କଟକ: ଓଡ଼ିଶା ହାଇକୋର୍ଟର ଦୁଇ ନୂତନ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ୍ ଶିବଶଙ୍କର ମିଶ୍ର ଓ ଜଷ୍ଟିସ୍ ଆନନ୍ଦ ଚନ୍ଦ୍ର ବେହେରା। ଉଭୟଙ୍କୁ ହାଇକୋର୍ଟ ନୂଆ କନଫରେନ୍ସ ହଲ୍ରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ଉତ୍ସବ ଶପଥପାଠ କରାଇଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଶୁଭାଶିଷ ତାଳପତ୍ର। ଦୁଇ ନୂଆ ବିଚାରପତିଙ୍କ ଶପଥ ଗ୍ରହଣ ପରେ ଓଡ଼ିଶା ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କ ସମେତ ବିଚାରପତିଙ୍କ ସଂଖ୍ୟା ୨୨ରେ ପହଞ୍ଚିଛି। ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଦେଓରଂଜନ କୁମାର ସିଂହ ବିଚାରପତିଙ୍କ ନିଯୁକ୍ତି ସମ୍ପର୍କିତ ଆଦେଶନାମା ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ହାଇକୋର୍ଟର ସମସ୍ତ ବିଚାରପତି, ପୂର୍ବତନ ବିଚାରପତି, ରାଜସ୍ଥାନ ଓ ତ୍ରିପୁରା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଇନ୍ଦ୍ରଜିତ ମହାନ୍ତି, ରାଜ୍ୟ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ଆଡଭୋକୋଟ୍ ଜେନେରାଲ୍ ଅଶୋକ କୁମାର ପରିଜା, ପୁଲିସ କମିସନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ, ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ, ଡିସିପି ପିନାକ ମିଶ୍ର, ହାଇକୋର୍ଟ ବାର୍ ଆସୋସିଏସନ୍ ସଭାପତି ଧରଣୀଧର ନାୟକଙ୍କ ସହିତ ଶତାଧିକ ଆଇନଜୀବୀ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, ୨୦୨୩ ଅଗଷ୍ଟ ୧୭ରେ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ବିଶିଷ୍ଟ ଆଇନଜୀବୀ ଶ୍ରୀ ମିଶ୍ର ଓ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଶ୍ରୀ ବେହେରାଙ୍କ ନାଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଥିବା ବେଳେ ଉଭୟଙ୍କ ନିଯୁକ୍ତି ନେଇ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଶ୍ରୀ ମିଶ୍ର ଓ ଶ୍ରୀ ବେହେରାଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ରାଷ୍ଟ୍ରପତି ନିଯୁକ୍ତି ପ୍ରଦାନ କରିଥିବା ନେଇ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା।
ଜଷ୍ଟିସ୍ ଶିବଶଙ୍କର ମିଶ୍ର ଜୟପୁର ଠାରେ ୧୯୬୮ ମେ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସ୍ବର୍ଗତ ଅନଙ୍ଗଭୀମ ମିଶ୍ର ଓ ସ୍ବର୍ଗତ ଶଶିରେଖା ମିଶ୍ରଙ୍କ ପୁଅ ଶିବଶଙ୍କର କୋରାପୁଟର ଜୟପୁର ଲ କଲେଜରୁ ଏଲଏଲବି ଡିଗ୍ରି ହାସଲ କରିଥିଲେ। କୋରାପୁଟ ଜିଲ୍ଲାର ପ୍ରଥମ ବ୍ୟକ୍ତିଭାବେ ସେ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି। ଜଷ୍ଟିସ୍ ମିଶ୍ର ୧୯୯୧ ଡିସେମ୍ବର ୭ରେ ଆଇନଜୀବୀ ଭାବେ ପଞ୍ଜୀକୃତ ହୋଇଥିବା ବେଳେ ତାଙ୍କର ଏହି ପେସାରେ ୩୦ ବର୍ଷର ଅନୁଭବ ରହିଛି। ଦେୱାନୀ, ଫୌଜଦାରୀ ଓ ଚାକିରି ସଂପର୍କିତ ଆଇନରେ ତାଙ୍କ ବିଶେଷ ଦକ୍ଷତା ରହିଛି। ସୁପ୍ରିମକୋର୍ଟରେ ସେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆଡଭୋକେଟ ଅନ୍ ରେକର୍ଡ ଅଛନ୍ତି। ସେ ଓଡ଼ିଶା ହାଇକୋର୍ଟ ଓ କେନ୍ଦ୍ର ସରକାରଙ୍କ ପାଇଁ ସୁପ୍ରିମକୋର୍ଟରେ ଆଇନଜୀବୀ ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି।
ସେହିଭଳି ଜଷ୍ଟିସ୍ ଆନନ୍ଦ ଚନ୍ଦ୍ର ବେହେରା ୧୯୬୪ ମେ ୨୩ରେ ଜନ୍ମଗ୍ରହଣ କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ସେ ବରିଷ୍ଠ ବିଚାରବିଭାଗୀୟ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି। ଜଷ୍ଟିସ୍ ବେହେରା ରାଜ୍ୟ ଭିଜିଲାନ୍ସରେ ଲିଗାଲ ଆଡଭାଇଜର ଭାବେ କାର୍ଯ୍ୟରତ ଥିବା ବେଳେ ସୁପ୍ରିମକୋର୍ଟ କଲେଜିୟମ ତାଙ୍କ ନାଁ ସୁପାରିସ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/9b932cfb-3b6d-4ee5-b130-e1e94d317b79.jpeg)