ଭୁବନେଶ୍ବର: ଦକ୍ଷିଣ ଝାଡ଼ଖଣ୍ଡ ଓ ସଂଲଗ୍ନ ଅଞ୍ଚଳରେ ରହିଥିବା ଲଘୁଚାପ କ୍ଷେତ୍ର ଏବେ ଦକ୍ଷିଣ-ପଶ୍ଚିମ ଝାଡ଼ଖଣ୍ଡ ଓ ସଂଲଗ୍ନ ଉତ୍ତର ଛତିଶଗଡ଼ ଅଞ୍ଚଳରେ ରହିବ। ଏହାସହ ଜଡ଼ିତ ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୭.୬ କିମି ଉଚ୍ଚତାରେ ରହିଥିବା ବେଳେ ଏହା ଦକ୍ଷିଣ ଆଡ଼କୁ ଢଳିରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିଛି। ଆଜି ବରଗଡ଼, ସୁବର୍ଣ୍ଣପୁର, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼ ଓ ଅନୁଗୁଳ ଆଦି ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଯାଇଛି।
ସେହିଭଳି ଉପକୂଳ ଓ ସଂଲଗ୍ନ ଓଡ଼ିଶାର ପାଗ ମେଘୁଆ ରହିଥିବା ବେଳେ ମଝିରେ ମଝିରେ ବର୍ଷା ମଧ୍ୟ ହୋଇଯାଇଛି। ଆସନ୍ତାକାଲି କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଯାଜପୁର, ବରଗଡ଼, ସମ୍ବଲପୁର, ଦେବଗଡ଼, ଢେଙ୍କାନାଳ, ବଲାଙ୍ଗୀର, ସୁବର୍ଣ୍ଣପୁର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଆଦି ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଣୁ ଏହି ସବୁ ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ୪ ତାରିଖ ଦିନ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ଦେବଗଡ଼ ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏଣୁ ପାଣିପାଗ କେନ୍ଦ୍ର ପକ୍ଷରୁ ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ପାଗ ଆଶିଂକ ମେଘୁଆ ରହିବ। ବର୍ଷା ସମ୍ଭାବନା ମଧ୍ୟ ରହୁଛି। ଦିନର ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରି ଓ ସର୍ବନିମ୍ନ ରାତି ତାପମାତ୍ରା ୨୫ ଡିଗ୍ରି ରହିବ।