ସିଦ୍ଧ ମହାବୀର ରେଳ ଫାଟକରେ ଅଭାବନୀୟ ଦୃଶ୍ୟ : ଫାଟକ ନ ପଡ଼ି ମାଡ଼ିଆସିଲା ଟ୍ରେନ୍, ଅଳ୍ପକେ ବର୍ତିଲେ ଶତାଧିକ ଲୋକ

ସମସ୍ତ ରେଳଫାଟକର ଅଡିଟ ପାଇଁ ନିର୍ଦ୍ଦେଶ ଦେଲେ ଜିଏମ୍‌, ରେଳବାଇର ତଦନ୍ତ ନିର୍ଦେଶ, ଗଠନ ହେଲା ୪ ଜଣିଆ କମିଟି, ଲୋ‌କୋ ପାଇଲଟ୍ ଓ ସହକାରୀ ଲୋକୋ ପାଇଲଟ୍ ନିଲମ୍ବିତ

ପୁରୀ :‌ ପୁରୀ ରେଳ ଷ୍ଟେସନଠାରୁ ‌ମାତ୍ର କେଇ ମିଟର ଦୂର ସିଦ୍ଧ ମହାବୀର ରେଳ ଫାଟକରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି। ଆଜି ସକାଳ ୭ଟା ୨୫ରେ ପୁରୀ-କୋଣାର୍କ ରାସ୍ତାର ଏହି ରେଳଫାଟକ ଦେଇ ଲୋକେ ଯାଆସ କରୁଥିଲେ। ଫାଟକର ଦୁଇପାର୍ଶ୍ବ ବି ଖୋଲା ରହିଥିଲା। ଭୁବନେଶ୍ବର ପଟୁ ତପସ୍ବିନୀ ଏକ୍ସପ୍ରେସ୍‌ ହଠାତ୍ ମାଡ଼ିଆସିଥିଲା। କିଛି ବୁଝିବା ଆଗରୁ ଏହା ରେଳଫାଟକକୁ ଅତିକ୍ରମ କରିଥିଲା। ଏହି ସମୟରେ ସ୍ଥାନୀୟ ଅଞ୍ଚଳର ଜଣେ ବୃଦ୍ଧ ରେଳଲାଇନ୍ ଅତିକ୍ରମ କରୁଥିବା ବେଳେ ଟ୍ରେନଟି ମାଡ଼ି ଆସୁଥିବା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ଟାଣି ଆଣିବାରୁ ସେ ଅଳ୍ପକେ ବର୍ତି ଯାଇଥିଲେ। ସୌଭାଗ୍ୟର ବିଷୟ, ସର୍ବଦା ଲୋକାରଣ୍ୟ ଏହି ରାସ୍ତାରେ ସେତେବେଳେ କାଁ ଭାଁ ଲୋ‌େକ ଯାଆସ କରୁଥିଲେ। ଫଳରେ ବଡ଼ ଅଘଟଣ ଟଳିଯାଇଥିଲା। ରେଳ ବିଭାଗର ଏହି ସାଂଘାତିକ ତ୍ରୁଟି ପାଇଁ ବିଭିନ୍ନ ମହଲରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ଏହାକୁ କେନ୍ଦ୍ର କରି ଆଜି ରେଳଫାଟକ ନିକଟରେ ଉତ୍ତେଜନା ପ୍ରକାଶ ପାଇଛି। ତେବେ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଟ୍ରେନ୍‌ର ଲୋକୋ ପାଇଲଟ୍ ଗୋବିନ୍ଦ ସାହୁ ଓ ସହକାରୀ ଲୋ‌କୋ ପାଇଲଟ୍ ଉମେଶ କୁମାରଙ୍କୁ ନିଲମ୍ବନ କରାଯାଇଛି। ଡାଟା ଲଗ୍‌ ଫୁଟେଜ୍ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ରେଳବାଇ କର୍ତୃପକ୍ଷ ସୂଚନା ଦେଇଛନ୍ତି। ସେପଟେ ପୂର୍ବତଟ ରେଳବାଇ ପକ୍ଷରୁ ଖୋର୍ଧା ରୋଡ୍ ଡିଆର୍‌ଏମ ବ୍ରଜମୋହନ ଅଗ୍ରୱାଲଙ୍କ ନେତୃତ୍ତ୍ବରେ ୪ ଜଣିଆ ତଦନ୍ତ କମିଟି ଗଠନ ହୋଇଛି। ତଦନ୍ତ କମିଟି ଆଜି ଅପରାହ୍ଣରେ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆସନ୍ତାକାଲି ସୁଦ୍ଧା ଏହି କମିଟି ଅନୁଧ୍ୟାନ ରିପୋର୍ଟ ଦେବ ଓ ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ରେଳ ବିଭାଗ ସୂଚନା ଦେଇଛି।

