ରାଜ୍ୟରେ ପୁଣି ଦୁଇଟି ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ହେଲା ୨୩

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିଲା ବେଳେ ମୃତ୍ୟୁ ସଂଖ୍ୟା ବି ବଢ଼ିଚାଲିଛି। କରୋନା ଆଜି ରାଜ୍ୟରେ ଦୁଇଟି ମୁଣ୍ଡ ନେଇଛି। ଏହି ୨ ମୃତକ ଗଞ୍ଜାମ ଜିଲ୍ଲାର ବୋଲି ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଉଭୟ ମୃତ ବ୍ୟକ୍ତି ହେଉଛନ୍ତି ଗଞ୍ଜାମ ଜିଲ୍ଲାର ପୁରୁଷ। ଏମାନଙ୍କ ଭିତରୁ ଜଣଙ୍କର ବୟସ ୪୮ ଏବଂ ଅନ୍ୟଜଣଙ୍କ ୫୨ ବର୍ଷ ବୟସ୍କ ପୁରୁଷ। କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କର ମୃତ୍ୟୁ ଘଟିଛି। ଏହା ସହିତ ଗଞ୍ଜାମ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି |

ବିଭାଗ ପକ୍ଷରୁ କୁହାଯାଇଛି ଯେ, ଗଞ୍ଜାମ ଜିଲ୍ଲାର ଦୁଇଜଣ କରୋନା ପଜିଟିଭ ରୋଗୀଙ୍କର (୪୮ ବର୍ଷ ଏବଂ ୫୨ବର୍ଷ ବୟସ୍କ ପୁରୁଷ) ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଦେହାନ୍ତ ହୋଇଛି। ଏହାପୂର୍ବରୁ ଗତକାଲି ୩ ଜଣ ରୋଗୀଙ୍କର (ଗଞ୍ଜାମ, ଭୁବନେଶ୍ୱର ଏବଂ କଟକରୁ ଜଣେ) ମୃତ୍ୟୁ ହୋଇଥିଲା।

ଏବେ ରାଜ୍ୟରେ ମୋଟ୍ ୪୭୪୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦୮୬ ରହିଛି। ଅପରପକ୍ଷରେ ୨୩ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। କରୋନା ବ୍ୟତୀତ ଅନ୍ୟ ରୋଗରେ ୭ ପୀଡ଼ିତଙ୍କର ବି ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ଆଜି ପୁଣି ୨୪୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୮୫୯କୁ ବୃଦ୍ଧି ପାଇଛି।  ଏମାନଙ୍କ ଭିତରୁ ୩୧ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୨୧୪ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର