ଭଦ୍ରକ/ଭଣ୍ଡାରିପୋଖରୀ/ଧାମନଗର/ଚାନ୍ଦବାଲି, ୪/୮(ଇମିସ): ବୈତରଣୀ ଜଳସ୍ତର କମିଥିଲେ ମଧ୍ୟ ତଳିଆ ଅଞ୍ଚଳରେ ଏବେ ବି ହଜାର ହଜାର ଲୋକ ପାଣି ଘେରରେ ରହିଛନ୍ତି। ବନ୍ୟାରେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ, ଧାମନଗର, ଚାନ୍ଦବାଲି, ତିହିଡି, ସଦର ବ୍ଳକ୍ର ୬୦ଟି ପଞ୍ଚାୟତର ପ୍ରାୟ ୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ୫ଟି ବ୍ଲକ୍ର ପ୍ରାୟ ୮୦ ହଜାର ହେକ୍ଟର ଚାଷଜମି ପାଣିରେ ବୁଡ଼ିରହିଛି। ଏବେ ମଧ୍ୟ ଭଦ୍ରକ-ଆରଡି, ଆରଡି-ଯାଜପୁର ଓ ଭଣ୍ଡାରିପୋଖରୀ-ଯାଜପୁରକୁ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ଭଣ୍ଡାରିପୋଖରୀ ବ୍ଲକ୍ର କଣ୍ଟିଘାଇ ଏସ୍କେପ୍ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଧାମନଗର ବ୍ଲକ୍ର ମଲ୍ଲୀମାହାରା ଓ ଗୌରାଙ୍ଗପୁର ଏସ୍କେପ୍ ଦେଇ ବନ୍ୟାଜଳ ଚାଲିଛି। ଧାମନଗର ବ୍ଲକ୍ର ୨୬ଟି ପଞ୍ଚାୟତରେ ୮୦ରୁ ଅଧିକ ଗାଁ ବନ୍ୟାଘେରରେ ରହିଛି। ଆନନ୍ଦପୁର, ଖଡିପଦା, ସୋହଡ଼ା, କରଦା, ଦୋବଲ, ମୁସ୍ତାଫାପୁର, ପଧାନୀ, ଦଳାଙ୍ଗ, ହସନାବାଦ, ଅର୍ଜୁନପୁର, ଭଟସାହି, କୋଠାର, ବୟାଙ୍ଗଡିହି ଆଦି ପଞ୍ଚାୟତର ଅନେକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇରହିଛି।
ଆନନ୍ଦପୁର-ଖଡ଼ିପଦା, ଧାମନଗର-ସେଣ୍ଡପୁର, ପଧାନୀ-ଭଗତପୁର, ସେଣ୍ଡପୁର-ଦୋବଲ, ଧାମନଗର-ଫଳପୁର, ଅର୍ଜୁନପୁର-ବାଲିପାଟଣା, ହସନାବାଦ-ଧୂଷୁରୀ, ଆମ୍ବିଳିଗାଁ-ଗୁଡୁପୋଖରୀ ଓ କୋଠାର-ଧୂଷୁରୀ ରାସ୍ତାରେ ୩ ଫୁଟ୍ର ପାଣି ଚାଲିଥିବାରୁ ଯାତାୟାତ ପୂରା ଠପ୍ ହୋଇଯାଇଛି। ଭଣ୍ଡାରିପୋଖରୀ ବ୍ଲକ୍ର ବନ୍ଦାଳ-ମଢିଆଳି ଓ ଭଣ୍ତାରିପୋଖର-ମଣିନାଥପୁର ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ଯାଜପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏହି ବ୍ଲକ୍ର ଷୋଳମପୁର, ମାଳଦା, ରହଣିଆ, କୋରିଗାଁ, ନପଙ୍ଗ, ବନ୍ଦାଳୋ, ମଢିଆଳି, ଝୁଟୁଣା ଆଦି ୯ଟି ପଞ୍ଚାୟତର ପ୍ରାୟ ୩୬ଟି ଗ୍ରାମର ୪୦ ହଜାରୁ ଅଧିକ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି।
ସ୍ଥିତି ସମୀକ୍ଷା କଲେ ରାଜସ୍ବମନ୍ତ୍ରୀ ପ୍ରମିଳା ମଲ୍ଲିକ
ଉଛୁଳା ପାଣିରେ ଭାସି ୩ ଜଣଙ୍କ ମୃତ୍ୟୁ
ବୋଡ଼କଠାରେ କୂଳ ଲଙ୍ଘିଲା ବୈତରଣୀ
ଆରଡି-ଯାଜପୁର ରାସ୍ତାରେ ବନ୍ୟା ପାଣି
