ଫେବ୍ରୁଆରି ୧୧ ଓ ୧୨ରୁ ରାଜ୍ୟରେ ଚାଲିବ ଦୁଇଟି ନୂଆ ମେମୁ ଟ୍ରେନ୍

ଭୁବନେଶ୍ୱର: ରେଳ ଯାତ୍ରୀଙ୍କ ସୁବିଧା ପାଇଁ ୨ଟି ନୂଆ ମେମୁ ଟ୍ରେନ ଚାଲିବା ନେଇ ଘୋଷଣା କରାଯାଇଛି | ଫେବୃୟାରୀ ୧୧ ତାରିଖରୁ ପୁରୀ-ଅନୁଗୁଳ-ପୁରୀ ନୂଆ ମେମୁ ଟ୍ରେନ୍‌ ଚାଲିବାକୁ ଥିବାବେଳେ ଏହା ରାଜ୍ୟର ଦୀର୍ଘତମ ମେମୁ ଟ୍ରେନ ହେବ | ଏଥିରେ ୧୬ଟି ବଗି ରହିବ | ସେହିପରି ଫେବୃୟାରୀ ୧୨ ତାରିଖରୁ କେନ୍ଦୁଝରଗଡ଼ ପାସେଞ୍ଜର ଟ୍ରେନ୍‌ ମେମୁ ଟ୍ରେନ୍‌ ଭାବେ ପରିଗଣିତ ହେବ | ଅଧିକ ଯାତ୍ରୀଙ୍କ ସମୟାନୁବର୍ତ୍ତୀ ପରିବହନ ପାଇଁ ପୂର୍ବତଟ ରେଳ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି | ଏଠାରେ ସୂଚନ ଥାଉ କି ମେନ୍‌ଲାଇନ୍‌ ଇଲେକ୍ଟ୍ରିକ୍‌ ମଲ୍ଟିପଲ୍‌ ୟୁନିଟ୍‌ (ମେମୁ) ଟ୍ରେନ୍‌ ଭାରତୀୟ ରେଳ ପକ୍ଷରୁ ସେମିଅର୍ବାନ୍‌ ଓ ଗ୍ରାମୀଣ କ୍ଷେତ୍ରରେ ଚଳାଚଳ କରିବା ନିମନ୍ତେ ନିର୍ମିତ ହୋଇଛି।

ଏହି ଟ୍ରେନ୍‌ରେ ଏୟାର୍‌ ସ୍ପ୍ରିଙ୍ଗ୍‌ ସହିତ ସେକେଣ୍ଡାରି ସସ୍ପେନସନ୍‌ ଲାଗିଥିବାରୁ ସାଧାରଣ ପାସେଞ୍ଜର୍‌ ଟ୍ରେନ୍‌ ଅପେକ୍ଷା ଏଥିରେ ଯାତ୍ରା କରିବା ଅଧିକ ସୁଖଦ ଓ ଆରାମଦାୟକ। ଡିଜେଲ୍‌ ଚାଳିତ ପାସେଞ୍ଜର୍‌ ଟ୍ରେନ୍‌ ତୁଳନାରେ ମେମୁ ଟ୍ରେନ୍‌ର ବଗି ଗୁଡ଼ିକ ଅଧିକ ପ୍ରଶସ୍ତ। ଏହି ଟ୍ରେନ୍‌ର ପ୍ରତି ବଗିରେ ୮୦ ଜଣ ଯାତ୍ରୀ ବସିପାରିବେ। ସେହିପରି ୧୬୦ ଜଣ ଯାତ୍ରୀ ଠିଆ ହୋଇ ଯାତ୍ରା କରିପାରିବା ଭଳି ବ୍ୟବସ୍ଥା ହୋଇଛି। ସାଧାରଣ ପାସେଞ୍ଜର୍‌ ଟ୍ରେନ୍‌ ତୁଳନାରେ ମେମୁ ଟ୍ରେନ୍‌ କ୍ଷୀପ୍ର ଗତିରେ ଯାତ୍ରା କରିପାରିବ।

ଏହା ଘଣ୍ଟାକୁ ୧୦୦କିମି ବେଗରେ ଗତି କରିପାରିବ। ଯାହାକି ପାସେଞ୍ଜର୍‌ ଟ୍ରେନ୍‌ ଅପେକ୍ଷା ଯଥେଷ୍ଟ ଅଧିକ। ସେହିପରି ମେମୁ ଟ୍ରେନ୍‌ ଖୁବ୍‌ କମ୍‌ ସମୟ ମଧ୍ୟରେ ପିକ୍‌ଅପ୍‌ ନେଇପାରିବ। ସାଧାରଣ ପାସେଞ୍ଜର୍‌ ଟ୍ରେନ୍‌ଗୁଡ଼ିକ ଷ୍ଟେସନ୍‌ରେ ରହିବା ନିମନ୍ତେ ଯଥେଷ୍ଟ ପୂର୍ବରୁ ବ୍ରେକ୍‌ ମାରିଥାଆନ୍ତି। ମାତ୍ର ମେମୁ ଟ୍ରେନ୍‌ର ବ୍ରେକ୍‌ ମାରିବା ଦୂରତା ଖୁବ୍‌ କମ୍‌। ଶୀଘ୍ର ବେଗକୁ ଆସୁଥିବାରୁ ଏହା ନିର୍ଦ୍ଧାରିତ ସମୟ ମଧ୍ୟରେ ଯାତ୍ରା କରିପାରିବାର କ୍ଷମତା ରଖୁଛି।

ସମ୍ବନ୍ଧିତ ଖବର