ଭୁବନେଶ୍ବର: କାଳବୈଶାଖୀ ବର୍ଷାରେ କିଛି ପରିମାଣରେ କମିଥିବା ତାତି ପୁଣି ଫେରିଛି। ଗତ ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ାରେ ସର୍ବୋଚ୍ଚ ୪୩ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଏହି ସହର ବିଶ୍ବରେ ଅଷ୍ଟମ ସ୍ଥାନରେ ରହିଛି। ନାଇଜେରିଆ ଓ କାମେରୁନ୍‌ର ୭ଟି ସହର ତାଲିକାର ଶୀର୍ଷରେ ରହିଛନ୍ତି। 

Advertisment

ଏପଟେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ହେବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନକେନ୍ଦ୍ର ପୂର୍ବାନୁମାନ କରିଛି। ଏହି ସମୟରେ ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରି ଛୁଇଁପାରେ ବୋଲି ଆକଳନ କରାଯାଇଛି। ପ୍ରବଳ ଗ୍ରୀଷ୍ମପ୍ରବାହ ସହ ଅସହ୍ୟ ଗୁଳୁଗୁଳି ହେବା ସମ୍ଭାବନା ରହିଥିବାରୁ ଦୁଇଦିନ ପାଇଁ ୮ରୁ ୧୧ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ତେବେ ଏପ୍ରିଲ୍ ୩ କିମ୍ବା ୪ ତାରିଖରେ କେତେକ ସ୍ଥାନରେ ବର୍ଷା ହେବା ସମ୍ଭାବନା ରହିଛି। 

ଆସନ୍ତାକାଲି ପାଇଁ ସମ୍ବଲପୁର, ଝାରସୁଗୁଡ଼ା, ସୋନପୁର, ବୌଦ୍ଧ, ବଲାଙ୍ଗୀର, କଳା‌ହାଣ୍ଡି, ଅନୁଗୁଳ ଓ ଢେଙ୍କାନାଳକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଏହାଛଡ଼ା କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ବାଲେଶ୍ବର, ଭଦ୍ରକ, ଯାଜପୁରଗଜପତି ଜିଲ୍ଲାରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ। ଏହି ସମୟରେ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବଢ଼ିପାରେ। ଆଜି ୧୩ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା। ସମ୍ବଲପୁରରେ ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରି ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ ୪୧.୮, ହୀରାକୁଦରେ ୪୧.୭, ବୌଦ୍ଧ ଓ ତାଳଚେରରେ ୪୧.୨, ଭବାନୀପାଟଣା ଓ ଟିଟିଲାଗଡ଼ରେ ୪୧ ଡିଗ୍ରି ରହିଥିଲା।