ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା ଆଜିଠୁ

ପରୀକ୍ଷା ଦେବେ ୨ ଲକ୍ଷ ୬୯ ହଜାର ଛାତ୍ରଛାତ୍ରୀ

ଅଧିକ ପରୀକ୍ଷାର୍ଥୀ ଥିଲେ ଦୁଇଟି ସିଟିଂରେ ପରୀକ୍ଷା

ଭୁବନେଶ୍ୱର : ଜାନୁଆରି ୨୯(ଆଜି)ଠାରୁ ଆରମ୍ଭ ହେବ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା। ଫେବ୍ରୁଆରି ୮ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା ଲାଗି କେନ୍ଦ୍ରଗୁଡ଼ିକୁ ପ୍ରଶ୍ନପତ୍ର ଓ ଉତ୍ତର ଖାତା ପଠାସରିଛି।

ପରୀକ୍ଷାର ସୁପରିଚାଳନା ଲାଗି ପ୍ରତି ଜୋନ୍‌ସ୍ତରରେ ସ୍କ୍ଵାଡ୍‌ ହୋଇଛି। ପରିଷଦର ଉପ ପରୀକ୍ଷା ନିୟନ୍ତ୍ରକଙ୍କ ନେତୃତ୍ୱରେ ସ୍କ୍ଵାଡ୍‌ କେନ୍ଦ୍ରଗୁଡ଼ିକୁ ଗସ୍ତ କରି ଯାଞ୍ଚ କରିବେ। ଯେଉଁଠି ଅଧିକ ପରୀକ୍ଷାର୍ଥୀ ରହିଛନ୍ତି ସେଠାରେ ଦୁଇଟି ସିଟିଂରେ ପରୀକ୍ଷା କରିବାକୁ କୁହାଯାଇଛି। ଅପରାହ୍ଣ ୧୦ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ ଓ ଅପରାହ୍ଣ ୨ଟାରୁ ୫ଟା ଯାଏ ଦ୍ୱିତୀୟ ସିଟିଂ ପରୀକ୍ଷା କରାଯିବ। ୩୨ ଜଣ ପରୀକ୍ଷାର୍ଥୀଙ୍କୁ ନେଇ ଗୋଟିଏ ଲେଖାଏ ଗ୍ରୁପ୍‌ ହେବ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମରେ ପ୍ରାକ୍ଟିକାଲ ରହିଥିବାରୁ ସେଥିପ୍ରତି ଦୃଷ୍ଟି ଦେବାକୁ କେନ୍ଦ୍ରର ସୁପରିଟେଣ୍ଡେଣ୍ଟମାନଙ୍କୁ କୁହାଯାଇଛି।

ଚଳିତବର୍ଷ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ୨ ଲକ୍ଷ ୬୯ ହଜାର ଛାତ୍ରଛାତ୍ରୀ ପ୍ରାକ୍ଟିକାଲ ପରୀକ୍ଷା ଦେବେ। କଳା ବିଭାଗରେ ସର୍ବାଧିକ ଏକ ଲକ୍ଷ ୪୬ ହଜାର ୭୨୭ ପରୀକ୍ଷାର୍ଥୀ ରହିଛନ୍ତି। ବିଜ୍ଞାନରେ ୯୬ ହଜାର ୪୭ ଜଣ ଓ ବାଣିଜ୍ୟରେ ପ୍ରାୟ ୨୬ ହଜାର ଛାତ୍ରଛାତ୍ରୀ ପ୍ରାକ୍ଟିକାଲ ପରୀକ୍ଷା ଦେବେ। ଚଳିତବର୍ଷ ମୋଟ ୩ ଲକ୍ଷ ୬୫ ହଜାର ଛାତ୍ରଛାତ୍ରୀ ଯୁକ୍ତ୨ ପରୀକ୍ଷା ଦେଉଛନ୍ତି। ପ୍ରାକ୍ଟିକାଲ ପରୀକ୍ଷା ସରିବାର ୭ ଦିନ ମଧ୍ୟରେ କଲେଜଗୁଡ଼ିକ ମାର୍କ ଫୁଏଲ୍‌ଗୁଡ଼ିକୁ ପରିଷଦ ନିକଟରେ ଦାଖଲ କରିବେ। ସେଗୁଡ଼ିକୁ ଯାଞ୍ଚ କରିବା ଲାଗି ସ୍ୱତନ୍ତ୍ର ମୂଲ୍ୟାୟନକାରୀ ନିୟୋଜିତ ହେବେ। ମାର୍ଚ୍ଚ ୬ରୁ ଥିଓରି ପରୀକ୍ଷା ଆରମ୍ଭ ହେବାକୁ ଥିବାରୁ ଏହାପୂର୍ବରୁ ପ୍ରାକ୍ଟିକାଲ ପରୀକ୍ଷାର ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ଯୋଜନା ହୋଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପ ନିୟନ୍ତ୍ରକ ପ୍ରବୋଧ ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର