ବାମରା: ଦୁଇଟି ପୃଥକ ସ୍ଥାନରେ ଚିତି ସାପ କାମୁଡ଼ାରେ ଜଣେ ଶିଶୁ ସହ ୨ ଜଣ ଗୁରୁତର ହୋଇଛନ୍ତି। ବାମରା ବ୍ଲକ୍ ବାଦପଡ଼ାରେ ଚିତି ସାପ କାମୁଡ଼ାରେ ଜଣେ ଶିଶୁ କନ୍ୟା ଓ ଗୋବିନ୍ଦପୁର ପଞ୍ଚାୟତ ମିଟୁପଡ଼ାର ଜଣେ ଯୁବକ ଆହତ ହୋଇଥିବା ଜଣାଯାଇଛି।
ସୂଚନା ଅନୁସାରେ ବୁଧବାର ଭୋର୍ରେ ବାଦପଡ଼ାର ଋଷି ମାଝୀଙ୍କ ୭ ବର୍ଷୀୟା ଝିଅ ନନ୍ଦିନୀ ଘରେ ଶୋଇଥିବା ବେଳେ ଏକ ଚିତି ସାପ କାମୁଡ଼ି ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାକୁ ପ୍ରଥମେ ସୁନ୍ଦରଗଡ଼ ଓ ପରେ ବୁର୍ଲା ଡାକ୍ତରଖାନାକୁ ରେଫର କରାଯାଇଛି। ସେହିପରି ମିଟୁପଡା ଗ୍ରାମର ରାଜେଶ ଗୌଡ଼ ଘରେ ଇଟା ଗୋଟାଉଥିବା ବେଳେ ତାଙ୍କ ହାତ ଆଙ୍ଗୁଳିରେ ଏକ ଚିତି ସାପ କାମୁଡି ଦେଇଥିଲା। ତାଙ୍କୁ ଗୋବିନ୍ଦପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସୁନ୍ଦରଗଡ଼କୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି।