ଭୁବନେଶ୍ବର: ପରେଡ୍‌ ସ୍ଥଳରେ ପ୍ରତିବାଦ କରି ଦଫା ୩୦୭ରେ ଗିରଫ ହୋଇଥିବା ଦୁଇ ଭଉଣୀଙ୍କ ପାଇଁ କୋହଳ ମନୋଭାବ ଗ୍ରହଣ କରିଛି କମିସନରେଟ ପୁଲିସ। ନିୟମ ମୁତାବକ ଆଜି ବରିଷ୍ଠ ପୁଲିସ ଅଧିକାରୀ ତଥା ଜୋନ- ୧ ଏସିପି ମାନସ ରଞ୍ଜନ ଗଡନାୟକ ମାମଲାର ତଦନ୍ତ କରିବା ପରେ ଦଫା ୩୦୭ ପ୍ରଯୁଜ୍ୟ ନୁହେଁ ବୋଲି ଅନୁଭବ କରିଛନ୍ତି। ଏଣୁ ଏହି ଦଫା କୋହଳ କରାଯାଇ ପାରେ ବୋଲି କ୍ୟାପିଟାଲ ଥାନା ଇନିସ୍‌ପେକ୍ଟରଙ୍କୁ କହିଛନ୍ତି। ଉପରିସ୍ଥ ଅଧିକାରୀଙ୍କ ନିର୍ଦେଶ ପାଇବା ପରେ ସମ୍ପୃକ୍ତ ପୁଲିସ ଅଧିକାରୀ ଏହି ସଙ୍ଗୀନ ଦଫା ଉଠାଇବା ପାଇଁ କୋର୍ଟକୁ ଆବେଦନ କରିଛନ୍ତି। ଏ ନେଇ ବରିଷ୍ଠ ଅଧିକାରୀ ଜଣକ କହିଛନ୍ତି ଯେ ଏତଳାକୁ ଆଧାର କରି ମାମଲା ରୁଜୁ ହୋଇଥାଏ। ଅଭିଯୋଗ ଓ ମେଡ଼ିକାଲ ରିପୋର୍ଟକୁ ଆଧାର କରି ଦଫା ଲାଗିଥାଏ। ଚାର୍ଜସିଟ ଦାଖଲ ପୂର୍ବରୁ ତଦନ୍ତ ବେଳେ ଏହି ଘଟଣାରେ ଦଫା ୩୦୭ ଲାଗିବା ଭଳି ହୃଦବୋଧ ହେଲା ନାହିଁ। କିନ୍ତୁ ଅଭିଯୋଗକାରିଣୀ ତଥା ଇନ୍ସପେକ୍ଟର ଶୁଭଶ୍ରୀ ପଣ୍ଡାଙ୍କ ଗୋଡ଼ ହାଡ଼ ଭାଙ୍ଗି ଯାଇଛି। ସ୍ଥିତି ଏଭଳି ଅଛି କି ସେ ପଙ୍ଗୁ ହୋଇଯାଇ ପାରନ୍ତି। ଭବିଷ୍ୟତରେ ଆଉ ସେ ପୁଲିସ ଡ୍ୟୁଟି ନ କରି ପାରିବା ଭଳି ମଧ୍ୟ ସମ୍ଭାବନା ରହିଛି।

