+୨ ବିଜ୍ଞାନ ଚାମ୍ପିଅନ୍ସ-୨୦୧୯ : ସଫଳ ‌ହୋଇ ସମାଜ ଓ ‌ଦେଶକୁ ଭୁଲ ନାହିଁ

ଭୁବନେଶ୍ବର : ଚଳିତ +୨ ବିଜ୍ଞାନରେ ଶ୍ରେଷ୍ଠ ୧୦୦ଜଣ କୃତୀ ପରୀକ୍ଷାର୍ଥୀ ଆଜି ‘ସମ୍ବାଦ’ ପକ୍ଷରୁ ସମ୍ବର୍ଧିତ ହୋଇଛନ୍ତି। ଜୟ‌ଦେବ ଭବନରେ ଅନୁଷ୍ଠିତ ଏହି ସମ୍ବର୍ଧନା କାର୍ଯ୍ୟକ୍ରମରେ କ୍ରାଇମ୍‌ ବ୍ରାଞ୍ଚ୍‌ ଏଡିଜି ସନ୍ତୋଷ କୁମାର ଉପାଧ୍ୟାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଧିତ କରିଥିଲେ। ‘ସମ୍ବାଦ’ ଗ୍ରୁପ୍‌ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ ଶ୍ରୀ ଉପାଧ୍ୟାୟ କହିଲେ, ଛାତ୍ର ଅବସ୍ଥାରେ ଶିକ୍ଷକମାନେ ହିଁ ସଂସ୍କାର ଶିଖାଇଥାଆନ୍ତି। ଆଜିର ସମୟରେ ସମସ୍ତେ ଜୀବନରେ ସବୁ କିଛି ପାଇବା ପାଇଁ ଚେଷ୍ଟା କରୁଛନ୍ତି। ତେବେ ଅନ୍ୟକୁ ଦେବାରେ ଯେଉଁ ଖୁସି ଥାଏ, ପାଇବାରେ ସେତିକି ଆନନ୍ଦ ମିଳି ନଥାଏ। ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ଦିଗରେ ‘ସମ୍ବାଦ’ର ଏହି କାର୍ଯ୍ୟକ୍ରମ ପ୍ରଶଂସନୀୟ ବୋଲି ଶ୍ରୀ ଉପାଧ୍ୟାୟ ମତ ରଖିଥିଲେ।

ସମ୍ମାନିତ ଅତିଥି ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ର ସିଇଓ ଆର.ଭିନିଲକ୍ରିଷ୍ଣା କହିଲେ, ସଫଳତାରେ ଆତ୍ମସନ୍ତୋଷ ଲାଭ ନକରି ଜୀବନରେ କିଭଳି ଅଧିକ ସଫଳ ହେବ, ସେପରି ଭୋକ ଜ‌ଣଙ୍କ ଭିତରେ ରହିବା ଦରକାର। ‌ଜଣେ ଆଧ୍ୟାତ୍ମିକ ବ୍ୟକ୍ତି କହିଥିଲେ ‘ଭଲ’ ହେଉଛି ‘ଶ୍ରେଷ୍ଠ’ର ବିରୋଧୀ। ଏହା ଏକ ଜାଲ ଭଳି। ଜଣେ ଥରେ ଭଲ ଛାତ୍ର/ବ୍ୟକ୍ତି ବୋଲି ପରିଗଣିତ ହୋଇଗଲେ ଆଗକୁ ବଢ଼ିବା ଦିଗରେ ଏହା ସମସ୍ୟା ସୃଷ୍ଟି କରିଥାଏ। ଜୀବନରେ ସମସ୍ୟାଠାରୁ ଦୂରେଇ ନ ଯାଇ ଏହାକୁ ସାମ୍ନା କରିବା ଉଚିତ୍। ନିଜ ଜୀବନର ଉଦାହରଣ ଦେଇ ସେ କହିଥିଲେ ଯେ ୮୦ ଓ ୯୦ ଦଶକରେ ହାଇଦ୍ରାବାଦରେ ଅନେକ ଦଙ୍ଗା ହୋଇଥିଲା। ଏହି ସମୟରେ ଛାତ୍ର ଥିବାରୁ ବଡ଼ ହେବା ପରେ ଶାନ୍ତି ପାଇଁ ଭାରତ ଛାଡ଼ି ଆମେରିକା, ଅଷ୍ଟ୍ରେଲିଆ, ୟୁରୋପ ଓ ନ୍ୟୁଜିଲାଣ୍ଡ ପଳାଇବାକୁ ଚିନ୍ତା କରିଥିଲି। ହେଲେ ପରିବାରର ଅନ୍ୟ ସଦସ୍ୟମାନେ ବିଦେଶ ପଳାଇଥିବାରୁ ଘରେ ପିତାମାତାଙ୍କ ସେବା କିଏ କରିବ ଭାବି ବାହାରକୁ ନ ଯିବାକୁ ମନସ୍ଥ କରିଥିଲି। ଏକ ସମ୍ବର୍ଧନା ସଭାରେ ଅତିଥି ଭାବେ ଯୋଗ ଦେଇଥିବା ଜଣେ ଆଇଏଏସ୍‌ ଅଧିକାରୀଙ୍କ ଦ୍ବାରା ପ୍ରେରଣା ପାଇବା ପରେ ଆଇଏଏସ୍‌ ହେବାକୁ ମନସ୍ଥ କରିଥିଲି। ଏବେ ଯେଉଁଠି ଅଛି ତାହାକୁ ନେଇ ଖୁସି ଅଛି। ତେଣୁ ଜୀବନରେ ସମସ୍ୟାରୁ ଦୂରେଇ ନ ଯାଇ ଏହାକୁ ସାମ୍ନା କରିବାକୁ ହେବ। ଗତ କିଛି ଦଶନ୍ଧି ଭିତରେ ଦେଶ ବହୁତ ଆଗେଇଛି। ଏହା ସତ୍ତ୍ବେ ବିଶ୍ବର ପ୍ରମୁଖ ଗରିବ ରାଷ୍ଟ୍ର ଭିତରେ ଭାରତ ରହିଛି। ଜୀବନରେ ସଫଳତା ପାଇବା ପରେ ନିଜ ସମାଜ ଓ ଦେଶକୁ ଭୁଲି ଯିବା ଉଚିତ୍ ନୁହେଁ ବୋଲି ଶ୍ରୀ ଭିନିଲକ୍ରିଷ୍ଣା କହିଥିଲେ।

