ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁଇ ସରକାରୀ କର୍ମଚାରୀଙ୍କ ମୃତ୍ୟୁ

ନୂଆପଡ଼ା/ମାଲକାନଗିରି: ନୂଆପଡ଼ା ଓ ମାଲକାନଗିରି ଜିଲ୍ଲାରେ ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁଇ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବାର ଖବର ମିଳିଛି। ନୂଆପଡ଼ା ଜିଲ୍ଲା ତରବୋଡ ଫନଡେଲ ନାଳା ନିକଟରେ କାର ଧକ୍କାରେ ଜଣେ ପୋଲିଂ କର୍ମଚାରୀଙ୍କ ପ୍ରାଣହାନି ଘଟିଛି। ସେ ରାନିମୁଣ୍ଡାରେ ପ୍ରିଜାଇଡିଂ ଅଫିସର ଭାବରେ ନିଯୁକ୍ତ ଥିଲେ। ମତଦାନ ପରେ ରାତିରେ ଇଭିଏମ୍ ଦାଖଲ କରି ସକାଳେ ସେ ନିଜ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ତାଙ୍କ ନାଁ ପ୍ରସନ୍ନ କୁମାର ନାୟକ ବୋଲି ଜଣାପଡ଼ିଛି।

ମାଲକାନଗିରି ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ନିର୍ବାଚନ କାର୍ଯ୍ୟ ସାରି ଘରକୁ ଫେରିବା ବେଳେ ବସ ଧକ୍କାରେ ଜଣେ ପ୍ରିଜାଇଡିଂ ଅଫିସରଙ୍କ ଜୀବନ ଚାଲିଗଲା। ମୃତ ପ୍ରିଜାଇଡିଂ ଅଫିସର ହେଲେ ଶିକ୍ଷକ ଇନ୍ଦ୍ରଜିତ କିର୍ସାନୀ। ଘର ଖଇରପୁଟ ବ୍ଲକର କଦମଗୁଡା ପଂଚାୟତର ଖୁରିଗୁଡା ଗ୍ରାମରେ। ନିର୍ବାଚନ କାମ ସାରି ନିଜ ମଟର ସାଇକେଲରେ ଘରକୁ ଫେରୁଥିବା ବେଳେ କୋତାମେଟା ବଜାରର ତମଗୁଡା ଛକ ନିକଟରେ ଇନ୍ଦ୍ରଜୀତଙ୍କ ବାଇକକୁ ଧକ୍କା ଦେଲା ଏକ ଘରୋଇ ବସ।ବସ ଧକ୍କାରେ ମଟର ସାଇକେଲ ସହ ଇନ୍ଦ୍ରଜିତ ଛିଟିକି ପଡିଥିଲେ। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଓ ସାଥୀ ଶିକ୍ଷକମାନେ ଇନ୍ଦ୍ରଜୀତଙ୍କୁ ଉଦ୍ଧାର କରି ଆମ୍ବୁଲାନସ ଯୋଗେ ମାଥିଲି ଉପଖଣ୍ଡ ଚିକିତ୍ସାଳୟକୁ ଆଣିବା ପରେ ମାଥିଲି ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ମୃତ୍ୟୁ ଖବର ପାଇବା ପରେ ଖଇରପୁଟ ବ୍ଲକର ସମସ୍ତ ଶିକ୍ଷକ ଓ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପାର୍ଥୀ ଡମ୍ବରୁ ଶିଶା ଓ ଖଇରପୁଟ ବ୍ଲକ ଅଧ୍ୟକ୍ଷ ବିଘ୍ନ କିର୍ଶନୀ ମାଥିଲି ମେଡ଼ିକାଲରେ ପହଞ୍ଚି ପରିବାର ଲୋକଙ୍କୁ ସାନ୍ତ୍ବନା ଦେଇଥିଲେ।ପ୍ରକାଶ ଥାଉକି ଇନ୍ଦ୍ରଜିତ ମାଲକାନଗିରି ନିର୍ବାଚନ ମଣ୍ଡଳୀ ୧୨୨ ନମ୍ବର ବୁଥରେ ପ୍ରିଜାଇଡିଂ ଅଫିର ଭାବେ ନିୟୋଜିତ ରହି ଗତକାଲି ମତଦାନ କାର୍ଯ୍ୟ ଶେଷ କରି ବିଳମ୍ବିତ ରାତ୍ରି ହେବାରୁ ଆଜି ସକାଳୁ ନିଜ ଘର ଖଇରପୁଟ ବ୍ଲକ କଦମଗୁଡ଼ା ପଞ୍ଚାୟତର ଖୁରିଗୁଡା ଗ୍ରାମକୁ ଫେରୁଥିବା ସମୟରେ ଦୁର୍ଘଟଣା ଘଟିଥିଲା।ଦୁର୍ଘଟଣା ଘଟାଇ ଥିବା ଘରୋଇ ବସ ପବନ କୁମାରକୁ ମାଲକାନଗିରି ପୁଲିସ ଅଟକ ରଖିବା ସହ ଡ୍ରାଇଭର ବିଜ୍ଞାନ ସ୍ବାଇଁଙ୍କୁ ପଚରାଉଚରା କରୁଥିବା ଜଣାପଡିଛି।ଇନ୍ଦ୍ରଜିତ ଘରର ଜଣେ ମାତ୍ର ରୋଜଗାରିଆ ହୋଇଥିବାରୁ ନିର୍ବାଚନ ସମୟରେ ତାଂକର ମୃତ୍ୟୁ ହୋଇଥିବାରୁ ସରକାରଙ୍କ ତରଫରୁ ତାଂକ ପରିବାରକୁ କ୍ଷତିପୂରଣ ଦିଆଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର