ଟଙ୍କା ଅଭାବରୁ ମାଟ୍ରିକ୍‌ରେ ଏ ଗ୍ରେଡ୍‌ ପାଇଥିବା ଦୁଇ ଛାତ୍ରୀ ଉଚ୍ଚ ଶିକ୍ଷାରୁ ବଞ୍ଚିତ, ସାର୍ଟିଫିକେଟ ଦେଉନାହାନ୍ତି ସ୍କୁଲ୍‌ କର୍ତ୍ତୃପକ୍ଷ

ରାଉରକେଲା: ସ୍କୁଲ ଫି ଦେଇ ନପାରିବା କାରଣରୁ ବନ୍ଧା ପଡିଗଲା ସାର୍ଟିଫିକେଟ। ଅଢ଼େଇ ବର୍ଷ ହେଲା ଉଚ୍ଚ ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି ରାଉରକେଲାର ୨ ଛାତ୍ରୀ। ଦଶମ ବୋର୍ଡ ପରୀକ୍ଷାରେ ଏ’ ଗ୍ରେଡ ପାଇଥିଲେ ମଧ୍ୟ ଘରେ ବସି ରହିଛନ୍ତି। ସ୍କୁଲ କର୍ତ୍ତୃପକ୍ଷ କହୁଛନ୍ତି, ଟଙ୍କା ଦିଅ ସାର୍ଟିଫିକେଟ ନେଇଯାଅ।

ରାଉରକେଲାର ଜଗଦାସ୍ଥିତ ସେଣ୍ଟ ମେରି ଇଂରାଜି ମାଧ୍ୟମ ସ୍କୁଲରେ ପାଠ ପଢିଥିବା ଜୟଶ୍ରୀ ଓ ଭାଗ୍ୟଶ୍ରୀଙ୍କ ଆଖିରେ ଲୁହ। କାରଣ ଦଶମ ବୋର୍ଡ ପରୀକ୍ଷାରେ ଏ’ ଗ୍ରେଡ ପାଇ ଉତୀର୍ଣ୍ଣ ହୋଇଥିଲେ ବି ତାଙ୍କୁ ସ୍କୁଲ ସାର୍ଟିଫିକେଟ ଦେଉନାହିଁ। ସ୍କୁଲ ଫି ଦେବାରେ ଅସମର୍ଥ ହୋଇଥିବା କାରଣରୁ ସ୍କୁଲ କର୍ତ୍ତୃପକ୍ଷ ବୋର୍ଡ ସାର୍ଟିଫିକେଟ, ମାର୍କସିଟ ଏବଂ ସ୍କୁଲ ଲିଭିଂ ସାର୍ଟିଫିକେଟ ଦେବାକୁ ରୋକଠୋକ ମନା କରିଦେଇଛନ୍ତି।

କୁଆଁରମୁଣ୍ଡା ବ୍ଲକ ରିଉଁ ଗାଁର ଏହି ପରିବାର ଅତି ଗରିବ ପରିବାର। ମାଗି ଯାଚି କୌଣସି ମତେ ପରୀକ୍ଷା ଦେବା ପର୍ଯ୍ୟନ୍ତ କଥା ଚାଲିଗଲା। ଆଡମିଟ କାର୍ଡ ଦେବାକୁ ବି ମନା କରିଦେଇଥିଲା ସ୍କୁଲ। ତେବେ କାକୁତିମିନତି ହେବା ପରେ ଏବଂ ଏକ ର୍ନିଦ୍ଦିଷ୍ଟ ଅର୍ଥ ଜମା କରିବା ପରେ ଆଡମିଟ କାର୍ଡର ଜେରକ୍ସ କପି ଦିଆଯାଇ ପରୀକ୍ଷା ପାଇଁ ସୁଯୋଗ ଦିଆଗଲା। ୨ ଭଉଣୀ ପରୀକ୍ଷାରେ ଏ ଗ୍ରେଡ ପାଇଲେ ହେଲେ ସ୍କୁଲ ଫି ଦେଇନଥିବାରୁ ୨୦୧୭ ଜୁନ ମାସରୁ ସ୍କୁଲରେ ବନ୍ଧାପଡ଼ିଛି ସାର୍ଟିଫିକେଟ।

ସାର୍ଟିଫିକେଟ ନ ମିଳିବା କାରଣରୁ ଅଢ଼େଇବର୍ଷ ହେଲା ଦୁଇ ଭଉଣୀ କଲେଜ ବାରଣ୍ଡା ମାଡ଼ିପାରିନାହାନ୍ତି। ଅନ୍ୟପକ୍ଷରେ ସ୍କୁଲ କର୍ତ୍ତୃପକ୍ଷ ନିଜ ଜିଦରେ ଅଟଳ। ତାଙ୍କ କହିବା କଥା ହେଲା, ଟଙ୍କା ଦିଅ, ସାର୍ଟିଫିକେଟ ନିଅ। ରାଉରକେଲାର ଜଗଦାସ୍ଥିତ ସେଂଟମେରୀ ସ୍କୁଲର ଏହି ପ୍ରିନସପାଲ ଜାଣିରଖିବା ଉଚିତ ଯେ ଜଣେ ଗରିବ ହେଲେ ବି ତାର ପାଠ ପଢିବାର ଅଧିକାର ଅଛି। ଶିକ୍ଷା ଅଧିକାର ଆଇନ, ଜୟଶ୍ରୀ ଓ ଭାଗ୍ୟଶ୍ରୀଙ୍କୁ ଏହି ଅଧିକାର ଦେଇଛି। ବାପା ମୂଲ ଲାଗୁଛନ୍ତି ବୋଲି ଇଂରାଜୀ ପଢୁଆ ଏହି ପ୍ରିନସିପାଲ ତାଙ୍କୁ କେତେ ଦିନ ନାଲି ଆଖି ଦେଖାଉଛନ୍ତି ତାହା ଦେଖିବା ବାକି ରହିଲା।

ସମ୍ବନ୍ଧିତ ଖବର