ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲା ଅନ୍ତର୍ଗତ ଆବୁଝମାଡ଼ ଜଙ୍ଗଲରେ ପୁଣି ପୁଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଦୁଇ ଦୁର୍ଦ୍ଦାନ୍ତ ନକ୍ସଲ ନିହତ ହୋଇଛନ୍ତି। ସେମାନେ ହେଲେ କେନ୍ଦ୍ରୀୟ କମିଟି ସଦସ୍ୟ ରାଜୁ ଦାଦା ଓରଫ କଟା ରାମଚନ୍ଦ୍ର ରେଡ୍ଡୀ ଓରଫ ଗୁଡ଼ସା ଉସେଣ୍ଡି ଓରଫ ବିଜୟ ଓରଫ ବିକଳ୍ପ (୬୩) ଏବଂ କୋସା ଦାଦା ଓରଫ କାଡ଼ାରି ସତ୍ୟନାରାୟଣ ରେଡ୍ଡୀ ଓରଫ ଗୋପନ୍ନା ଓରଫ ବୁଚାନ୍ନା (୬୭)। ଉଭୟଙ୍କ ମୁଣ୍ଡରେ ଛତିଶଗଡ଼ ସରକାର ୪୦ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଥିଲେ। ଘଟଣାସ୍ଥଳରୁ ଗୋଟିଏ ଏକେ-୪୭ ରାଇଫଲ୍, ଗୋଟିଏ ଇନ୍ସାସ୍ ରାଇଫଲ୍, ଗୋଟିଏ ବିଜିଏଲ୍ ଲଞ୍ଚର, ବିପୁଳ ପରିମାଣର ବିସ୍ଫୋରକ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି।
ଆବୁଝମାଡ଼ ଜଙ୍ଗଲରେ ନକ୍ସଲ କ୍ୟାମ୍ପ କରି ରହିଥିବା ପୁଲିସକୁ ସୂଚନା ମିଳିଥିଲା। ତେଣୁ ଜିଲ୍ଲା ପୁଲିସ, ଡିଆର୍ଜି ଏବଂ ଏସ୍ଟିଏଫ୍ ଯବାନ କମ୍ବିଂ ଅପରେସନ୍ରେ ବାହାରିଥିଲେ। ଆଜି ସକାଳୁ ନକ୍ସଲ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପ୍ରାୟ ଦୁଇ ଘଣ୍ଟା ଧରି ଏହି ଗୁଳି ବିନିମୟ ଚାଲିଥିଲା ବୋଲି ସୂଚନା ମିଳିଛି। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍ ସମୟରେ ୨ଜଣ ଦୁର୍ଦ୍ଦାନ୍ତ ନକ୍ସଲଙ୍କ ମୃତଦେହ ଜବତ ହୋଇଛି। ଦୁହେଁ କେନ୍ଦ୍ରୀୟ କମିଟିର ସଦସ୍ୟ ଥିଲେ। ଉଭୟ ତେଲେଙ୍ଗାନା ରାଜ୍ୟ କରିମନଗର ବାସିନ୍ଦା ବୋଲି ଜଣାପଡ଼ିଛି। ଦଣ୍ଡକାରଣ୍ୟ ସ୍ୱତନ୍ତ୍ର ଜୋନାଲ୍ କମିଟିରେ ତିନି ଦଶନ୍ଧିରୁ ଅଧିକ ସମୟ ଧରି ଦୁହେଁ ସକ୍ରିୟ ରହି ଅନେକ ହିଂସାର ମାଷ୍ଟରମାଇଣ୍ଡ୍ ଥିଲେ। ଏହି ଘଟଣା ପରେ ସର୍ଚ୍ଚ ଅପରେସନକୁ ଜୋର୍ଦାର କରାଯାଇଛି ବୋଲି ନାରାୟଣପୁର ପୁଲିସ ଅଧୀକ୍ଷକ ରବିନ ସନ୍ ସୂଚନା ଦେଇଛନ୍ତି।