ବ୍ରହ୍ମପୁର : ଏକ ଗଣଦୁଷ୍କର୍ମ ମାମଲାର ଶୁଣାଣି କରି ବ୍ରହ୍ମପୁର ସ୍ବତନ୍ତ୍ର ଫାଷ୍ଟଟ୍ରାକ୍ ପକ୍ସୋ କୋର୍ଟ ଜଜ୍ ଗଣେଶ୍ବର ପତି ଦୁଇଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। କୋର୍ଟ ଉଭୟଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍ଦଣ୍ଡରେ ଦଣ୍ଡିତ କରିଛନ୍ତି। ସେମାନେ ହେଲେ ଗୋଳନ୍ଥରା ଥାନା ରଣ୍ଢା ଗ୍ରାମର ଫକୀର ଦାସ ଓ ନୀଳମଣି ଦାସ। ଏହାସହ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ହୋଇଛି। ଜରିମାନ ଟଙ୍କା ନଦେଲେ ଅଧିକ ୩ମାସ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ରାୟ ଦେଇଛନ୍ତି। ସେହିପରି ପୀଡ଼ିତାଙ୍କୁ ୫ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ କୋର୍ଟ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
୨୦୨୦ ମସିହା ଜୁଲାଇ ୨୭ ତାରିଖ ରାତି ୮ଟାରେ ଗୋଳନ୍ଥରା ଥାନା ଇଲାକାର ଏକ ଗ୍ରାମର ଜଣେ ୧୩ ବର୍ଷର ନାବାଳିକା ଏକୁଟିଆ ତାଙ୍କ ଘର ନିକଟସ୍ଥ ମାଉସୀ ଘରକୁ ଯାଉଥିଲେ। ଏହାର ସୁଯୋଗ ନେଇ ଦୁଇଜଣ ଯୁବକ ତାଙ୍କୁ ଅପହରଣ କରି ଗାଁ ମୁଣ୍ଡରେ ଥିବା ଏକ ପରିତ୍ୟକ୍ତ ଘରେ ଦୁଷ୍କର୍ମ କରିଥିଲେ। ଏହି ଘଟଣାରେ ଗୋଳନ୍ଥରା ଥାନା ପୁଲିସ ଦୁଷ୍କର୍ମ ମାମଲା ରୁଜୁ କରି ଫକୀର ଓ ନୀଳମଣିକୁ ଗିରଫ କରିଥିଲା। ଗୋଳନ୍ଥରା ଥାନାର ତତ୍କାଳୀନ ଏସ୍ଆଇ ତଥା ତଦନ୍ତ ଅଧିକାରୀ ସ୍ମିତା ଜେନା କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲେ। ଏହି ମାମଲାର ବିଚାରଣା ବେଳେ ୧୦ ଜଣ ସାକ୍ଷୀଙ୍କ ବୟାନ୍ ରେକର୍ଡ଼ କରା ଯାଇଥିଲା। ଆବଶ୍ୟକ ସାକ୍ଷ୍ୟ ପ୍ରମାଣକୁ ଆଧାର କରି କୋର୍ଟ ଉଭୟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।
ଦୁଷ୍କର୍ମ ମାମଲାରେ ୧୦ ବର୍ଷ ଜେଲ୍
ଛତ୍ରପୁର : ଗଞ୍ଜାମ ଥାନା ଇଲାକାରେ ୨୦୧୮ ମସିହାରେ ଘଟିଥିବା ଏକ ଦୁଷ୍କର୍ମ ମାମଲାର ଆଜି ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ଛତ୍ରପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ମନୋରଞ୍ଜନ ଦାସ ସମସ୍ତ ୧୪ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଅଭିଯୁକ୍ତ ସୁଦର୍ଶନ ମହାପାତ୍ରକୁ ଦୋଷୀ ସାବ୍ୟସ୍ତ କରିବା ସହ ୧୦ ବର୍ଷ ଜେଲ୍, ୫ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ସ୍ଥଳେ ଅଧିକ ୬ ମାସ ଜେଲ୍ଦଣ୍ତ ଭୋଗିବାକୁ କୋର୍ଟ ରାୟ ଦେଇଛନ୍ତି। ଏହି ଘଟଣାରେ ସରକାରଙ୍କ ପକ୍ଷରୁ ଓକିଲ ଡମିନାଥ ସାହୁ ମାମଲା ପରିଚାଳନା କରିଥିଲେ।