ଫୋକସରେ ଟମକା: ୨ ପ୍ଲାଟୁନ୍‌ ସଶସ୍ତ୍ର ପୁଲିସ ଫୋର୍ସ ମୁତୟନ

୮ ପଞ୍ଚାୟତରେ ଫ୍ଲାଗ୍ ମାର୍ଚ୍ଚ

କାଳିଆପାଣି: ଚଳିତ ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନର କିଛି କ୍ଷଣ ପୂର୍ବରୁ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଟମକା ଥାନା ୮ ନମ୍ବର ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ଗୋବର୍ଦ୍ଧନପୁର ପଞ୍ଚାୟତରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ସାମାନ୍ୟ ପ୍ରସଙ୍ଗକୁ ନେଇ ଗତକାଲି ସଂଧ୍ୟା ବିଜେଡି ଓ କଂଗ୍ରେସ-ବିଜେପି ସମର୍ଥକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଏଥିରେ ଉଭୟପକ୍ଷର ୬ ଜଣ ଆହତ ହୋଇଥିବା ଅଭିଯୋଗ ହୋଇଛି। ବିଜେଡି ସମର୍ଥକଙ୍କ ସଂଘବଦ୍ଧ ଆକ୍ରମଣରେ କଂଗ୍ରେସ-ବିଜେପି ସମର୍ଥକ କୁହାଯାଉଥିବା ପଡ଼ୋଶୀ ନିର୍ବାଚନ ମଣ୍ଡଳୀ ଘସିପୁରା ରାମଚନ୍ଦ୍ରପୁର ଇଲାକାର ଚିତ୍ତରଞ୍ଜନ ପରିଡ଼ା ଓ ମନମୋହନ ପରିଡ଼ା ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି।

ଉଭୟ ଯୁବକ ଗୋବର୍ଦ୍ଧନପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ସୁକଦେବ ମହାନ୍ତିଙ୍କ ସଂପର୍କୀୟ ବୋଲି ସୂଚନା ମିଳିଛି। ଏହାକୁ ଆଧାରକରି ଶ୍ରୀ ମହାନ୍ତିଙ୍କ ପତ୍ନୀ ସୁଷମା ମହାନ୍ତି ରବିବାର ରାତି ଥାନାରେ ଏତଲା ଦାଏର କରିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ପକ୍ଷରୁ ବିଜେଡି ସମର୍ଥକ କୁହାଯାଉଥିବା ଗୋବର୍ଦ୍ଧନପୁର ଓ ମାନପୁର ଗାଁର ଚିନ୍ତାମଣି ସାହୁ, କୁଳମଣି ଖୁଣ୍ଟିଆ, ଯଦୁନାଥ ଖୁଣ୍ଟିଆ, ପ୍ରମୋଦ ବେହେରା, ସନ୍ତୋଷ ସେଠୀ, ଷେଣ୍ଢ ପାତ୍ରଙ୍କ ସମେତ ୧୯ ଜଣ ବ୍ୟକ୍ତିଙ୍କ ନାଁରେ ନଂ ୨୨/୨୨ରେ ଏକ ମାମଲା ରୁଜୁ ହୋଇଛି। ସେହିପରି ବିବାଦୀୟ ଘଟଣାକ୍ରମକୁ ନେଇ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ପ୍ରଦ୍ୟୁମ୍ନ ବାରିକଙ୍କ ସମର୍ଥକ ସ‌ହଦେବ ପାତ୍ରଙ୍କ ପକ୍ଷରୁ ପ୍ରତିପକ୍ଷର ଜୀବନଜ୍ୟୋତି ଚାନ୍ଦ, ଚଗଲା ଚାନ୍ଦ, ଟୁନା ନାୟକଙ୍କ ସମେତ ୧୦ ଜଣ ବ୍ୟକ୍ତିଙ୍କ ନାଁରେ ପାଲଟା ଅଭିଯୋଗ ହୋଇଛି।

ଶ୍ରୀ ପାତ୍ରଙ୍କ ଏତଲା ଆଧାରରେ ପାଲଟା କେସ୍ ନଂ.୨୩/୨୨ ରୁଜୁ ହୋଇଛି। ୨ ତଦନ୍ତକାରୀ ଅଧିକାରୀ ଡିଏସ୍‌ପି ମମତା ସାହୁ ଓ ଏଏସ୍‌ଆଇ ଚୁନୁରାମ ହାଁସଦା ସଦଳବଳ ଘଟଣାସ୍ଥଳକୁ ଯାଇ ବହୁ ବ୍ୟକ୍ତିଙ୍କ ସାକ୍ଷ୍ୟ ଗ୍ରହଣ କରିଛନ୍ତି। ଅଭିଯୁକ୍ତମାନଙ୍କୁ ଗିରଫ ଯୋଜନାରେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ ମଧ୍ୟ ଅଭିଯୁକ୍ତମାନେ  ଅନ୍ୟତ୍ର ଆତ୍ମଗୋପନ କରିଥିବା ସୂଚନା ମିଳିଛି। ସେହିପରି ଟମକା ଥାନା ଅନ୍ତର୍ଗତ ୮ଟି ଯାକ ପଞ୍ଚାୟତରେ ବିଜେଡି ଓ ବିଜେପି ମଧ୍ୟରେ କାଣ୍ଟେ କି ଟକ୍କର ସ୍ଥିତି ଥିବା ବେଳେ ନିର୍ବାଚନୀ ବାତାବରଣ ଉଷ୍ମ ରହିଛି।

ପରିସ୍ଥିତିର ମୁକାବିଲା ପାଇଁ ପୁଲିସ ସଜାଗ ରହିଛି। ପୁଲିସ ମହାନିର୍ଦ୍ଦେଶକ(ଡିଜିପି), ଆଇଜି ଓ ଏସ୍‌ପିଙ୍କ ଫୋକସରେ ଥିବା ଟମକା ଥାନା ଇଲାକାରେ କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ(ଏଏସ୍‌ପି) ସିଲଭେରିୟସ୍ ‌ଟପ୍ପୋ ଓ ଥାନା ଅଧିକାରୀ ସୁକାନ୍ତ କୁମାର ପାତ୍ରଙ୍କ ନେତୃତ୍ବରେ ୨ ପ୍ଲାଟୁନ ସଶସ୍ତ୍ର ପୁଲିସ ଫୋର୍ସ ବିଭିନ୍ନ ସମ୍ବେଦନଶୀଳ ବୁଥ୍‌ ଓ ସ୍ଥାନରେ ମୁତୟନ ହୋଇଛନ୍ତି। ଆଜି ସଂଧ୍ୟାରେ ଗୋବର୍ଦ୍ଧନପୁର, ମାନପୁର, ବାଙ୍ଗରକୋଟା, ଉଚ୍ଚବାଲି, କୁମ୍ଭନାଗରା, ତୁରା, ତରାଇଲୋ, ନଛିପୁରା, ମାଣତୀରା, ଓସ୍ତପାଳ, ବଗପାଟିଆ, ଟୋଲକାନୀ, ଚିତ୍ରୀ, ଦେଉଳକଣ, ଟମକା ବଜାରରେ ସଶସ୍ତ୍ର ପୁଲିସ ବାହିନୀ ଫ୍ଲାଗ୍ ମାର୍ଚ କରିଛି। ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ଥାନା ଅଧିକାରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର