୨ କାଠ ବୋଝେଇ ପିକ୍‌ଅପ୍‌, କାର୍‌ ଜବତ; ୪ ଗିରଫ

କେନ୍ଦୁଝର : ବନ ବିଭାଗ ଗତକାଲି ରାତିରେ ଚଢ଼ଉ କରି ଚୋରା କାଠ ବୋଝେଇ ୨ଟି ପିକ୍‌ଅପ୍ ଭ୍ୟାନ୍‌‌, ଗୋଟିଏ କାର୍‌ ଜବତ କରିବା ସହ ୪ଜଣ କାଠ ମାଫିଆଙ୍କୁ ଗିରଫ କରିଛି। ପ୍ରାପ୍ତ ସୂଚନା ଅନୁସାରେ, ଗତକାଲି ରାତିରେ ଚଢ଼େଇଭୋଳ ଅଞ୍ଚଳରୁ ଚୋରା କାଠ କେନ୍ଦୁଝର ଆସୁଥିବା ଏସ୍‌ସିଏଫ୍‌ ଅଜୟ କୁମାର ସାହୁ ବିଶେଷ ସୂତ୍ରରୁ ଖବର ପାଇଥିଲେ। କାଠ ଗାଡ଼ିକୁ ଧରିବା ପାଇଁ ବନ ବିଭାଗ ଜାଲ ବିଛାଇଥିଲା। ବନ ବିଭାଗର ଏକ ଟିମ୍‌ ଖିରେଇଟାଙ୍ଗିରିରେ ନିର୍ମାଣାଧୀନ ଟୋଲ୍‌ପ୍ଲାଜା ନିକଟରେ ଏବଂ ଆଉ ଏକ ଟିମ୍‌ ବାଉଁଶୁଳି ନିକଟରେ ଛକି ରହିଥିଲେ।

ରାତି ପ୍ରାୟ ୧୧ଟା ବେଳେ ୩ଟି ପିକ୍‌ଅପ୍‌ରେ ଚୋରା କାଠ ଆସୁଥିଲା। ଖିରେଇଟାଙ୍ଗିରି ଟୋଲ୍‌ପ୍ଲାଜା ନିକଟରେ ଏକ କାଠ ବୋଝେଇ ପିକ୍‌ଅପ୍‌ ଦ୍ରୁତଗତିରେ ଆସି ବନ ବିଭାଗ ଗାଡ଼ିକୁ ଧକ୍କା ଦେଇଥିଲା। ପରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଆଉ ୩ଟି ଟ୍ରକ୍‌କୁ ଧକ୍କା ଦେଇଥିଲା। ଗାଡ଼ିରେ ଥିବା ୩ଜଣ କାଠ ମାଫିଆ ଫେରାର ହୋଇଯାଇଥିବାବେଳେ ବନ କର୍ମଚାରୀ ଗାଡ଼ି ଜବତ କରିଛନ୍ତି। ଦୁର୍ଘଟଣାର ଫାଇଦା ନେଇ ଆଉ ଗୋଟିଏ କାଠ ବୋଝେଇ ପିକ୍‌ଅପ୍‌ କେନ୍ଦୁଝର ଅଭିମୁଖେ ଫେରାର ହେବାରେ ସଫଳ ହୋଇଥିଲା। ସେହିପରି ବାଉଁଶୁଳି ନିକଟରେ ଛକିଥିବା ଅନ୍ୟ ଏକ ଟିମ୍‌ ଗୋଟିଏ କାଠ ବୋଝେଇ ପିକ୍‌ଅପ୍‌ ଓ ତାକୁ ଏସ୍କର୍ଟ କରୁଥିବା କାର୍‌ ଜବତ କରିଥିଲା। ଦୁଇଟି ଗାଡ଼ିରେ ଥିବା ୪ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ ମୟୂରଭଞ୍ଜ ଜିଲ୍ଲା ଦେଓଗାଁର ଗୋଲକ ବିହାରୀ ମହାନ୍ତ (୪୧), ସିପୁନ ମହାନ୍ତ (୧୮), ଏସ୍‌କେ ରମଜାନ (୧୮) ଓ ଚମ୍ପାଝର ଗ୍ରାମର ଲୋକନାଥ ମହାନ୍ତ (୨୬)। ଦୁଇଟି ଗାଡ଼ିରୁ ୭୦ ସିଏଫ୍‌ଟି ଶାଳକାଠ ଜବତ ହୋଇଛି। ଯାହାର ମୂଲ୍ୟ ୭୦ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏହି ଚଢ଼ଉରେ ଘଟଗାଁ ରେଞ୍ଜର ପ୍ରଭାତ କୁମାର କୁଆଁର, ଟାଉନ ଫରେଷ୍ଟର କାଳନ୍ଦୀ ସାମଲ, ଖିରେଇଟାଙ୍ଗିରି ଫରେଷ୍ଟର ଅମୂଲ୍ୟ ସେନାପତି, ବମବାରୀ ଫରେଷ୍ଟର ଜିତେନ୍ଦ୍ର ସାହୁ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର