ବୁର୍ଲା: ଆଜି ଅପରାହ୍ଣରେ ହୀରାକୁଦ ଜଳଭଣ୍ଡାରର ଝାଙ୍କରାଣୀ ମନ୍ଦିର ନିକଟରେ ଏମ୍ସିଏଲ୍ର ୨ ଜଣ ଅଧିକାରୀ ବୁଡ଼ି ଯାଇଥିବା ଅନ୍ୟ ଜଣେ ଅଧିକାରୀଙ୍କୁ ଉଦ୍ଧାର କରାଯାଇଛି। ରାତି ୧୦ଟା ସୁଦ୍ଧା ଅନ୍ୟ ଦୁଇ ଜଣଙ୍କ ନିଖୋଜ ଅଛନ୍ତି। ସେମାନେ ହେଲେ ମହେଶ ଚିତ୍ତୁରି ଓ ଅଭିଷେକ କୁମାର। ମହେଶ ମାଇନିଂ ମ୍ୟାନେଜର ଓ ଅଭିଷେକ କୁମାର ଏକ୍ସାଭେସନ ମ୍ୟାନେଜର ପଦରେ ଅବସ୍ଥାପିତ। ଉଦ୍ଧାର ହୋଇଥିବା ଅଧିକାରୀ ଅବିନେଶ ରାୟ ଓ ସେ ମଧ୍ୟ ଏକ୍ସାଭେସନ ମ୍ୟାନେଜର ଭାବେ ଏମ୍ସିଏଲ୍ ମୁଖ୍ୟାଳୟରେ ଅବସ୍ଥାପିତ ଥିବା ଜଣାପଡ଼ିଛି।
ପୁଲିସ୍ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ଅପରାହଣରେ ଗୋଟିଏ କାର୍ରେ ଏମ୍ସିଏଲ୍ରେ କାର୍ଯ୍ୟରତ ଚାରିଜଣ ଅଧିକାରୀ ହୀରାକୁଦ ଜଳଭଣ୍ଡାରକୁ ବୁଲିବାକୁ ଆସିଥିଲେ। ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ସମୟରେ ସେମାନେ ଗାଧୋଇବାକୁ ପାଣି ଭିତରକୁ ପଶି ଥିଲେ। ଗାଧୋଉଥିବା ବେଳେ ଗଭୀର ପାଣିକୁ ଚାଲି ଯାଇିଥିଲେ। ସେମାନଙ୍କ ମଧ୍ୟରୁ ସୌରଭ ସାହାଣୀ ନିଜେ ପାଣି ଭିତରୁ ଚାଲି ଆସିଥିବା ବେଳେ ଅବିନେଶ ରାୟ, ମହେଶ, ଅଭିଷେକ ବୁଡ଼ି ଯାଇଥିଲେ।
ତେବେ, ଖବର ପାଇ ସ୍ଥାନୀୟ ବୋଟିଂ କ୍ଲବର ସୁରକ୍ଷା କର୍ମୀମାନେ ସେଠାରେ ପହଞ୍ଚି ଅବିନେଶଙ୍କୁ ଉଦ୍ଧାର କରିବାକୁ ସକ୍ଷମ ହୋଇଥିଲେ। ମହେଶ ଓ ଅଭିଷେକ ପାଣି ବୁଡ଼ି ଯାଇଥିଲେ। ତୁରନ୍ତ ଅଗ୍ନିଶମ ବାହିନୀ ଏବଂ ପୁଲିସକୁ ସୂଚନା ଦିଆଯାଇଥିଲା। ଅଗ୍ନିଶମବାହିନୀ ଘଟଣସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ। କିନ୍ତୁ, ଅନ୍ଧାର ହୋଇଯାଇଥିବାରୁ ସମସ୍ୟା ଦେଖାଦେଇଥିଲା। ଆସନ୍ତାକାଲି ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିବ ବୋଲି ପୁଲିସ୍ ସୂତ୍ରରୁ ସୂଚନା ମିଳିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ପୁଲିସ୍ ଟିମ୍ ଘଟଣସ୍ଥଳରେ ଥିବା ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ ଯେ, କିଛି ବର୍ଷ ଆଗରୁ ହୀରାକୁଦ ଜଳଭଣ୍ଡାରରେ ଉପରୋକ୍ତ ସ୍ଥାନରେ ବୁଡ଼ି ଯାଇ ୩ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା।