ଭୁବନେଶ୍ୱରରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ, ଓଡ଼ିଶାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୩କୁ ବୃଦ୍ଧି

ଭୁବନେଶ୍ୱର : ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି । ରବିବାରଦିନ ଆଉ ଦୁଇ ଜଣ କରୋନା ପଜିଟିଭ୍ ଭୁବନେଶ୍ୱରରେ ଚିହ୍ନଟ ହୋଇଛନ୍ତି । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ୭୦ ବର୍ଷ ବୟସ୍କ ବୃଦ୍ଧ ହୋଇଥିବାବେଳେ ସେ କପିଳ ପ୍ରସାଦ ହାଉସିଂ ବୋର୍ଡ କଲୋନୀ ଫେଜ-୨ ଅଞ୍ଚଳରେ ରହୁଛନ୍ତି । ସେ ଅଷ୍ଟ୍ରେଲିଆରୁ ଫେରିବା ପରେ ମାର୍ଚ୍ଚ ୨୨ରୁ ଘରେ ଏକାନ୍ତବାସରେ ରହୁଥିଲେ । ତାଙ୍କ ନମୁନା ଆଜି ପଜିଟିଭ ବାହାରିଛି । ସେହିପରି ଅନ୍ୟଜଣକ ବମିଖାଲ ଅଞ୍ଚଳର ଜଣେ ୨୯ ବୟସ୍କ ଯୁବକ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଟ୍ୱିଟ କରି ସୂଚନା ଦିଆଯାଇଛି । ପୂର୍ବରୁ ବମିଖାଲରୁ ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଏହା ହେଉଛି ୪ର୍ଥ ମାମଲା ।

 

ଏହି ଦୁଇଟି ନୂଆ ମାମଲାକୁ ମିଶାଇ ଓଡ଼ିଶାର ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୩ କୁ ବୃଦ୍ଧି ପାଇଛି । ଏହା ମଧ୍ୟରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ସକ୍ରିୟ ମାମଲା ସଂଖ୍ୟା ୨୧ ରହିଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଏହାକୁ ଦୃଷ୍ଟିରେ ରଖି ସରକାର ଗତ ଶୁକ୍ରବାରଠାରୁ ରାଜ୍ୟର ଭୁବନେଶ୍ୱର, କଟକ ଓ ଭଦ୍ରକରେ ସଟଡାଉନ ଘୋଷଣା କରିଥିଲେ । ଆଜି ରାତି ୮ଟାରେ ଏହା ଶେଷ ହେଉଛି ।

ସମ୍ବନ୍ଧିତ ଖବର