ରାଉରକେଲା/କୋଇଡ଼ା/ରାଜାମୁଣ୍ଡା: ସାରା ଦେଶ ମାତୃପୂଜାରେ ମଗ୍ନ ଥିବାବେଳେ ପାର୍ବଣ ସନ୍ଧ୍ୟାରେ ଦୁଇଜଣ ମହିଳା ହତ୍ୟାର ଶିକାର ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଓ ଲହୁଣିପଡ଼ା ଅଞ୍ଚଳରେ ଘଟିଛି ଏହି ନୃଶଂସ ହତ୍ୟାକାଣ୍ଡ। ପ୍ରଥମ ଘଟଣାରେ ଖାଇବାକୁ ନ ଦେବାରୁ ପତ୍ନୀଙ୍କୁ ହତ୍ୟା କରାଯାଇଥିବା ବେଳେ ଦ୍ବିତୀୟ ଘଟଣାରେ ଜମି ବିବାଦକୁ କେନ୍ଦ୍ର କରି ମହିଳା ହତ୍ୟାର ଶିକାର ହୋଇଛନ୍ତି। ପୁଲିସ ଉଭୟ ଘଟଣାରେ ମାମଲା ରୁଜୁ କରି ତଦନ୍ତ କରୁଛି।
ଖାଇବାକୁ ନ ଦେବାରୁ ପତ୍ନୀଙ୍କୁ ମାରିଦେଲା
ଜମି ବିବାଦ ପାଇଁ ମହିଳାଙ୍କ ପ୍ରାଣ ନେଲେ
ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ କୋଇଡ଼ା ଥାନା କନ୍ତରକୋଇଡ଼ା ବସ୍ତିର ନୀଳ ମହାକୁଡ଼ (୪୫) ଘରକୁ ଫେରି ସ୍ତ୍ରୀ ମଙ୍ଗୁଳି ମୁଣ୍ଡା (୪୦)ଙ୍କୁ ଖାଇବାକୁ ମାଗିଥିଲେ। ହେଲେ ବିଳମ୍ବ ହେବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ନୀଳ ଏକ ଟାଙ୍ଗିଆରେ ମଙ୍ଗୁଳିଙ୍କୁ ହାଣି ଦେଇଥିଲା। ଖବର ପାଇ କୋଇଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି। ଏ ନେଇ କୋଇଡ଼ା ଥାନାରେ ୧୩୦ ନମ୍ବର ମାମଲା ରୁଜୁକରି ପୁଲିସ ତଦନ୍ତ କରୁଛି।
ସେହିପରି ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଲହୁଣିପଡା ଥାନା ଅନ୍ତର୍ଗତ ଶସ୍ୟକଳା ପଞ୍ଚାୟତ ଟିଙ୍କୋ ଗ୍ରାମରେ ଶୁକ୍ରବାର ସନ୍ଧ୍ୟାରେ ଜଣେ ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ପୁଲିସ ସୂତ୍ରରୁ ପ୍ରକାଶ, କମଲ ସିଂ ଓ ତାଙ୍କର ସମ୍ପର୍କୀୟ ବଡ଼ଭାଇଙ୍କ ପରିବାର ମଧ୍ୟରେ ଜମିଜାଗାକୁ ନେଇ ବିବାଦ ଥିଲା। ସେଥିପାଇଁ ଉଭୟ ପରିବାର ମଧ୍ୟରେ ଅନେକ ସମୟରେ ଝଗଡ଼ା ହୋଇଥାଏ। ଆଜି ସନ୍ଧ୍ୟାରେ କମଲଙ୍କ ସ୍ତ୍ରୀ ସହଦରୀ (୪୨) ଉକ୍ତ ଜମିକୁ ଯାଇଥିଲେ। ଫଳରେ ଝଗଡ଼ା ଆରମ୍ଭ ହୋଇଥିଲା। ଝଗଡ଼ା ଏତେ ଭୟଙ୍କର ହୋଇଥିଲା ଯେ, ଅପରପକ୍ଷ ବାରିସୀରେ ସହଦରୀଙ୍କୁ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଏ ନେଇ ପୁଲିସକୁ ସୂଚନା ଦିଆଯାଇଥିଲା। ଖବର ଲେଖାହେବା ସୁଦ୍ଧା ସବିଶେଷ ତଥ୍ୟ ମିଳିପାରିନାହିଁ।