ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ। ଏହି ସମୟରେ ବିଧାନସଭା ପ୍ରକୋଷ୍ଠରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିକ୍ରମ ଆରୁଖ୍, ନିରଞ୍ଜନ ପୂଜାରୀ, ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ବିଧାୟକ ଅରୁଣ ସାହୁ, ପ୍ରତାପ ଜେନା, ଉମାକାନ୍ତ ସାମନ୍ତରାୟ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ।

Advertisment

ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଚୟନରେ ପୁଣି ଚକ୍‌ମା ଦେଖାଇଛନ୍ତି ସଭାପତି ନବୀନ ପଟ୍ଟନାୟକ। ସମସ୍ତ ରାଜନୈତିକ ଆକଳନକୁ ଭୁଲ୍ ପ୍ରମାଣିତ କରି ପ୍ରଥମ ପର୍ଯ୍ୟାୟରେ ଦୁଇ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲେ। ସେମାନେ ହେଲେ କଟକର ଦେବାଶିଷ ସାମନ୍ତରାୟ ଓ ପୁରୀର ଶୁଭାଶିଷ (ଲକି) ଖୁଣ୍ଟିଆ। ଆଗାମୀ ସାଧାରଣ ନିର୍ବାଚନ ଏବଂ କଟକ ଓ ପୁରୀ ଜିଲ୍ଲାର ରାଜନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରାର୍ଥୀ ଚୟନ କରାଯାଇଥିବା ସ୍ପଷ୍ଟ ହୋଇଛି। ତେବେ ତୃତୀୟ ପ୍ରାର୍ଥୀଙ୍କ ନାମ ଘୋଷଣା ନକରି ସମସ୍ତଙ୍କୁ ସସ୍‌ପେନ୍ସରେ ରଖିଛନ୍ତି ନବୀନ। ଏହି ତୃତୀୟ ପ୍ରାର୍ଥୀଙ୍କ ଉପରେ ଏବେ ରାଜନୈତିକ ମହଲର ନଜର ରହିଛି। ରାଜ୍ୟସଭା ନିର୍ବାଚନରେ ବିଜେଡିର ତିନି ପ୍ରାର୍ଥୀ ଜିତିବା ଏକ ପ୍ରକାର ସ୍ପଷ୍ଟ ଥିବାରୁ ଦଳର ସଭାପତିଙ୍କ ଘୋଷଣା ଉପରେ ସମସ୍ତଙ୍କ ନଜର ରହିଥିଲା। ବିଭିନ୍ନ ମହଲରେ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନେଇ ଭିନ୍ନ ଭିନ୍ନ ଆକଳନ ଚାଲିଥିଲା। କିନ୍ତୁ ଗତକାଲି ଯେଉଁ ଦୁଇ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଥିଲା, ସେମାନଙ୍କ ନାମ ଗତକାଲି ଯାଏ ଆଦୌ ଚର୍ଚ୍ଚାରେ ନଥିଲା।