ବନ୍ତଳା: ଅନୁଗୁଳ ବ୍ଳକ ବନ୍ତଳା ଅଞ୍ଚଳରେ ପ୍ରତି ମାସରେ ହାତୀ ପାଇଁ ମଣିଷ ଜୀବନ ବଳି ପଡ଼ୁଛି। ଏମିତି ପରିସ୍ଥିତି ହୋଇଛି ଯେ ସକାଳ ବେଳେ ମଧ୍ୟ ବାହାରକୁ କାମରେ ଯିବା ମଧ୍ୟ ମୁସ୍କିଲ ହୋଇପଡ଼ିଛି। ଆଜି ବଡ଼କନ୍ତକୁଳ ଗ୍ରାମର ଦୁଇଜଣ ମହିଳା ଆମ୍ବ ଗୋଟାଇବା ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣରେ ଉଭୟେ ମୃତ୍ୟୁବରଣ କରିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।
ପ୍ରାପ୍ତ ସୂଚନା ଅନୁଯାୟୀ ଅନୁଗୁଳ ବ୍ଳକ ବନ୍ତଳା ବନାଞ୍ଚଳ ବଡ଼କନ୍ତକୁଳ ଗ୍ରାମର ମୁଳି ପ୍ରଧାନ(୫୦) ଓ ଗୌରୀ ରାଉଳ ଆଜି ସକାଳୁ ଆମ୍ବ ଗୋଟାଇବା ପାଇଁ ଗାଁ ନିକଟସ୍ଥ ଆମ୍ବ ବଗିଚାକୁ ଯାଇଥିଲେ। ତେବେ ଆମ୍ବ ଗୋଟାଉଥିବା ବେଳେ ଏକ ଦନ୍ତା ହାତୀ ଆସି ମୁଳି ପ୍ରଧାନଙ୍କୁ ଶୁଣ୍ଢରେ ଆକ୍ରମଣ କରି ଦଳି ଦେଇଥିଲା।ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଗୌରୀ ମଧ୍ୟ ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ।ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତେବେ ଗୁରୁତର ଆହତ ଗୌରୀ ରାଉଳଙ୍କର ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଛି। ଉଲ୍ଲେଖଯୋଗ୍ୟ, ୪ମାସ ମଧ୍ୟରେ ଅନୁଗୁଳ ବ୍ଳକ ଅଞ୍ଚଳରେ ହାତୀ ଆକ୍ରମଣରେ ୧୦ଜଣଙ୍କ ଜୀବନ ଗଲାଣି।
ସୂଚନାଯୋଗ୍ୟ, ଅନୁଗୁଳ ବ୍ଳକ ବନ୍ତଳା ବନାଞ୍ଚଳ ତଳଗଡ଼ ପଞ୍ଚାୟତ କନ୍ତମେଘ ଗ୍ରାମର ରାମ ସାହୁ(୬୫)ଗତ ୧୮ ତାରିଖ ସକାଳ ପ୍ରାୟ ସାଢ଼େ ୫ଟା ବେଳକୁ ଗାଁ ପାଖ ଆମ୍ବ ବଗିଚା ପାଖକୁ ଶୌଚ ହେବାକୁ ଯାଇଥିଲେ। ତେବେ ପୂର୍ବରୁ ସେଠାରେ ଥିବା ଏକ ଦନ୍ତାହାତୀ ତାଙ୍କୁ ଶୁଣ୍ଢରେ କଚାଡ଼ି ଦେଇ ସେଠାରୁ ଚାଲିଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ବୃଦ୍ଧ ଜଣଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।