ପୂର୍ବତଟ ରେଳପଥ ଆଜିର ଘଟଣାକୁ ଗୁରୁତ୍ବର ସହିତ ନେଇଛନ୍ତି। ପୂର୍ବତନ ରେଳପଥ ଜିଏମ୍‌ ପୂର୍ଣ୍ଣେନ୍ଦୁ ଶେଖର ମିଶ୍ର ଆଜି ରାଜ୍ୟର ସମସ୍ତ ରେଳଫାଟକର ଅଡିଟ୍‌ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୦ ଦିନ ମଧ୍ୟରେ ଏହି କାର୍ଯ୍ୟ ଶେଷ ହେବ। ଏଥିରେ ରେଳଫାଟକର ସ୍ଥିତିଠାରୁ ଆରମ୍ଭ କରି ‌ଜଗୁଆଳିଙ୍କ ଜ୍ଞାନ ଆଦି ସଂପର୍କରେ ଅଧିକାରୀମାନେ ତର୍ଜମା କରିବେ।

ସ୍ଥାନୀୟ ଲୋକଙ୍କ ଅଭିଯୋଗ, ମାଟିଆପଡ଼ାର ଏହି ରେଳଫାଟକ ଦେଇ ଦୈନିକ ହଜାର ହଜାର ଲୋକ ଯାଆସ କରୁଛନ୍ତି। ଟ୍ରେନ୍ ଅତିକ୍ରମ କରିବାର ଆଉ କିଛି ସମୟ ପରେ ସରକାରୀ ଅଧିକାରୀ ନିଜ ନିଜ କାର୍ଯ୍ୟାଳୟକୁ ଗାଡ଼ିମୋଟର ଧରି ଯାଇଥାନ୍ତେ। ଛାତ୍ରଛାତ୍ରୀମାନେ ବିଦ୍ୟାଳୟ, ମହାବିଦ୍ୟାଳୟକୁ ଯାଇଥାନ୍ତେ। କିଏ କାହା ପରିବାର ଲୋକଙ୍କୁ ବି କାର୍ଯ୍ୟାଳୟକୁ ନେଇଥାନ୍ତେ। ଯଦି ସେଇ ସମୟରେ ଏହି ଘଟଣା ଘଟିଥାନ୍ତା, ନିଶ୍ଚିତ ପକ୍ଷେ ବହୁ ଧନଜୀବନ ହାନି ହୋଇଥାନ୍ତା। କିନ୍ତୁ ସୌଭାଗ୍ୟକୁ ଏହା ଘଟିନାହିଁ। ତଥାପି ଯେଉଁମାନେ ଏଭଳି ତ୍ରୁଟିରେ ସଂପୃକ୍ତ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଲୋକେ ଦାବି କରିଛନ୍ତି। ଅନ୍ୟପଟେ ଏଠାରେ ଓଭରବ୍ରିଜ ପାଇଁ ବହୁଦିନରୁ ଦାବି ହୋଇ ଆସୁଥିଲେ ବି ତାହା କାର୍ଯ୍ୟକାରୀ ହୋଇନାହିଁ। ସୂଚନାଯୋଗ୍ୟ, ପୂର୍ବରୁ ବି ରେଳ ବିଭାଗ ଏକ ଗୁରୁତର ତ୍ରୁଟି କରିଥିଲା। ରେଳ ଡ୍ରାଇଭର ବଗି ଛାଡ଼ି ରେଳ ଇଞ୍ଜିନ ନେଇ ପଳାଇଥିଲା। ଯେଉଁଥିପାଇଁ ଲୋକେ ଷ୍ଟେସନରେ ବଗି ଭିତରେ ରହି ଯାଇଥିଲେ। କିଛି କିଲୋମିଟର ରେଳ ଇଞ୍ଜିନ ଯିବା ପରେ ବଗି ଆସିନଥିବା ଜାଣିପାରି ପୁନର୍ବାର ଏହାକୁ ରେଳ ଷ୍ଟେସନକୁ ଫେରାଇ ଅଣାଯାଇଥିଲା। ଏହି ଘଟଣାକୁ ଦୁଇ ମାସ ବିତିଛି କି ନାହିଁ, ଆଜି ପୁନର୍ବାର ଏଭଳି ଗୁରୁତର ତ୍ରୁଟି ସାଧାରଣରେ ଅସନ୍ତୋଷ ଭରି ଦେଇଛି।

ସମ୍ବନ୍ଧିତ ଖବର