ବିଶ୍ରା: କୌଣସି କାରଣରୁ ନିଜନିଜ ମଧ୍ୟରେ ସଂଘର୍ଷ କରି ପ୍ରାଣ ହରାଇଛନ୍ତି ଦୁଇଜଣ ମାଓବାଦୀ। ସେମାନଙ୍କ ମୃତଦେହ ଫୁଲଝଡ଼ି ନଦୀକୂଳରୁ ଉଦ୍ଧାର କରାଯାଇଛି। ଦୁଇ ମୃତ ମାଓବାଦୀ ହେଉଛନ୍ତି ପାର୍ବେଲ ସାଣ୍ଡି ପୂର୍ତ୍ତି ଏବଂ ଅଶୋକ ତନ୍ତୀ। ସୂଚନା ଅନୁସାରେ, ବିଶ୍ରା ବ୍ଲକ୍ ଅଧୀନସ୍ଥ ଜରେଇକେଲା ସୀମାନ୍ତରେ ଥିବା ପଶ୍ଚିମ ସିଂହଭୂମ ଜିଲ୍ଲାର ବନ୍ଧଗାଁ ଥାନା ଅଞ୍ଚଳର ଫୁଲଝଡ଼ି ନଦୀ ନିକଟରେ ଦୁଇଟି ମୃତଦେହ ପଡ଼ିଥିବା ସମ୍ପର୍କରେ ପୁଲିସ ସୂଚନା ପାଇଥିଲା। ପୁଲିସ ତଦନ୍ତ ବେଳେ ମୃତକ ଦୁଇଜଣ ପିଏଲ୍ଏଫ୍ଆଇ ମାଓ ସଂଗଠନର ସଦସ୍ୟ ବୋଲି ଜାଣିବାକୁ ପାଇଥିଲା। ପୁଲିସ ଉଭୟ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ମୃତକ ଦ୍ବୟ ପାର୍ବେଲ ସାଣ୍ଡି ପୂର୍ତ୍ତି ଓ ଅଶୋକ ତନ୍ତୀ ବୋଲି ପୁଲିସ ଚିହ୍ନଟ କରିଥିଲା।
ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ, ମୃତକ ଦ୍ବୟ ପିଏଲ୍ଏଫ୍ଆଇ ମାଓବାଦୀ ସଂଗଠନର ସଦସ୍ୟ ଥିବାବେଳେ ଉଭୟଙ୍କ ବିରୋଧରେ ଝାଡ଼ଖଣ୍ଡର ବିଭିନ୍ନ ଥାନାରେ ଅନେକ ମାମଲା ରହିଛି। ମୃତ ପାର୍ବେଲ ସାଣ୍ଡି ପୂର୍ତ୍ତି ବିରୋଧରେ ହତ୍ୟା ଓ ଅନ୍ୟାନ୍ୟ ଗୁରୁତର ମାମଲା ରହିଛି। ସେହିପରି ଅଶୋକ ତନ୍ତୀ ବିରୋଧରେ ମଧ୍ୟ ବହୁ ମାମଲା ରୁଜୁ ହେଇଛି। ମୃତଦେହ ପାଖରୁ ପୁଲିସ ଗୋଟିଏ ଦେଶୀ ପିସ୍ତଲ, ୭.୬୫ ଏମ୍ଏମ୍ର ଗୋଟିଏ ଗୁଳି, ୧୨ ଏମ୍ଏମ୍ର ୨ଟି ଗୁଳି, ୩ଟି ମୋବାଇଲ୍ ଫୋନ୍, ୪୦୨ ଟଙ୍କା, ଗୋଟିଏ କଳାରଙ୍ଗର ବ୍ୟାଗ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ପୁଲିସର କହିବା ଅନୁଯାୟୀ ପୁରୁଣା ଶତ୍ରୁତା ଯୋଗୁ ମାଓବାଦୀ ସଂଗଠନର ଏହି ଦୁଇଜଣ ସଦସ୍ୟ ପରସ୍ପର ଉପରେ ଆକ୍ରମଣ କରିଛନ୍ତି। ଉଭୟ ହାତାହାତି ଓ ପଥରରେ ଛେଚାଛେଚି ହୋଇଛନ୍ତି। ଯାହାଫଳରେ ସେମାନଙ୍କର ମୃତ୍ୟୁ ହେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/05/4hmT5PLSVwRjHZrIpSjy.jpg)