ବ୍ୟାସନଗର: ବ୍ୟାସସରୋବର ପର୍ଯ୍ୟଟନସ୍ଥଳୀ ନିର୍ମାଣ କାର୍ଯ୍ୟରେ ନିୟୋଜିତ ୨ ନାବାଳକ ଶ୍ରମିକଙ୍କ ଆଜି ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଛି। ମୃତକଦ୍ବୟ ହେଲେ, ପଶ୍ଚିମବଙ୍ଗ ମାଲଦା ଅଞ୍ଚଳର ଇନ୍ଦ୍ରଜିତ ମଣ୍ଡଲ (୧୬) ଓ ରେଜାବୁଲ ସେକ (୧୭)। ଉଭୟଙ୍କୁ ଯାଜପୁରରୋଡ୍ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।
ଭୁବନେଶ୍ୱରର କ୍ରିଷ୍ଣା ଠିକାସଂସ୍ଥା ବ୍ୟାସସରୋବର ଉନ୍ନତୀକରଣ କାମ କରୁଛି। ପଶ୍ଚିମବଙ୍ଗର ଜଣେ ଠିକାଦାର/ଦଲାଲ ଏହି ସଂସ୍ଥାକୁ ଶ୍ରମିକ ଯୋଗାଉଥିବା ଜଣାପଡ଼ିଛି। ଶ୍ରମିକମାନେ ଆଜି ସକାଳୁ କାମରେ ଲାଗିଥିଲେ। ପୂର୍ବାହ୍ନ ପ୍ରାୟ ୧୧ଟାରେ ଦୁହେଁ ମେସିନ୍ ସାହାଯ୍ୟରେ ଲୁହାରଡ୍ କାଟୁଥିବା ବେଳେ ରଡ୍କଟା ମେସିନ୍ରେ ବିଦ୍ୟୁତ୍ ଚାର୍ଜ ହୋଇଯିବାରୁ ଦୁହେଁ ଶକ୍ତ ବିଦ୍ୟୁତ୍ ଆଘାତ ପାଇ ଛିଟିକି ପଡ଼ିଥିଲେ। ଉଭୟଙ୍କୁ ଯାଜପୁରରୋଡ୍ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ୨ ନାବାଳକଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ଜଣାପଡ଼ିବା ପରେ ସେମାନଙ୍କୁ ଆଣିଥିବା ଶ୍ରମିକ ଠିକାଦାର ସେଠାରୁ ଚମ୍ପଟ ମାରିଥିଲା। କେବଳ କେତେଜଣ ସାଥୀ ଶ୍ରମିକ ସେଠାରେ ରହିଥିଲେ। ଏହାକୁ କେନ୍ଦ୍ର କରି ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଯାଜପୁରରୋଡ୍ ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଶବ ଜବତ କରିବା ସହ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ପରିବାରଲୋକଙ୍କୁ ଖବର ଦିଆଯାଇଥିବା ବେଳେ ସେମାନେ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ ନିମନ୍ତେ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯିବ ବୋଲି ଥାନା ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।