ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ ଅନ୍ତର୍ଗତ ନାକଟିସିମୋଡ଼ା ଗାଁରେ ଅଭାବନୀୟ ଘଟଣା ଘଟିଛି। ନାଲି ମାଟି ସଂଗ୍ରହ କରିବା ସମୟରେ ଅତଡ଼ା ଧସିଯିବାରୁ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି। ମୃତକ ସେହି ଗାଁର ରୁମା ଗଣ୍ଡଙ୍କ ୧୪ବର୍ଷର ଝିଅ ବୁଦୁନି ଗଣ୍ଡ ବୋଲି ସୂଚନା ମିଳିଛି। ଅନ୍ୟ ଜଣେ ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ସୂଚନା ଅନୁଯାୟୀ, ଗୁରୁବାର ସକାଳ ପ୍ରାୟ ୮ଟାରେ ଉପରୋକ୍ତ ଗାଁର ୫ଜଣ ଝିଅ ଘର ଲିପିବା ପାଇଁ ନାଲି ମାଟି ସଂଗ୍ରହ କରିବାକୁ ଗାଁ ବାହାରକୁ ଆସିଥିଲେ। ଘରଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂର ନିକଟସ୍ଥ ପାହାଡ଼କୁ ଖୋଳି ମାଟିସଂଗ୍ରହ କରୁଥିଲେ। ତେବେ, ତଳପଟୁ ‌ମାଟି ଖୋଳିବା ସମୟରେ ଉପରୁ ହଠାତ୍‌ ଗୋଟିଏ ବିରାଟ ମାଟି ଅତଡ଼ା ଧସି ଯାଇଥିଲା। ବୁଦୁନି ଏବଂ ଶିବରାତ୍ରୀ ଗଣ୍ଡଙ୍କ ଉପରେ ୧୦ଫୁଟର ମାଟି ଖଣ୍ଡ ଖସି ପଡ଼ିବାରୁ ଦୁହେଁ ପୋତି ହୋଇଯାଇଥିଲେ। ଆଖପାଖରେ ଥିବା ଗାଁର ଅନ୍ୟ ଝିଅମାନେ ଏହି ଅଘଟଣ ଦେଖିବାପରେ ତୁରନ୍ତ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ପୋତି ହୋଇଥିବା ବୁଦୁନି ଏବଂ ଶିବରାତ୍ରୀଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ହିଁ ଶ୍ବାସରୁଦ୍ଧ କାରଣରୁ ବୁଦୁନିଙ୍କ ମୃତ୍ୟୁ ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ଶିବରାତ୍ରୀଙ୍କୁ ପ୍ରଥମେ ଯୋଡ଼ିଙ୍ଗା ଡାକ୍ତରଖାନାକୁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ସତ୍ତ୍ବେ ସ୍ବାସ୍ଥ୍ୟାବସ୍ଥାରେ ବିଶେଷ ଉନ୍ନତି ପରିଲକ୍ଷିତ ନ ହେବାରୁ ଉମରକୋଟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଏଭଳି ଦୁଃଖଦ ଘଟଣା ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଖବର ପାଇ ରାଇଘର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲା। ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ରାଇଘର ଥାନାରେ ଅପମୃତ୍ୟୁ ମାମଲା ରୁଜୁ କରିଛି। ଏଏସ୍‌ଆଇ ମେନକା ସା ଏହି ଘଟଣାର ତଦନ୍ତ କରୁଛନ୍ତି।