ବରଗଡ଼: ଭାରତୀୟ ରେଳ ବିଭାଗ (ଆଇଆର୍ସିଟିସି) ପକ୍ଷରୁ ତୀର୍ଥଯାତ୍ରୀଙ୍କ ପାଇଁ ୨ଟି ନୂଆ ପ୍ୟାକେଜ୍ ଘୋଷଣା କରାଯାଇଛି। ପ୍ରଥମ ପ୍ୟାକେଜ୍ ‘ଭାଇବ୍ରାଣ୍ଟ୍ ଗୁଜରାଟ’ ଜରିଆରେ ଯାତ୍ରୀମାନେ ୧୦ ରାତି ଓ ୧୧ ଦିନରେ ସୋମନାଥ, ଦ୍ବାରିକା, ନାଗେଶ୍ବର, ଅହମ୍ମଦାବାଦ ଓ ଷ୍ଟେଚ୍ୟୁ ଅଫ୍ ୟୁନିଟ୍ ପରିଦର୍ଶନ କରିପାରିବେ।
ଏହି ଟ୍ରେନ୍ଟି ଓଡ଼ିଶାର ବ୍ରହ୍ମପୁର, ଖୋର୍ଦ୍ଧା, ଭୁବନେଶ୍ବର, କଟକ, ତାଳଚେର, ଅନୁଗୁଳ, ସମ୍ବଲପୁର ଓ ଝାରସୁଗୁଡ଼ାରେ ରହଣି କରି ଯାତ୍ରୀଙ୍କୁ ପରିଭ୍ରମଣରେ ନେବ। ଏଥିସକାଶେ ଯାତ୍ରୀ ପିଛା ମାତ୍ର ୧୦,୪୦୦ ଟଙ୍କା ଓ ସ୍ବତନ୍ତ୍ର ସୁବିଧା ପାଇଁ ୧୭,୩୦୦ ଟଙ୍କା ଦେବାକୁ ପଡ଼ିବ। ସେହିପରି ଦ୍ବିତୀୟ ପ୍ୟାକେଜ୍ ‘ଭାରତ ଦର୍ଶନ’ରେ ଯାତ୍ରୀମାନେ ପଟାରା, ଆଗ୍ରା, ମଥୁରା, ଅମୃତସର ଏବଂ ହରିଦ୍ବାରକୁ ୮ ରାତି ଏବଂ ୯ ଦିନରେ ପରିଭ୍ରମଣ କରିବେ।
ଉକ୍ତ ସ୍ବତନ୍ତ୍ର ଟ୍ରେନ୍ଟି ବ୍ରହ୍ମପୁର, ଖୋର୍ଦ୍ଧା, ଭୁବନେଶ୍ବର, କଟକ, ଯାଜପୁର, କେନ୍ଦୁଝର, ଭଦ୍ରକ, ବାଲେଶ୍ବର ଷ୍ଟେସନରେ ରହଣି କରି ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳକୁ ନେବ। ଏଥିପାଇଁ ଯାତ୍ରୀ ପିଛା ୮୫୧୦ ଟଙ୍କା ଏବଂ ସ୍ବତନ୍ତ୍ର ସୁବିଧାଯୁକ୍ତ ଯାତ୍ରା ପାଇଁ ଜଣପିଛା ୧୦,୪୦୦ ଟଙ୍କା ଦେବାକୁ ପଡ଼ିବ। ଉଭୟ ପ୍ୟାକେଜ୍ରେ ଯାତ୍ରୀଙ୍କ ସମସ୍ତ ଖାଇବା ଏବଂ ହୋଟେଲରେ ରହଣି ଖର୍ଚ୍ଚ ଉପଲବ୍ଧ ରହିଛି ବୋଲି ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ରେଳବାଇର ଆଂଚଳିକ ପ୍ରବନ୍ଧକ ଡ. କ୍ରାନ୍ତି ପି. ସରକାର ଓ ସଂଘମିତ୍ରା ରାଉତ ସୂଚନା ଦେଇଛନ୍ତି।