ନୂଆପଡ଼ା: ପରିବା କ୍ଷେତକୁ ଯାଇଥିଲେ ଚାଷୀ, ଦେଖିଲେ ୨ଟି କଲରାପତରିଆ !

ନୂଆପଡ଼ା: କୋମନା ବ୍ଲକ ଅଞ୍ଚଳରେ ଗତ କିଛି ଦିନ ହେବ ବାଘ ଦେଖାଯାଉଥିବା ଗୁଜବ ଶୁଣିବାକୁ ମିଳୁଥିଲା। ହେଲେ ଗୁରୁବାର ଦିନ ସୁନାବେଡା ଅଭୟାରଣ୍ୟ ପାଦ ଦେଶରେ ଥିବା ତରବୋଡ ଫାଣ୍ଡି ଅନ୍ତର୍ଗତ ବାଗମୁଣ୍ଡା ଗ୍ରାମରେ ଦୁଇଟି କଲରାପତରିଆ ବାଘ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ସକାଳ ପ୍ରାୟ ସାତଟା ସମୟରେ ସବୁଦିନ ପରି ବାଗମୁଣ୍ଡା ଗ୍ରାମର ମହେନ୍ଦ୍ର ମଟାରୀ ଗ୍ରାମର ପୂର୍ବ ଦିଗରେ ଥିବା ନିଜ ଚାଷ ଜମିକୁ ଯାଇଥିଲେ । ଜମିରେ ହରଡ, ଟମାଟୋ, ଚଣା, ଭେଣ୍ଡି, ଧନିଆ ଆଦି ଚାଷ କରିଥିବାରୁ ସେ ସବୁଦିନ ସକାଳୁ ପମ୍ପ ସାହାଯ୍ୟରେ ପାଣି ମଡାଇ ଥାଆନ୍ତି । ସେଥିପାଇଁ ସେ ଯେତେବେଳେ ପମ୍ପ ଚଲାଇବାକୁ ଗଲେ ସେତିକିବେଳେ ତାଙ୍କ ଠାରୁ ପ୍ରାୟ ୧୦୦ ମିଟର ଦୂରରେ ଦେଖିଲେ ଯେ ଗୋଟିଏ ବାଘ ଏପଟ ସେପଟ ହେଉଛି ଓ ଆଉ ଗୋଟିଏ ବାଘ ଶୋଇଛି ।

କଲରାପତରିଆକୁ ଦେଖି ମହେନ୍ଦ୍ର ଡରିଯାଇ ଚିତ୍କାର କରିଥିଲେ ଓ ପାଖ ଜମିରେ କାମ କରୁଥିବା କାନ୍ତୁଷ ମଟାରୀ, ବାଲଗୋପାଲ ମଟାରୀ, ଭରତ ମଟାରୀ, ଉପେନ୍ଦ୍ର ମଟାରୀ ପ୍ରମୁଖ ଦୌଡି ଆସିଥିଲେ। ପରେ ସେମାନେ ବାଡି ଓ ଟେକାମାରି କଲରାପତରିଆକୁ ଘଉଡାଇବାକୁ ଚେଷ୍ଟା କରିଥିଲେ। କିଛି ସମୟପରେ ଦୁଇଟି କଲରାପତରିଆ ଜଙ୍ଗଲ ଭିତରକୁ ପଳେଇଥିଲେ । ଗ୍ରାମବାସୀ ଭୟଭୀତ ହୋଇ ତରବୋଡ ଫରେଷ୍ଟ ଅଫିସକୁ ଜଣାଇଥିଲେ ।

କୋମନା ରେଞ୍ଜର ଜଗଦୀଶ ଚନ୍ଦ୍ର ଦୂରୀଆଙ୍କ ନେତୃତ୍ବରେ ହାତୀ ସ୍କ୍ବାର୍ଡ ଓ ବାର୍‌ହା ସ୍କ୍ବାର୍ଡ ମିଶି ଏକ ଟିମ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ କରିଥିଲେ ଓ ଗୋଟିଏ ଜାଗାରେ ଖୂରା ଚିହ୍ନକୁ ଦେଖି ସ୍ପଷ୍ଟ ଜଣା ପଡୁଥିଲା ଯେ ଏହା ଚିତ୍ତା ବାଘର ପାଦ ଚିହ୍ନ ବୋଲି। ସେଥିପାଇଁ ଜଙ୍ଗଲବିଭାଗର ଅଧିକାରୀମାନେ ମଧ୍ୟ ରାତିରେ ଆସି ପେଟ୍ରୋଲିଂ କରି ସଜାଗ ରହିବେ ବୋଲି ଗ୍ରାମବାସୀଙ୍କୁ ଆଶ୍ବାସନା ପ୍ରଦାନ କରିଛନ୍ତି । ପରେ ଜଙ୍ଗଲ ବିଭାଗ ତରଫରୁ ବାଗମୁଣ୍ଡା ଗ୍ରାମରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଓ ଘରକୁ ଘର ଯାଇ ସମସ୍ତଙ୍କୁ ସଚେତନ କରିଥିଲେ ଓ ରାତିରେ ଘରୁ ନବାହାରିବାକୁ କହିଥିଲେ । ସେଥିପାଇଁ ତରବୋଡ ଅଞ୍ଚଳରେ ଏକ ପ୍ରକାର ଭାୟରବାତାବରଣ ଖେଳିଯାଇଛି ।

ସମ୍ବନ୍ଧିତ ଖବର