ଭୁବନେଶ୍ବର: ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଚେତିଲା କମିସନ‌ରେଟ୍‌ ପୁଲିସ । ପରେଡ୍‌ ସ୍ଥଳରେ ନାୟ ପାଇଁ ପ୍ରତିବାଦ କରୁଥିବା ଦୁଇ ଭଉଣୀଙ୍କୁ ପୁଲିସ ଗିରଫ କରି ୩୦୭ ଦଫା ଲଗାଇଥିଲା । ଏ ନେଇ ଆଜି ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଦୁଇ ଭୁଉଣୀଙ୍କ ଉପରୁ  ୩୦୭ ଦଫା ଉଠାଇ ଦେଇଛି ।

Advertisment

ପରେଡ୍‌ ସ୍ଥଳରେ ପ୍ରତିବାଦ କରିବା ଦୁଇ ଭଉଣୀଙ୍କୁ ମହଙ୍ଗା ପଡ଼ିଛି। ସୁଦୂର କୋରାପୁଟ୍‌ରୁ ଆସି ଦୀର୍ଘ ଦିନ ଧରି ଏଠାରେ ଧାରଣା ଦେଇ ଆସୁଥିବା ଦୁଇ ଭଉଣୀ ସାଧାରଣତନ୍ତ୍ର ଦିବସ ପରେଡ୍‌ ପୂର୍ବରୁ ରାସ୍ତା ଉପରେ ଶୋଇ ରହି ପ୍ରତିବାଦ କରିବାରୁ ସେମାନଙ୍କୁ କ୍ୟାପିଟାଲ ଥାନା ପୁଲିସ ଗିରଫ କରିଛି। ସେମାନଙ୍କ ବିରୋଧରେ ୩୦୭ ସହ ମୋଟ ୯ଟି ଦଫା ଲାଗିଛି। ଏଥିରେ ଓଡ଼ିଶା ସହରାଞ୍ଚଳ ପୁଲିସ ଆଇନର ଦଫା ୯୬ ମଧ୍ୟ ରହିଛି। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜାମିନ୍‌ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ଜେଲ୍‌ ହାଜତ୍‌କୁ ପଠାଇ ଦିଆଯାଇଛି। ପଞ୍ଜାବୀ ଯୁବକ ପରବିନ୍ଦର ପାଲ୍‌ଙ୍କ ମୁହଁକୁ ଇଟାରେ ଛେଚି ଦିଆଯାଇଥିଲେ ମଧ୍ୟ ଦଫା ୩୦୭ ଲାଗି ନ ଥିଲା। ଯାହାକୁ ନେଇ କମିସନରେଟ୍‌ ପୁଲିସ ସମାଲୋଚନାର ଶରବ୍ୟ ହୋଇଥିଲା। ଏ ନେଇ ଅନେକ ବାଦବିବାଦ ଉପୁଜି ଥିଲା। ଏକ ରାଜନୈତିକ ଦଳର ସମର୍ଥକ ହୋଇଥିବାରୁ ପୁଲିସ ଚାପରେ ପଡ଼ି ଅଭିଯୁକ୍ତଙ୍କୁ ଜାଣି ଜାଣି ଏହି ଦଫା ଲଗାଇ ନ ଥିଲା ବୋଲି ଚର୍ଚ୍ଚା ହୋଇଥିଲା। ତେବେ ଆଜି ଦୁଇ ଭଉଣୀ କେବଳ ପ୍ରତିବାଦ ଜଣାଇବାରୁ ସେମାନଙ୍କ ଉପରେ ଏଭଳି ଦଫା ଲଗାଇ ଦିଆଯାଇଛି। ଯାହାକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ପ୍ରତିବାଦ ସମୟରେ ଜଣେ ମହିଳା ଅଧିକାରୀ ରୋକିବାରୁ ଉଭୟ କୁଆଡେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ସେଥିପାଇଁ ଏହି ସବୁ ଦଫାରେ ସେମାନଙ୍କୁ ଗିରଫ କରାଯାଇଥିବା କ୍ୟାପିଟାଲ ଥାନା ପୁଲିସ ସଫେଇ ଦେଇଛି।

ସୂଚନା ମୁତାବକ, ଗିରଫ ଦୁଇ ଭଉଣୀ ହେଉଛନ୍ତି କୋରାପୁଟ୍‌ର ପାର୍ବତୀ ମାଝୀ ଓ ଦମୟନ୍ତୀ ମାଝୀ। ୨୦୧୬ ମସିହାରେ ବାପା ବୃନ୍ଦାବନ ମାଝୀଙ୍କର ନିମୋନିଆରେ ମୃତ୍ୟୁ ‌ହୋଇଥିଲା। କିନ୍ତୁ ଦୁଇ ଭଉଣୀ ନିଜ ବାପାଙ୍କୁ ହତ୍ୟା କରିଛନ୍ତି ବୋଲି ଅଭିଯୋଗ କରି ଗ୍ରାମର ୧୦ରୁ ୧୫ ପୁରୁଷ ମହିଳା ଗାଁ ଦାଣ୍ଡରେ ତଳେ ପକାଇ ମାଡ଼ ମାରିଥିଲେ। ପରେ ତାଙ୍କୁ ତାଙ୍କ ନିଜଘରେ ବି ରହିବାକୁ ଦେଇ ନ ଥିଲେ। ୨୦୧୫ରେ ମା’ ଓ ୨୦୧୬ରେ ବାପାଙ୍କର ମୃତ୍ୟୁ ପରେ ସେମାନେ ଏଭଳି ଅତ୍ୟାଚାରର ଶିକାର ହୋଇ ନ୍ୟାୟ ପାଇଁ ଲୋୟର ପିଏମ୍‌ଜିରେ ଧାରଣା ଦେଇ ଆସୁଥିଲେ।