Advertisment

ସୂଚନାଯୋଗ୍ୟ, କୋରାପୁଟ୍‌ର ପାର୍ବତୀ ମାଝୀ ଓ ଦମୟନ୍ତୀ ମାଝୀ ଏଠାରେ ଦୀର୍ଘ ଦିନ ଧରି ଧାରଣା ଦେଉଥିଲେ। ଗତ ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ଦୁଃଖ ଜଣାଇବା ପାଇଁ ଉଭୟ ମୁଖ୍ୟମନ୍ତ୍ରୀ ପରେଡ଼କୁ ଆସିବା ପୂର୍ବରୁ ରାସ୍ତା ଉପରେ ଶୋଇ ରହି ପ୍ରତିବାଦ କରୁଥିଲେ। ଏତିକି ବେଳେ ଉଭୟଙ୍କୁ ରାସ୍ତା ଉପରୁ ଉଠାଇବାକୁ ଯାଇ ମହିଳା ଇନ୍ସପେକ୍ଟର ଆହତ ହୋଇଥିଲେ। ଏପରିକି ଦୁଇ ଭଉଣୀ ସେତେବେଳେ ସେହି ମହିଳା ଇନ୍ସପେକ୍ଟରଙ୍କୁ ଆକ୍ରମଣ କରିବାରୁ ସେ ଆହତ ହୋଇଥିଲେ ବୋଲି ଅଭିଯୋଗ କରିଥିଲେ। ଏ ନେଇ ସେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ସେମାନଙ୍କ ବିରୋଧରେ ୩୦୭ ସହ ମୋଟ ୯ଟି ଦଫା ଲଗାଇ କୋର୍ଟ ଚାଲାଣ କରିଥିଲା।କିନ୍ତୁ କିଛି ଦିନ ପୂର୍ବେ ପଞ୍ଜାବୀ ଯୁବକ ପରବିନ୍ଦର ପାଲ୍‌ଙ୍କ ମୁହଁକୁ ଇଟାରେ ଛେଚି ଦିଆଯାଇଥିଲେ ମଧ୍ୟ ଦଫା ୩୦୭ ଲାଗି ନ ଥିଲା। ଯାହାକୁ ନେଇ କମିସନରେଟ୍‌ ପୁଲିସ ସମାଲୋଚନାର ଶରବ୍ୟ ହୋଇଥିଲା। କିନ୍ତୁ ଦୁଃଖ ଜଣାଇବା ପାଇଁ ଦୁଇ ଭଉଣୀ କେବଳ ପ୍ରତିବାଦ କରିବାରୁ ସେମାନଙ୍କ ବିରୋଧରେ ୩୦୭ ଦଫା ଲଗାଇ ଦିଆଗଲା। ଯାହାକି ପୁଲିସର ଭୂମିକାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ପ୍ରତିବାଦ ଜଣାଉଥିବା ଦୁଇ ଭଉଣୀଙ୍କ ବିରୋଧରେ ୩୦୭ ଦଫା ଲାଗିବା ସମ୍ପର୍କରେ ମଂଗଳବାର ‘ସମ୍ବାଦ’ରେ ଖାବର ପ୍ରକାଶ ପାଇବା ପରେ ତନାଘନା ହୋଇଥିଲା। ଆଜି ତଦନ୍ତ ପରେ ପୁଲିସ କୋହଳ ହୋଇଥିଲା।

ପ୍ରକାଶ ଥାଉକି, ୨୦୧୬ ମସିହାରେ ଦୁଇ ଭଉଣୀଙ୍କର ବାପା ବୃନ୍ଦାବନ ମାଝୀଙ୍କର ନିମୋନିଆରେ ମୃତ୍ୟୁ ‌ହୋଇଥିଲା। କିନ୍ତୁ ଦୁଇ ଭଉଣୀ ନିଜ ବାପାଙ୍କୁ ହତ୍ୟା କରିଛନ୍ତି ବୋଲି ଅଭିଯୋଗ କରି ଗ୍ରାମର ୧୦ରୁ ୧୫ ପୁରୁଷ ଓ ମହିଳା ଗାଁ ଦାଣ୍ଡରେ ତଳେ ପକାଇ ମାଡ଼ ମାରିଥିଲେ। ପରେ ତାଙ୍କୁ ତାଙ୍କ ନିଜଘରେ ବି ରହିବାକୁ ଦେଇ ନ ଥିଲେ। ୨୦୧୫ରେ ମା’ ଓ ୨୦୧୬ରେ ବାପାଙ୍କର ମୃତ୍ୟୁ ପରେ ସେମାନେ ବେସାହାରା ହୋଇ ପଡ଼ିଥିଲେ। ଏପରିସ୍ଥିତି ଏଭଳି ଅତ୍ୟାଚାରର ଶିକାର ହୋଇ ନ୍ୟାୟ ପାଇଁ ଲୋୟର ପିଏମ୍‌ଜିରେ ଧାରଣା ଦେଇ ଆସୁଥିଲେ।