ବାରିପଦା/ଉଦଳା/କୁଆମରା: ମୟୂରଭଞ୍ଜଜିଲ୍ଲା ସାରସକଣା ବିଧାୟକଙ୍କ ଗାଡ଼ି ଧକ୍କାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ରବିବାର ସାରସକଣା ବିଧାୟକ ଭାଦବ ହାଁସଦା ନିଜ ସ୍କର୍ପିଓ (ଓଡି୦୫ଏକେ-୭୪୯୩)ରେ ଉଦଳା-ବାରିପଦା ୧୯ ନମ୍ବର ରାଜ୍ୟ ରାଜପଥରେ ଉଦଳା ଯାଉଥିଲେ। ଅପରାହ୍ଣ ପ୍ରାୟ ୫ଟା ବେଳେ ବିଧାୟକଙ୍କ ଗାଡ଼ି ବାସିପିଠା ନିକଟ ଟାଙ୍ଗଣା ଛକରେ ଲୁନାରେ ଯାଉଥିବା ସନ୍ନ୍ୟାସୀ ସିଂ (୫୫) ଓ ମିଚୁ ସିଂ (୬୦)ଙ୍କୁ ଧକ୍କା ଦେବା ସହ ଏକ ଗଛରେ ପିଟି ହୋଇ ରହିଯାଇଥିଲା। ଦୁର୍ଘଟଣା ପରେ ବିଧାୟକ ଶ୍ରୀ ହାଁସଦା, ତାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (ପିଏସ୍ଓ) ଓ ଡ୍ରାଇଭର୍ ଗାଡ଼ିରୁ ଓହ୍ଲାଇ ସେଠାରୁ ପଳାଇ ଯାଇଥିଲେ।
ସ୍ଥାନୀୟ ଲୋକେ ଉଭୟ ଗୁରୁତରଙ୍କୁ ଉଦ୍ଧାର କରି ବାରିପଦା ଡାକ୍ତରଖାନା ନେଇଥିଲେ। ଅନ୍ୟପଟେ ବିଧାୟକ ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା କଥା ନ ବୁଝି ସେଠାରୁ ପଳାଇଯିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଗ୍ରାମବାସୀ ଉଦଳା-ବାରିପଦା ରାସ୍ତା ଅବରୋଧ କରିଥିଲେ। ଖୁଣ୍ଟା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲା। ବିଧାୟକ ଉଭୟ ଗୁରୁତରଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବା ନେଇ ପ୍ରତିଶ୍ରୁତି ମିଳିବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା। ତେବେ ଏ ସଂପର୍କରେ ବିଧାୟକଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନାହିଁ। ଖୁଣ୍ଟା ଥାନାଧିକାରୀ ପଞ୍ଚାନନ ମହାନ୍ତି କହିଛନ୍ତି, ଦୁର୍ଘଟଣା ଘଟାଇଥିବା ବିଧାୟକଙ୍କ ଗାଡ଼ିକୁ ଆମେ ଜବତ କରି ଥାନାକୁ ଆଣିଛୁ। ଅଭିଯୋଗ ହେଲେ ମାମଲା ରୁଜୁ କରାଯିବ। ଗୁରୁତର ଆହତଦ୍ବୟ ଟାଙ୍ଗଣା ଗ୍ରାମର ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/24/fhfsfhxvb-2025-11-24-02-16-46.jpg)