ବିନିକା: ସରକାରଙ୍କ ପକ୍ଷରୁ ‘ଖୁସି’ ଯୋଜନାରେ ସ୍କୁଲ, କଲେଜ ଛାତ୍ରୀଙ୍କ ପାଇଁ ନାପକିନ୍ ବଣ୍ଟନ ବ୍ୟବସ୍ଥା କରାଯାଇଛି। ତେବେ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ବିନିକା ସହର ଓ ବ୍ଲକ୍ ଅଞ୍ଚଳରେ ଏହି ଯୋଜନା ଦିଗହରା ହୋଇପଡ଼ିଛି। ଚଳିତ ଶିକ୍ଷାବର୍ଷର ୨ ମାସ ବିତିଯାଇଥିଲେ ମଧ୍ୟ ବିନିକା ବ୍ଲକର ଛାତ୍ରୀଙ୍କୁ ନାପ୍କିନ୍ ବଣ୍ଟନ ହୋଇପାରିନାହିଁ। ଅନ୍ୟପକ୍ଷରେ ବିନିକା ଡାକ୍ତରଖାନା ଔଷଧ ଗୋଦାମ ଗୃହରେ ନାପ୍କିନ୍ ପଡ଼ିରହିଛି। ସେହିପରି ନାପ୍କିନ୍ ବଣ୍ଟନ ଦାୟିତ୍ୱ ସରକାର କାହାକୁ ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗ ଓ ଶିକ୍ଷା ବିଭାଗ ପାଖରେ ଖବର ନାହିଁ। ଉଭୟ ବିଭାଗ ଉଭୟଙ୍କୁ ଦାୟୀ କରୁଛନ୍ତି। ନାପ୍କିନ୍ ବଣ୍ଟନ ପାଇଁ ବିଧିବଦ୍ଧ ଭାବେ ଉପର ମହଲରୁ କୌଣସି ନିର୍ଦ୍ଦେଶ ନଥିବାରୁ ଉଭୟ ବିଭାଗ ଚୁପ ହୋଇ ବସିଥିବା ଜଣାପଡ଼ିଛି। ବିନିକା ଡାକ୍ତରଖାନାରେ ନାପ୍କିନ୍ ଆସି ରହିଥିବା ଶିକ୍ଷା ବିଭାଗ ପାଖରେ ଖବର ନଥିବା ଜଣାପଡ଼ିଛି। ବିନିକା ଡାକ୍ତରଖାନା ଔଷଧ ଗୋଦାମ ଗୃହରେ ରଖାଯାଇଥିବା ନାପ୍କିନ୍ର ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ନାପ୍କିନ୍ ବଣ୍ଟନ ସମୟ ଗଡ଼ି ଯାଉଥିବାରୁ ଛାତ୍ରୀ ଓ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି। ଏଥିରେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ତୁରନ୍ତ ନାପ୍କିନ୍ ବଣ୍ଟନର ବ୍ୟବସ୍ଥା କରିବାକୁ ଅଭିଭାବକ ମହଲରେ ଦାବି ହେଉଛି।
ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ‘ଖୁସି’ ଯୋଜନାରେ ଷଷ୍ଠରୁ ଯୁକ୍ତ ଦୁଇ ଛାତ୍ରୀଙ୍କୁ ବର୍ଷକୁ ୧୨ ପ୍ୟାକେଟ୍ ଲେଖାଁଏ ନାପ୍କିନ୍ ବଣ୍ଟନ ପାଇଁ ବ୍ୟବସ୍ଥା କରିଛନ୍ତି। ଛାତ୍ରୀଙ୍କୁ ସୁବିଧାରେ ନାପ୍କିନ୍ ବଣ୍ଟନ ଓ ବ୍ୟବହାର ନେଇ ବ୍ଲକ୍ର ୬୯ ଜଣ ଶିକ୍ଷୟିତ୍ରୀଙ୍କୁ ପୂର୍ବରୁ ତାଲିମ ପ୍ରଦାନ କରାଯାଇଛି। ବ୍ଲକ୍ର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରୀଙ୍କ ପାଇଁ ୨ ଲକ୍ଷ ୮ ହଜାର ୬୦୨ ପ୍ୟାକେଟ୍ ନାପ୍କିନ୍ ବଣ୍ଟନ ହେବାପାଇଁ ଚଳିତ ବର୍ଷ ମାର୍ଚ୍ଚ ୨୯ ତାରିଖ ନାପ୍କିନ୍ ଅଣାଯାଇ ବିନିକା ଡାକ୍ତରଖାନାର ଔଷଧ ଗୋଦାମ ଘରେ ରଖାଯାଇଥିବା ବିନିକା ଡାକ୍ତରଖାନା ପିଏଚଇଓ ଅମିତା ଚାନ୍ଦ ପ୍ରକାଶ କରିବା ସହ ଏହାର ବଣ୍ଟନ ଶିକ୍ଷା ବିଭାଗର ଦାୟିତ୍ବ ଥିବା ପ୍ରକାଶ କରିଛନ୍ତି। ଏହା ଡାକ୍ତରଖାନା ଔଷଧ ଗୋଦାମ ଗୃହରେ ରହିଥିବାରୁ ଔଷଧ ରଖିବାରେ ମଧ୍ୟ ଅସୁବିଧା ହେଉଥିବା ଦେଖାଦେଇଛି।
ଏ ସଂପର୍କରେ ଶିକ୍ଷା ବିଭାଗ ବିଇଓ ଶଶିଭୂଷଣ ସେଠୀଙ୍କୁ ପଚାରିବାରୁ ‘ମୋର ପାଖରେ ନାପ୍କିନ୍ ବାବଦରେ କିଛି ଖବର ନାହିଁ, ଏବିଇଓ ଏ ବିଷୟରେ ଜାଣି ଥିବେ’ ବୋଲି କହିଥିଲେ। ସେହିପରି ଏବିଇଓ ବସ୍ତନ୍ତ ଭୋଇଙ୍କୁ ପଚାରିବାରୁ ‘ମୁଁ ଭୁବନେଶ୍ବରରେ ଟ୍ରେନିଂରେ ଅଛି, ପୂର୍ବରୁ ଛାତ୍ରୀମାନଙ୍କୁ ନାପ୍କିନ୍ ବ୍ୟବହାର ଓ ସଚେତନା କରାଇବା ପାଇଁ ବହୁ ମାସ ହେବ ଶିକ୍ଷୟିତ୍ରୀମାନେ ଟ୍ରେନିଂ କରିଛନ୍ତି ଓ ନାପ୍କିନ୍ ବିନିକା ଡାକ୍ତରଖାନା ଗୋଦାମ ଗୃହରେ ରହି ଥିବା ମୁଁ ଜାଣିନାହିଁ’ ବୋଲି କହିଛନ୍ତି।