ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ ନିମପୁର ଗ୍ରାମର ବ୍ରାହ୍ମଣୀ ନଦୀ ତୁଠରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଦିନ ପ୍ରାୟ ୧୨ଟା ବେଳେ ଗାଧୋଉଥିବା ବେଳେ ଗୋଡ଼ ଖସିଯିବାରୁ ୨ଜଣ ଅଣଓଡ଼ିଆ ଶ୍ରମିକ ନଦୀରେ ଭାସି ଯାଇଛନ୍ତି। ଅନ୍ୟ ଜଣେ ଶ୍ରମିକଙ୍କୁ ପାଖରେ ଗାଧୋଉଥିବା ନିମପୁର ଗ୍ରାମର ବାଳକ ରୁଦ୍ର ପ୍ରସାଦ ମଳିକ ତାଙ୍କ ମା’ଙ୍କ ଲୁଗା ପକାଇ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି। ଅନ୍ୟପଟେ ନିଖୋଜ ଥିବା ଦୁଇ ଶ୍ରମିକଙ୍କୁ ଅଗ୍ନିଶମ କର୍ମଚାରୀ ଦିନତମାମ ଖୋଜାଖୋଜି ଚାଲିଥିଲେ ହେଁ ରାତି ସୁଦ୍ଧା ସେମାନଙ୍କ ପତ୍ତା ମିଳି ପାରିନାହିଁ। ନିଖୋଜ ଥିବା ଦୁଇ ଶ୍ରମିକ ହେଉଛନ୍ତି ଉତ୍ତରପ୍ରଦେଶ ଆଗ୍ରାର ଅଜିତ କୁମାର(୨୦) ଓ ଜାଭେଦ ଖାଁ(୨୨)।
ସୂଚନା ଅନୁସାରେ, ଆଜି ଆଗ୍ରାର ୬ ଜଣ ଯୁବକ ଏକ ମଦନପୁରଠାରେ ଏକ ସିମେଣ୍ଟ୍ କଂପାନିର କାନ୍ଥରେ ୱାଲିଂ କାମ ସାରି ମାରୁତି ଭ୍ୟାନ ଯୋଗେ କଟକକୁ ଫେରୁଥିଲେ। ଦିନ ପ୍ରାୟ ୧୨ଟା ବେଳେ ଏମାନେ ନିମପୁର (ପୋଖରୀସାହି) ସ୍ପର୍ ନିକଟରେ ବ୍ରାହ୍ମଣୀ ନଦୀରେ ଗାଧୋଇବା ପାଇଁ ଅଟକିଥିଲେ। ଗାଡ଼ିକୁ ନଦୀବନ୍ଧ ଉପରେ ରଖି ପାଞ୍ଚ ଜଣ ଯୁବକ ସ୍ପର୍ ନିକଟକୁ ଯାଇଥିଲେ। ପାଖରେ ନିମପୁର ଗ୍ରାମର ଦମୟନ୍ତୀ ମଳିକ ଓ ଅଷ୍ଟମ ଶ୍ରେଣୀରେ ପଢୁଥିବା ପୁଅ ରୁଦ୍ର ସେଠାରେ ଗାଧୋଉଥିଲେ। ନଦୀ ଗଭୀର ଓ କୁମ୍ଭୀର ଅଛନ୍ତି ବୋଲି ଦମୟନ୍ତୀ ସେମାନଙ୍କୁ ସତର୍କ କରାଇଥିଲେ। ପ୍ରଥମେ ଅଜିତ କୁମାର ନଦୀ ଭିତରକୁ ପଶିଯିବାରୁ ତାଙ୍କ ଗୋଡ଼ ଖସି ଯାଇଥିଲା। ସେ ନଦୀ ଗର୍ଭକୁ ଖସି ଯାଇଥିଲେ। ସେଠାରେ ନଦୀର ଗଭୀରତା ପ୍ରାୟ ୩୦ ଫୁଟ ଥିବା କୁହାଯାଉଛି। ବୁଡ଼ି ଯାଉଥିବା ଅଜିତଙ୍କୁ ଉଦ୍ଧାର କରିବାକୁ ଜାଭେଦ୍ ହାତ ବଢ଼ାଇବା ବେଳେ ସେ ମଧ୍ୟ ପାଣି ଭିତରକୁ ଖସି ଯାଇଥିଲେ। ଉଭୟ ଅତଳ ପାଣି ଭିତରେ ବୁଡିଯାଇଥିଲେ। ପାଣି ଭିତରେ ପଶି ଅଜିତ ଓ ଜାଭେଦ୍ଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିବା ବେଳେ ସେମାନଙ୍କ ସାଥୀ ଅସିଫ ଖାଁ ମଧ୍ୟ ବୁଡ଼ି ଯାଇଥିଲେ। ଏହି ସମୟରେ ପାଖରେ ଗାଧୋଉଥିବା ଦମୟନ୍ତୀ ଉପସ୍ଥିତ ବୁଦ୍ଧି ଖଟାଇ ନିଜ ପିନ୍ଧା ଲୁଗା ଖୋଲି (ସାୟା ପିନ୍ଧି)ପୁଅ ରୁଦ୍ରଙ୍କୁ ଦେଇଥିଲେ। ସେହି ଲୁଗା ପକାଇ ଅସିଫ୍ଙ୍କୁ ଉଦ୍ଧାର ଉଦ୍ଧାର କରିବାକୁ କହିଥିଲେ। ରୁଦ୍ର ପାଣି ଭିତରେ ଲୁଗା ପକାଇବାରୁ ଆସିଫ୍ ତାହାକୁ ଧରି ଉପରକୁ ଉଠି ଆସିଥିଲେ। ସେତେବେଳକୁ ଅଜିତ୍ ଓ ଜାଭେଦ୍ ନଦୀରେ ବୁଡ଼ି ନିଖୋଜ ହୋଇ ଯାଇଥିଲେ। ସ୍ଥାନୀୟ ଲୋକେ ଦମକଳ ବାହିନୀ ଓ ପୁଲିସକୁ ଖବର ଦେଇଥିଲେ। ଦମକଳ ବାହିନୀ ଖୋଜାଖୋଜି କରିଥିଲେ ବି ଏଯାଏ ସେମାନଙ୍କ ପତ୍ତା ମିଳିପାରିନାହିଁ। ମୃତକଙ୍କ ପରିବାରକୁ ଖବର ଦିଆଯାଇଛି। ସେମାନଙ୍କ ଅନ୍ୟ ୪ ଜଣ ସାଥୀ ଗ୍ରାମାଞ୍ଚଳ ଥାନାରେ ଆଶ୍ରୟ ନେଇଛନ୍ତି। ପଟ୍ଟାମୁଣ୍ଡାଇ ଥାନା ଆଇଆଇସି ପଦ୍ମାଳୟା ପ୍ରଧାନ ଘଟଣାସ୍ଥଳରେ ତଦନ୍ତ କରିଛନ୍ତି।
ଦମୟନ୍ତୀ ଓ ରୁଦ୍ରଙ୍କୁ ପ୍ରଶଂସା
ଉପସ୍ଥିତ ବୁଦ୍ଧି ଖଟାଇ ଜଣଙ୍କ ଜୀବନ ବଞ୍ଚାଇଥିବା ଦମୟନ୍ତୀ ଓ ରୁଦ୍ରଙ୍କୁ ଏବେ ପ୍ରଂଶସାର ସୁଅ ଛୁଟିଛି। ଅଞ୍ଚଳବାସୀ ମା’, ପୁଅଙ୍କୁ ସାବାସୀ ଦେଉଛନ୍ତି। ଦମୟନ୍ତୀ କୁହନ୍ତି, ମୁଁ ସେମାନଙ୍କୁ ସତର୍କ କରାଇଥିଲି। ତେବେ ମୋ ଆଖି ଆଗରେ ଏତେବଡ଼ ଅଘଟଣ ଘଟିଲା। ଦୁଇ ଜଣ ବୁଡ଼ିଗଲେ। ତାହା ଦେଖି ମୁଁ ହତବାକ୍ ହୋଇ ପଡ଼ିଥିଲି। ସେମାନଙ୍କୁ ଉଦ୍ଧାର କରି ପାରିଲୁନି। ତେବେ ମୁଁ ଓ ପୁଅ ମିଶି ଜଣଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିବାରୁ ଭାରି ଖୁସି ଲାଗୁଛି।