ଚାନ୍ଦବାଲି ବ୍ଲକ୍ର ଆରଡି, ନାନ୍ଦପୁର, ସୁନ୍ଦରପୁର, ଓଳଗ ୪ଟି ପଞ୍ଚାୟତର ୨୦ରୁ ଊର୍ଦ୍ଧ୍ବ ଗାଁ ପ୍ରଭାବିତ ହୋଇଛି। ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି। ଆରଡି-ଭଦ୍ରକ ରାଜ୍ୟ ରାଜପଥରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ଦୁଇ ଦିନ ହେଲା ଭଦ୍ରକରୁ ଆରଡି ପୀଠକୁ ଗାଡି ଚଳାଚଳ ବନ୍ଦ ରହିଛି। ଚାନ୍ଦବାଲିର ବୋଡକଠାରେ ବୈତରଣୀ କୂଳ ଲଙ୍ଘିବା ଫଳରେ ଆରଡି-ଯାଜପୁରକୁ ସଂଯୋଗ କରୁଥିବା ୨୦ ନଂବର ଜାତୀୟ ରାଜପଥ ଉପରେ ବନ୍ୟା ପାଣି ଚାଲିଛି। ଚାନ୍ଦବାଲିର ମୁଆଁ ଓ ଭୂଇଁପୁର ଘୋଷରାରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ଆରଡିରୁ ତିନିତର ଓ ଆରଡିରୁ ଧାନକଣିଆ ଘାଟକୁ ଲୋକମାନେ ଯାଇପାରୁନାହାନ୍ତି। ସେହିପରି ଆରଡି ପଞ୍ଚାୟତର ମୁ୍ଆଁ, ସନ୍ତରା, ଶୀତଳପୁର ଗାଁ ରାସ୍ତାରେ ବନ୍ୟାପାଣି ଚାଲୁଛି। ଷାଠିବାଙ୍କୁଡାଠାରେ ଦୁର୍ବଳ ନଦୀବନ୍ଧକୁ ଲୋକମାନେ ରାତିରେ ଜଗିଛନ୍ତି। ତିହିଡି ବ୍ଲକ୍ର ୮ ପଞ୍ଚାୟତର ୪୬ ହଜାର ଲୋକ ପ୍ରଭାବିତ ହୋଇଥିବା ବେଳେ ସାଳନ୍ଦୀ ବନ୍ୟାରେ ଭଦ୍ରକ ବ୍ଲକ୍ରେ ୬ ପଞ୍ଚାୟତର ୨୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଚଳିତ ବନ୍ୟାରେ ତିନିଜଣଙ୍କର ଜୀବନ ଯାଇଛି। ଗତକାଲି ବନ୍ୟାଜଳରେ ଭାସିଯାଇଥିବା ଧାମନଗର ଖଡିପଦା ପଞ୍ଚାୟତ କାଞ୍ଜିଆପାଳ ଗ୍ରାମର ସୂଜୟ ଦାସଙ୍କ ପୁଅ ଆକାଶ (୮)ଙ୍କ ମୃତଦେହ ଆଜି ଉଦ୍ଧାର କରାଯାଇଛି। ସେହିପରି କରଦା ପଞ୍ଚାୟତ ସୁଜାଣସିଂହପୁର ଗ୍ରାମର ପହଲି ପାତ୍ରଙ୍କ ପତ୍ନୀ ରେବତୀ ପାତ୍ର (୭୦) ଶୌଚ ପାଇଁ ଯାଇଥିବା ବେଳେ ବନ୍ୟାପାଣିରେ ଭାସିଯାଇ ପ୍ରାଣ ହରାଇଛନ୍ତି। ଆଜି ସକାଳେ ପରିବାର ଲୋକ ପାତ୍ରସାହି ମେଳଣ ପଡିଆ ନିକଟରେ ରେବତୀଙ୍କ ମୃତଦେହ ଉଦ୍ଧାର କରିଥିଲେ। ରହଣିଆ ପଞ୍ଚାୟତ ନୌରଙ୍ଗପୁର ଗାଁର ଅରୁଣ ରାଉତଙ୍କ ଏକମାତ୍ର ପୁଅ ନିରଜ ରାଉତ(୧୮) ଆଜି ବନ୍ୟା ସୁଅରେ ଭାସିଯାଇ ପ୍ରାଣ ହରାଇଛନ୍ତି। ବନ୍ୟା ପାଇଁ ଭଣ୍ଡାରିପୋଖରୀ, ଧାମନଗର, ତିହିଡି ଓ ଚାନ୍ଦବାଲି ବ୍ଲକରେ ସମସ୍ତ ସ୍କୁଲ ଆଜି ବନ୍ଦ ରହିଥିଲା।
ଜିଲ୍ଲାରେ ବନ୍ୟା ସ୍ଥିତି ଗମ୍ଭୀର ହୋଇଥିବା ବେଳେ ଆଜି ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଧାମନଗର, ଭଣ୍ଡାରିପୋଖରୀ ଓ ତିହିଡି ବ୍ଲକ୍ର ବନ୍ୟାଞ୍ଚଳ ଗସ୍ତ କରିଥିଲେ। ପରେ ଜିଲ୍ଲାପାଳଙ୍କ ସମ୍ମିଳନୀ ପ୍ରକୋଷ୍ଠରେ ବନ୍ୟା ସ୍ଥିତିର ସମୀକ୍ଷା କରିଥିଲେ। ବୈଠକରେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର, ଏସ୍ପି ବରୁଣ ଗୁଣ୍ଠୁପାଲ୍ଲୀ, ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡୁ, ଉପଜିଲ୍ଲାପାଳ ମନୋଜ ପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସନ୍ତୋଷ ପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।