ଠାକୁରମୁଣ୍ଡା: ଠାକୁରମୁଣ୍ଡା ଭଣ୍ଡାରିଆ ପଞ୍ଚାୟତରେ ଆଜି ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ଉଭୟଙ୍କୁ ଠାକୁରମୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ଜଣଙ୍କୁ କଟକ ଏବଂ ଅନ୍ୟ ଜଣଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସୂଚନା ମୁତାବକ, ଭଣ୍ଡାରିଆ ଗ୍ରାମର ବସନ୍ତ ନାୟକ(୫୫) ଜଙ୍ଗଲ ନିକଟସ୍ଥ ଏକ ପୋଖରୀକୁ ଶୌଚ ହେବାକୁ ଯାଇଥିବା ବେଳେ ୩ ଟି ଭାଲୁ ତାଙ୍କୁ ଆକ୍ରମଣ କରିଥିଲେ। ଏଥିରେ ବସନ୍ତଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଠାକୁରମୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

Advertisment

ସେହିପରି ସମାନ ଘଟଣା ବାରପଉଟିଆ ଗ୍ରାମରେ ଘଟିଛି। ଗ୍ରାମର ଗୁଲିଆ ହାଁସଦା (୬୦) ସକାଳେ ନିକଟସ୍ଥ ଜଙ୍ଗଲକୁ ଶୌଚ ପାଇଁ ଯାଇଥିବା ବେଳେ ୩ ଟି ଭାଲୁ ତାଙ୍କୁ ଆକ୍ରମଣ କରିଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସୂଚନାଥାଉକି, ଏହି ସ୍ଥାନମାନଙ୍କରେ ବାରମ୍ବାର ଜଙ୍ଗଲ ଜନ୍ତୁ ଦ୍ଵାରା ଲୋକେ ଆକ୍ରମଣର ଶିକାର ହେଉଛନ୍ତି। ବହୁ ଫସଲ କ୍ଷେତ ମଧ୍ୟ କ୍ଷୟକ୍ଷତି ହେଉଛି। କେତେ ବେଳେ ଭାଲୁ ଆକ୍ରମଣ ତ କେତେବେଳେ ହାତୀ ଓ ବରହାମାନେ ଫସଲ ନଷ୍ଟ କରୁଛନ୍ତି।