ ମାଧ୍ୟମରେ ପ୍ରଥମେ ଏକ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ସେହିପରି ସୁଧାଂଶୁଙ୍କ ଏଟିଏମ୍ରୁ ମଧ୍ୟ ଏକ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଏତଲା ହୋଇଥିଲା। ସ୍ଥାନୀୟ ପୁଲିସ ଏତଲା ଆଧାରରେ ୪ଜଣଙ୍କୁ ବାନ୍ଧିଥିବା ବେଳେ ରୢାକେଟ୍ର ମୁଖ୍ୟ ଅଭିଯୁକ୍ତ ସମେତ ଅନ୍ୟ ୩ ଜଣଙ୍କ ଅନୁସନ୍ଧାନ ଚଳାଇଥିବା ନେଇ ଥାନାଧିକାରୀ ଶ୍ରୀ ସ୍ୱାଇଁଙ୍କଠାରୁ ସୂଚନା ମିଳିଛି।
ଉଲ୍ଲେଖଯୋଗ୍ୟ, ଖଣ୍ଡପଡ଼ା ବ୍ଲକ୍ ଗଡ଼ିଆସାହି, କିଆଝର ଓ ସିଙ୍ଘାପଡ଼ା, କୋସକା ଭଳି ଆଦିବାସୀଅଧ୍ୟୁଷିତ ବଣପାହାଡ଼ଘେରା ଜଙ୍ଗଲ ଅଞ୍ଚଳରେ ଏହି ନିଷିଦ୍ଧ କାରବାର ଦୀର୍ଘବର୍ଷ ହେବ ଚାଲି ଆସୁଛି। ତେବେ ଗତବର୍ଷ କିଆଝର ପଞ୍ଚାୟତ ଅଧୀନ ଭଅଁରପଲ୍ଲୀ କୁଆଁରିଆ ନଦୀପଠାରେ ହୀରାକୁଦ ଅଞ୍ଚଳର କୁଖ୍ୟାତ ଅପରାଧୀ ସୂର୍ଯ୍ୟ କନ୍ଧଙ୍କୁ ହତ୍ୟା କରାଯିବା ପରେ ସାରା ରାଜ୍ୟରେ ହନୁମାନ ପଇସା କାରବାର ଚର୍ଚ୍ଚାର ବିଷୟ ପାଲଟିଥିଲା। ଘଟଣା ପରେ ଖଣ୍ଡପଡ଼ା ପୁଲିସ ପକ୍ଷରୁ ଦୀର୍ଘ ବର୍ଷ ହେବ ଏହି କାରବାର ଚଳାଇ ଆସୁଥିବା ସର୍ବେଶ୍ୱର ବିଶ୍ୱାଳ ସମେତ ମୋଟ ୯ ଜଣଙ୍କୁ ଗିରଫ କରିଥିଲା। ଏହାର ଠିକ୍ ବର୍ଷକ ପରେ ଏହି ରାକେଟ ସକ୍ରିୟ ହେବା ସ୍ଥାନୀୟ ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/fraud.jpg)