ନିଜର ସଭାପତିତ୍ବ ଅଭିଭାଷଣରେ ‘ସମ୍ବାଦ’ ସଂପାଦକ ଶ୍ରୀ ପଟ୍ଟନାୟକ କହିଲେ, ଯିଏ ଜୀବନରେ ଯେତେ ସଫଳ ହେଉ ନା କାହିଁକି ନିଜ ମାତୃଭାଷାକୁ ଭୁଲିଯିବା ଉଚିତ୍ ନୁହେଁ। ନିଜ ମା’କୁ ମନେ ରଖିବା ଯେତିକି ଗୁରୁତ୍ବପୂର୍ଣ୍ଣ, ନିଜ ମାତୃଭାଷାକୁ ସମ୍ମାନ ଦେବା ମଧ୍ୟ ସେତିକି ଗୁରୁତ୍ବପୂର୍ଣ୍ଣ। ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସେ କହିଥିଲେ, +୨ର ସଫଳତାକୁ ବଜାୟ ରଖିବାକୁ ହେଲେ ରକ୍ତଦାନର ଅଭ୍ୟାସ କରିବାକୁ ହେବ। ୧୮ବର୍ଷ ପରେ ଜଣେ ରକ୍ତଦାନ କରିବା ପାଇଁ ଯୋଗ୍ୟ ହୋଇଥାଏ। ରକ୍ତଦାନ ହେଉଛି ଈଶ୍ବରଙ୍କ ଆଶୀର୍ବାଦ। ଖୁସି ବାଣ୍ଟିବାର ଏକ ଭଲ ଉପାୟ ହେଉଛି ରକ୍ତଦାନ। ପଳାୟନପନ୍ଥୀ ନ ହୋଇ ସବୁ ସମସ୍ୟାର ମୁକାବିଲା କରିବା ପାଇଁ ଚେଷ୍ଟା କର। ଜଣେ ଜୀବନରେ କେଉଁ ବୃତ୍ତିରେ ରହିବ ତାହା ସହିତ ଡିଗ୍ରିର କୌଣସି ସିଧାସଳଖ ସଂପର୍କ ନାହିଁ। ପିଲା ଯେଉଁ ବୃତ୍ତି ବାଛିବାକୁ ଚାହିଁଛି ତାକୁ ପିତାମାତାମାନେ ବାଧ୍ୟ କରିବା ଉଚିତ୍ ନୁହେଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

‘ସମ୍ବାଦ’ ଗ୍ରୁପ୍‌ର ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକ କହିଲେ, ଛାତ୍ରଛାତ୍ରୀ ଜୀବନରେ ଯାହା କରିବାକୁ ଚାହୁଛନ୍ତି, ସେଥିପ୍ରତି ନିଷ୍ଠା ରଖିବା ଦରକାର। ଏହି ଅବସରରେ ‘ସମ୍ବାଦ’କୁ ରାଜ୍ୟର ୧ନଂ ମିଡିଆ ଅନୁଷ୍ଠାନରେ ପରିଣତ କରିଥିବାରୁ ପାଠକମାନଙ୍କୁ ଶ୍ରୀମତୀ ପଟ୍ଟନାୟକ ଧନ୍ୟବାଦ ଜଣାଇଥିଲେ।

କାର୍ଯ୍ୟକ୍ରମରେ ନିଟ୍‌ ଓଡ଼ିଶା ଟପର୍‌ ଆଶୁତୋଷ ପଣ୍ଡାଙ୍କୁ ସମ୍ବର୍ଧିତ କରାଯାଇଥିଲା। ନିଜ ପ୍ରତିକ୍ରିୟାରେ ଆଶୁତୋଷ କହିଥିଲେ, ଉଚିତ୍ ବୃତ୍ତି ଚୟନ କରିବା ହେଉଛି ଗୁରୁତ୍ବପୂର୍ଣ୍ଣ। ଏହି ସଫଳତା ପାଇଁ ସେ ନିଜର ପିତାମାତା ଓ ଶିକ୍ଷକମାନଙ୍କୁ ଶ୍ରେୟ ଦେଇଥିଲେ। ପରେ ପରେ ଶ୍ରେଷ୍ଠ ୧୦୦ କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମା‌ନେ ସାର୍ଟିଫିକେଟ୍ ଓ ମେଡାଲ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ(ବାର୍ତା) ଅରବିନ୍ଦ ଦାସ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଚିଫ୍ ରିପୋର୍ଟର ଚୌଧୁରୀ ଅମିତାଭ ଦାସ ସଭାମଞ୍ଚ ଆବାହନ, ପୁରସ୍କାର ବିତରଣ କାର୍ଯ୍ୟକ୍ରମ ସଂଚାଳନ କରିବା ସହିତ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର