ଓଡ଼ିଶା ସରକାରଙ୍କ ପକ୍ଷରୁ ୫୬୩ କୋଟି ଟଙ୍କାର ୨ଟିି ନୂତନ ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର: ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତି ସୁଯୋଗର ଅଭିବୃଦ୍ଧି କ୍ଷେତ୍ରରେ ଅନ୍ୟ ଏକ ପଦକ୍ଷେପ ସ୍ୱରୂପ ଆଜି ରାଜ୍ୟ ସରକାର ୫୬୩ କୋଟି ଟଙ୍କାର ୨ଟି ନୂଆ ପୁଞ୍ଜିନିବେଶ ପ୍ରକଳ୍ପ ପ୍ରସ୍ତାବକୁ ୯୦ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ନୀତିଗତ ଅନୁମୋଦନ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ଅନୁଷ୍ଠିତ ଏକ ବୈଠକରେ, ଶିଳ୍ପ କମିସନର ତଥା ସଚିବ ହେମନ୍ତ ଶର୍ମାଙ୍କ ସହାୟତାରେ ଏହି ପ୍ରକଳ୍ପଗୁଡ଼ିକୁ ଅନୁମୋଦନ ଦିଆଯାଇଛି।  ନିବେଶ ପ୍ରସ୍ତାବ ପ୍ଲାଷ୍ଟିକ ଏବଂ ଇସ୍ପାତ ଏବଂ ଭିତ୍ତି ସଂରଚନା ଉପରେ ପର୍ଯ୍ୟବସିତ ଥିଲା । ଏହି ୨ଟି ପ୍ରକଳ୍ପରେ ୧୨୭୩ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ।

ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ୍ ଅଥରିଟି ପକ୍ଷରୁ ଗ୍ଲେନ୍ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିମିଟେଡକୁ ବାର୍ଷିକ ୯୨୬୧ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ପ୍ଲାଷ୍ଟିକ ଫୁଡ କଣ୍ଟେନର ଏବଂ ମଡ୍ୟୁଲଡ ପେପର୍ ତିଆରି କରିବା କାର୍ଯ୍ୟ ନିମନ୍ତେ ୬୩ କୋଟି ଟଙ୍କାର ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇଛି । ଏଠାରେ ୨୭୩ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।

ସେହିପରି ରାଜ୍ୟର ଇସ୍ପାତ କ୍ଷେତ୍ରରେ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ୍ ଅଥରିଟି ପକ୍ଷରୁ ବାର୍ଷିକ ୭୫୦୦୦ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଆଲୁମିନିୟମ ଏକ୍ସଟ୍ରୁକସନ ପ୍ଲାଣ୍ଟର ସମ୍ପ୍ରସାରଣ ନିମନ୍ତେ ଜିନ୍ଦଲ ଆଲୁମିନିୟମ ଲିମିଟେଡକୁ ଅତିରିକ୍ତ ୫୦୦ କୋଟି ଟଙ୍କାର ଏକ ନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହାଦ୍ୱାରା ୧୦୦୦ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ସମ୍ବନ୍ଧିତ ଖବର