ଛତିଶଗଡ଼ ପୁଲିସ୍‌ ଗୁଳିମାଡ଼ରେ ୨ ଓଡ଼ିଆ ମୃତ

ଛତିଶଗଡ଼ ପୁଲିସ୍‌ କହୁଛି ମାଓ ସମର୍ଥକ, ମହୁ ସଂଗ୍ରହ ପାଇଁ ଯାଇଥିଲେ: ଗ୍ରାମବାସୀ

ରାଇଘର : ଛତିଶଗଡ଼ ପୁଲିସ୍‌ ନବରଙ୍ଗପୁରର ୨ ଆଦିବାସୀ ଯୁବକଙ୍କୁ ଗୁଳିକରି ହତ୍ୟା କରିଛି। ମୃତ ଯୁବକଙ୍କ ଗାଁ ଲୋକ ଏହିଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। କହିଛନ୍ତି ଯେ, ଦୁହେଁ ମହୁ ସଂଗ୍ରହ କରିବା ପାଇଁ ଯାଇଥିଲା ବେଳେ ପୁଲିସ୍‌ ଗୁଳିର ଶିକାର ହୋଇଛନ୍ତି। ଅନ୍ୟପକ୍ଷରେ ମୃତ ୨ ଯୁବକ ମାଓ ସମର୍ଥକ ବୋଲି ଛତିଶଗଡ଼ ପୁଲିସ୍‌ ଦାବି କରିଛି। ଏହି ଘଟଣାକୁ ନେଇ ଛତିଶଗଡ଼ ପୁଲିସ୍‌ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି।

ମୃତ ଯୁବକ ଦ୍ବୟ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର କୁନ୍ଦେଇ ଥାନା ଅନ୍ତର୍ଗତ ସେମରଡିହି ଗ୍ରାମର ସହଦେବ ଗଣ୍ଡ(୨୮) ଓ ବୁଧେ ସିଂ କମାର(୨୯)। ସେମରଡିହି ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗତ ବୁଧବାର ସକାଳ ପ୍ରାୟ ୮ଟାରେ ଏହି ଗ୍ରାମର ସ‌ହଦେବ ଗଣ୍ଡ ଓ ବୁଧେ ସିଂ କଲାରଙ୍କ ସହ ଛତିଶଗଡ଼ ରାଜ୍ୟର ସାଲେଭାଟ୍ଟା ଗ୍ରାମର ଚୟତରାମ କମାର, ଠାକୁରାମ କମାର ଓ ସୁରେନ କମାର ମହୁ ସଂଗ୍ରହ କରିବାକୁ ନିକଟରେ ଥିବା ଛତିଶଗଡ଼ର ଗରଞ୍ଜି ଜଙ୍ଗଲକୁ ଯାଇଥିଲେ। ସଂଧ୍ୟାରେ ଠାକୁରାମ ଓ ସୁରେନ ଘରକୁ ଫେରି ଆସିଥିବା ବେଳେ ସହଦେବ, ବୁଧେ ସିଂ ଓ ଚୟତରାମ ରାତିରେ ଜଙ୍ଗଲରେ ରହି ଯାଇଥିଲେ। ବୁଧବାର ରାତି ପ୍ରାୟ ୩ଟାରେ ଏହି ୩ ଜଣ ଟର୍ଚଲାଇଟ୍ ପକାଇ ମହୁ ସଂଗ୍ରହ କରିବାକୁ ଜଙ୍ଗଲ ଭିତ‌ରେ ବୁଲୁଥିବା ସମୟରେ ହଠାତ୍ ଗୁଳିମାଡ଼ ହୋଇଥିଲା। ଗୁଳି ଶବ୍ଦ ଶୁଣି ଚୟତରାମ ତଳେ ‌‌ଶୋଇପଡ଼ିବା ସହ କୌଶଳ କ୍ରମେ ସେଠାରୁ ଖସି ଆସିଥିଲେ। କିନ୍ତୁ ଗୁଳିମାଡ଼ରେ ଜଙ୍ଗଲ ଭିତରେ ହିଁ ସହଦେବ ଓ ବୁଧେ ସିଂଙ୍କ ମୃତ୍ୟୁ ହୋଇଯାଇଥିଲା।

ଏହି ଗୁଳିମାଡ଼ରୁ ବର୍ତି ଯାଇଥିବା ଚୟତରାମ ଗୁରୁବାର ସକାଳୁ ଜଙ୍ଗଲକୁ ଯିବା ସମୟରେ ସହଦେବ ଓ ବୁଧେ ସିଂ ଶବ ପଡିଥିବା ଦେଖିବାକୁ ପାଇଥିଲେ।

ଏନେଇ ସେମରଡିହି ଗ୍ରାମବାସୀ ଛତିଶଗଡ଼ର ବୋରେଇ ଥାନାରେ ଅଭିଯୋଗ କରିବା ପରେ ଧମତରୀ ଡିଏସପି କମଲେଶ ଚନ୍ଦ୍ରାଙ୍କ ନେତୃତ୍ବରେ ଜିଲ୍ଲା ପୁଲିସ ଫୋର୍ସ, ଫରେନ୍ସିକ ଟିମ୍ ଓ ବୋମ୍ ଡିଫ୍ୟୁଜ୍ ଟିମ୍‌ଙ୍କ ସମେତ ନଗରୀ ତହସିଲଦାର ମାଜିଷ୍ଟ୍ରେଟ୍ ଦାୟିତ୍ବରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ଘଟଣାସ୍ଥଳରୁ ବୁଧେ ସିଂ ଓ ସହଦେବଙ୍କ ଗୁଳିବଦ୍ଧ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ନଗରୀକୁ ନେଇ ଯାଇଥିଲେ।

ଅନ୍ୟପଟେ ଘଟଣାସ୍ଥଳରୁ ମାତ୍ର ୨ଶହ ମିଟର ଦୂରରେ ୨ଟି ଦେଶୀ ବନ୍ଧୁକ, ପଟି ପ୍ଲାଷ୍ଟିକ ଡବା, ମାଓ ବ୍ୟାନର ଓ କିଛି ମାଓ ସାମଗ୍ରୀ ଜବତ କରାଯାଇଥିବା ଡିଏସ୍‌ପି ଶ୍ରୀ ଚନ୍ଦ୍ରା ସୂଚନା ଦେଇଛନ୍ତି। ଶବ ବ୍ୟବଚ୍ଛେଦ ପରେ ଓ ଫରେନ୍‌ସିକ ରିପୋର୍ଟ ପରେ ହିଁ ଉଭୟ ଯୁବକ ମାଓବାଦୀ ନା’ ଯବାନଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି ତାହା ସ୍ପଷ୍ଟ ହେବ ବୋଲି ମଧ୍ୟ ଡିଏସ୍‌ପି କହିଛନ୍ତି।

ଆହୁରି ମଧ୍ୟ ଜଣାପଡ଼ିଛି ଯେ, ଏହି ସମୟରେ ସିଆରପିଏଫ ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନ ଚାଲିଥିବାବେଳେ ଗୁଳି ମାଡ଼ରେ ସିଆରପିଏଫ ଯବାନ ହରିଶ୍ଚନ୍ଦ୍ର ସିଂଙ୍କ ମୃତ୍ୟୁ ଘଟିଛି। ସେହିପରି ଅନ୍ୟଜଣେ ସିଆରପିଏଫ ଯବାନ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ଏହି ରାତିରେ ଦୀର୍ଘ ୩ଘଣ୍ଟା ଧରି ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର