ବେଆଇନ ଧାନ ଚାଲାଣ ହେଉଥିଲା, ୨ ଟ୍ରକ୍‌ ଜବତ

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପୁଲିସ୍ ଆନ୍ଧ୍ରପ୍ରଦେଶକୁ ବେଆଇନ ଧାନ ଚାଲାଣ ହେଉଥିବା ସମୟରେ ବୁଧବାର ୨ଟି ଟ୍ରକ୍‌କୁ ଜବତ କରିଛି। ସୂଚନା ଅନୁସାରେ କୋକସରା ବ୍ଲକ ମୋଟେର ଓ ଜୟପାଟଣା ବ୍ଲକ ବାନେର ଅଞ୍ଚଳରୁ ୨ଟି ଟ୍ରକ୍ ଯୋଗେ ଆନ୍ଧ୍ରପ୍ରଦେଶର କାକିନାଡାକୁ ବେଆଇନ ଧାନ ଚାଲାଣ ହେଉଥିଲା।

କୌଣସି ସୂତ୍ରରୁ ଖବରପାଇ ଆମପାଣି ପୁଲିସ୍ ପହଞ୍ଚି ଟ୍ରକ୍‌କୁ ଅଟକ ରଖି ଯୋଗାଣ ବିଭାଗକୁ ଜଣାଇଥିଲେ। ପରେ କୋକସରା ବ୍ଲକ ଯୋଗାଣ ନିରୀକ୍ଷକ ଜଗାରାମ ମୁର୍ମୁ ଓ ଧର୍ମଗଡ଼ ଉପଖଣ୍ଡ ଯୋଗଣା ଅଧିକାରୀ ଖଗେଶ୍ୱର ପଣ୍ଡା ଘଟଣାସ୍ଥଳରେ ପହଞ୍ଚି କାଗଜାତ ଯାଞ୍ଚ କରି ଗାଡ଼ି ଦ୍ବୟକୁ ଜବତ କରିଥିଲେ। ୨ଟି ଟ୍ରକ୍ (ଏପି ୩୧-ଟିଟି ୧୭୨୮) ଓ (ଓଡି ୧୦ଆର୍ ୮୭୩୨)ରେ ୧୧ ଶହ ବ୍ୟାଗରେ ୩୫୯.୮୦ କ୍ୱିଣ୍ଟାଲ ଧାନ ଥିବା ଜଣାପଡ଼ିଛି। ଜବତ ଧାନକୁ ବୋବରିଆସ୍ଥିତ ଜେକେ ଫୁଡ୍‌ ରାଇସମିଲରେ ଜିମାଦେଇ ଟ୍ରକ ଦ୍ବୟକୁ ଆମପାଣି ଥାନାରେ ଅଟକ ରଖାଯାଇଥିବା ଧର୍ମଗଡ଼ ଏସିଏସ୍‌ଓ ଖଗେଶ୍ୱର୍ ପଣ୍ଡା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର