ସ୍କୁଲ ଫି’ ଦେଲେନି ବୋଲି…ବନ୍ଧାପଡ଼ିଛି ୨ ମେଧାବୀ ଭଉଣୀଙ୍କ ସାର୍ଟିଫିକେଟ୍‌

୯୦ ପ୍ରତିଶତ ରଖି ମାଟ୍ରିକ୍‌ ପାସ୍‌ କରିଥିଲେ, ୪୦ ହଜାର ପାଇଁ ଅନ୍ଧାରରେ ଭବିଷ୍ୟତ

ଅଢ଼େଇ ବର୍ଷ ହେଲା ସାର୍ଟି‌ଫିକେଟ୍ ଦେଉନାହାନ୍ତି ସ୍କୁଲ କର୍ତ୍ତୃପକ୍ଷ
ରାଉରକେଲା: ଆର୍ଥିକ ଅନଟନରେ ଗତି କରୁଥିଲା ପରିବାର। ବାପା ବିଭିନ୍ନ କାମ କରି ୫ ସଦସ୍ୟଙ୍କ ପରିବାର ଭରଣପୋଷଣ କରୁଥିଲେ। ତେବେ ତିନିଟି ଯାକ ପିଲା ଥିଲେ ଭାରି ମେଧାବୀ। ବିଶେଷକରି ଗୋଟିଏ କ୍ଲାସ୍‌ରେ ପଢ଼ୁଥିବା ଦୁଇ ଭଉଣୀ ବେଶ୍‌ ଭଲ ପାଠ ପଢ଼ୁଥିଲେ। ଏକ ସଂସ୍ଥାରେ ଶ୍ରମିକ ସ୍ତରରେ କାମ କରୁଥିବା ବାପାଙ୍କ ପକ୍ଷେ ପରିବାର ଚଲାଇବା କାଠିକର ହେଉଥିଲେ ସୁଦ୍ଧା ସେ ଏକ ଇଂରାଜୀ ମାଧ୍ୟମ ସ୍କୁଲରେ ଦୁଇ ଭଉଣୀଙ୍କ ନାଁ ଲେଖାଇଥିଲେ। ସ୍କୁଲରେ ମଧ୍ୟ ଉଭୟ ନିଜର ମେଧାକୁ ବାରମ୍ବାର ପ୍ରମାଣିତ କରିଥିଲେ। ଅପରପକ୍ଷରେ କଷ୍ଟେମଷ୍ଟେ ପରିବାର ଚଲାଉଥିବା ବାପାଙ୍କ ଆୟର ମାଧ୍ୟମ ହଠାତ୍ ବନ୍ଦ ହୋଇଗଲା। ସେହି ସମୟରେ ସ୍କୁଲ କର୍ତୃପକ୍ଷ ମାଟ୍ରିକ ବୋର୍ଡ ପରୀକ୍ଷା ପାଇଁ ବକେୟା ସ୍କୁଲ ଫି ପ୍ରାୟ ୪୫ ହଜାର ଟଙ୍କା ଦେବାକୁ କହିଲେ। ଧାର କରଜ କରି ବାପା ୫ ହଜାର ଟଙ୍କା ଦେଲା ପରେ ସ୍କୁଲ କର୍ତୃପକ୍ଷ ଦୁଇ ଝିଅଙ୍କୁ ବୋର୍ଡ ପରୀକ୍ଷା ଦେବାକୁ ଅନୁମତି ଦେଲେ। ବୋର୍ଡ ପରୀକ୍ଷାରେ ଦୁଇ ଭଉଣୀ ୯୦ ପ୍ରତିଶତ (ଏ+) ରୁ ଅଧିକ ମାର୍କ ବି ରଖିଲେ। ମାତ୍ର ବକେୟା ୪୦ ହଜାର ଟଙ୍କା ଦେଇନପାରିବାରୁ ସ୍କୁଲ କର୍ତୃପକ୍ଷ ଦୁଇ ଭଉଣୀଙ୍କ ମାଟ୍ରିକ୍‌ ସାର୍ଟିଫିକେଟକୁ ବନ୍ଧକ ରଖିଲେ। ପ୍ରାୟ ଅଢ଼େଇ ବର୍ଷ ହେଲା ସ୍କୁଲ କର୍ତୃପକ୍ଷ ସାର୍ଟିଫିକେଟ ବନ୍ଧକ ରଖିଥିବାରୁ ଦୁଇ ମେଧାବୀ ଭଉଣୀଙ୍କ ଭବିଷ୍ୟତ ଏବେ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି। କଷ୍ଟେମଷ୍ଟେ ଅର୍ଥ ଯୋଗାଡ଼ କରି ସାର୍ଟିଫିକେଟ ମୁକୁଲାଇବାକୁ ପରିବାର ସଦସ୍ୟ ଶତଚେଷ୍ଟା କରିଛନ୍ତି, ମାତ୍ର ସଫଳ ହୋଇ ନାହାନ୍ତି।
ଘଟଣାଟି ଯେମିତି ସମ୍ବେଦନଶୀଳ ସେତିକି ହୃଦୟ ବିଦାରକ।ଏହା କୌଣସି ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର କୌଣସି ଉପାନ୍ତ ଅଞ୍ଚଳର ଘଟଣା ନୁହେଁ; ସ୍ମାର୍ଟସିଟି ରାଉରକେଲାରୁ ମାତ୍ର ୫ କିଲୋମିଟର ଦୂରରେ ଥିବା କୁଆରମୁଣ୍ଡା ବ୍ଲକ ରିଉଁ ଗ୍ରାମର। ଏବେବି ଦୁଇ ଭଉଣୀଙ୍କ ଆଖିରୁ ଲୁହ ବନ୍ଦ ହେଉନି। କୋହଭରା କଣ୍ଠରେ ଦୁହେଁ ଗତ ଅଢ଼େଇ ବର୍ଷର ଯାତନା ବିଷୟରେ ‘ସମ୍ବାଦ’କୁ କହିଛନ୍ତି। ରିଉଁ ଗ୍ରାମର ଧରଣୀଧର ସିଂଙ୍କ ପରିବାର କହିଲେ ପତ୍ନୀ ପ୍ରମିଳା ସିଂ, ଏକମାତ୍ର ପୁଅ ରାହୁଲ ଏବଂ ଦୁଇ ଝିଅ ଜୟଶ୍ରୀ ଓ ଭାଗ୍ୟଶ୍ରୀ। ଧରଣୀଧର ପୂର୍ବରୁ ଏକ ବେସରକାରୀ କମ୍ପାନିରେ ଛୋଟକାଟିଆ କାମ କରି ପରିବାର ପୋଷୁଥିଲେ। ଦୁଇ ଝିଅ ଜୟଶ୍ରୀ ଓ ଭାଗ୍ୟଶ୍ରୀ ପିଲାଟି ବେଳରୁ ବେଶ୍‌ ମେଧାବୀ ଥିବାରୁ ଧରଣୀଧର ନିଜର ସ୍ବଳ୍ପ ଆୟ ଓ ପରିବାର ପୋଷଣର କଷ୍ଟକୁ ବେଖାତିର କରି ଗାଁରୁ ପାଖାପାଖି ୫ କିଲୋମିଟର ଦୂର ଜଗଦା ସ୍ଥିତ ସେଣ୍ଟ୍‌ ମ୍ୟାରୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ସେମାନଙ୍କର ନାମ ଲେଖାଇଥିଲେ। ଏହାପରେ ଦୁଇ ଭଉଣୀ ପ୍ରତିଦିନ ଜୀବନକୁ ବାଜି ଲଗାଇ ଡଙ୍ଗାରେ କୋଏଲ ନଦୀ ପାର ହୋଇ ୫ କିଲୋମିଟର ବାଟ ଚାଲିଚାଲି ସ୍କୁଲକୁ ଯିବାଆସିବା କରୁଥିଲେ।

ଏପଟେ କିନ୍ତୁ ସେମାନଙ୍କ ପାରିବାରିକ ସ୍ଥିତି ଆହୁରି ଦୁର୍ବଳ ହୋଇସାରିଥିଲା। ଏମିତିକି ଗଣ୍ଡେ ଖାଇବାକୁ ପରିବାରର ସବୁ ସଦସ୍ୟଙ୍କୁ ପର ଘରେ କାମ କରିବାକୁ ପଡ଼ୁଥିଲା। ୨୦୧୭ ମସିହାରେ ଦୁଇ ଭଉଣୀ ମାଟ୍ରିକ୍‌ ପରୀକ୍ଷା ଦେଲେ। ଅର୍ଥାଭାବ ଯୋଗୁଁ କିନ୍ତୁ ସ୍କୁଲ ଫି ବାବଦକୁ ପ୍ରାୟ ୪୫ ହଜାର ଟଙ୍କା ସ୍କୁଲରେ ଜମା ଦେଇ ପାରିନଥିଲେ। ସ୍କୁଲ ଫି ଜମା ଦେଇ ନଥିବାରୁ ଆଡ୍‌ମିଟ କାର୍ଡ ଦେବାକୁ ସ୍କୁଲ୍‌ କର୍ତୃପକ୍ଷ ସିଧାସଳଖ ମନା କରିଦେଇଥିଲେ। ଶେଷରେ ଉପାୟ ନପାଇ ଧରଣୀଧର ଜଣେ ପରିଚିତ ଲୋକଙ୍କଠାରୁ ୫ ହଜାର ଟଙ୍କା ଉଧାର ଆଣି ସ୍କୁଲରେ ଜମା କରିଥିଲେ। ଟଙ୍କା ଜମା ହେବାପରେ ସ୍କୁଲ କର୍ତୃପକ୍ଷ ଅରିଜିନାଲ ଆଡମିଟ କାର୍ଡ ନ ଦେଇ କେବଳ ଜେରକ୍ସ କପି ଦେଇଥିଲେ। ସେହି ସ୍ଥିତିରେ ଦୁଇ ଭଉଣୀ ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ ଓ ଉଭୟ ୯୦ ପ୍ରତିଶତରୁ ଅଧିକ ମାର୍କ (ଏ+) ରଖି କୃତକାର୍ଯ୍ୟ ହେଲେ। ଫଳାଫଳ ପ୍ରକାଶିତ ହେବାପରେ ଦୁଇ ଭଉଣୀ ମାର୍କସିଟ୍‌ ଓ ସାର୍ଟିଫିକେଟ ନେବାକୁ ସ୍କୁଲରେ ପହଞ୍ଚିଥିଲେ। କିନ୍ତୁ ବକେୟା ୪୦ ହଜାର ଟଙ୍କା ଦେଇ ନଥିବାରୁ ସେମାନଙ୍କୁ ସାର୍ଟିଫିକେଟ ଦିଆଯାଇନଥିଲା। ଧରଣୀଧର ବହୁ କଷ୍ଟରେ ୨୦ ହଜାର ଟଙ୍କା ଯୋଗାଡ଼ କରି ତାହା ବଦଳରେ ଗୋଟିଏ ଝିଅର ସାର୍ଟିଫିକେଟ ଦେବାକୁ ଅନୁରୋଧ କରିଥିଲେ। ବାକି ଟଙ୍କା ଯୋଗାଡ଼ କଲାପରେ ଅନ୍ୟ ଝିଅର ସାର୍ଟିଫିକେଟ ମୁକୁଳାଇବାକୁ ସେ ଅନୁରୋଧ କରିଥିଲେ ମଧ୍ୟ ସ୍କୁଲ କର୍ତୃପକ୍ଷ କିଛି ଶୁଣିନଥିଲେ। ପୂରା ୪୦ ହଜାର ଟଙ୍କା ପୈଠ ନକଲେ କୌଣସି ପରିସ୍ଥିତିରେ ବି ଗୋଟିଏ ହେଲେ ସାର୍ଟିଫିକେଟ ନ ଦେବା ଜିଦ୍‌ରେ ସ୍କୁଲ କର୍ତୃପକ୍ଷ ଅଟଳ ରହିଲେ। ଫଳରେ ଅଢ଼େଇ ବର୍ଷ ହେଲା ଉଚ୍ଚଶିକ୍ଷାରୁ ବଞ୍ଚିତ ଏହି ଦୁଇ ମେଧାବୀ ଝିଅ ଏବେ ଘରେ ରହିବାକୁ ବାଧ୍ୟ ହୋଇଛନ୍ତି।

ଅନ୍ୟପକ୍ଷରେ ସେଣ୍ଟ୍‌ ମ୍ୟାରୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସ୍କୁଲର ପ୍ରଧାନଶିକ୍ଷକ ବିନୋଦ ଭି. ଡାନିଏଲ କହିଛନ୍ତି, ‘‘ସ୍କୁଲର ନିଜସ୍ବ ଖର୍ଚ୍ଚ ରହିଛି। ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଦରମା ପ୍ରଦାନ ସହ ସ୍କୁଲର ଅନ୍ୟାନ୍ୟ ଦିଗରେ ବ୍ୟୟ କରାଯାଉଛି। ଉଭୟଙ୍କ ସାର୍ଟିଫିକେଟ ଆମ ପାଖରେ ଅଛି। ଯେହେତୁ ସେମାନେ ସଂପୂର୍ଣ୍ଣ ସ୍କୁଲ ଫି ପୈଠ କରିନାହାନ୍ତି, ଏଣୁ ସାର୍ଟିଫିକେଟ ଦିଆଯାଇନାହିଁ। ତେବେ ଅଧ୍ୟକ୍ଷ ଶ୍ରୀ ଡାନିଏଲ ଉଭୟ ଭଉଣୀ ମେଧାବୀ ଛାତ୍ରୀ ବୋଲି ସ୍ବୀକାର ବି କରିଛନ୍ତି। କିନ୍ତୁ ଫି ନଦେଲେ ସାର୍ଟିଫିକେଟ ଦିଆନଯିବାର ନିୟମ ରହିଥିବା ଦର୍ଶାଇଛନ୍ତି। ଏହି ଘଟଣାରେ ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ନ୍ୟାୟ ପ୍ରଦାନ କରିବାକୁ ଦୁଇ ଭଉଣୀ ଜୟଶ୍ରୀ ଓ ଭାଗ୍ୟଶ୍ରୀ ଆକୁଳ ନିବେଦନ କରିଛନ୍ତି।
ଝିଅମାନଙ୍କୁ ପାଠ ପଢ଼ାଇବାଲାଗି କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ପ୍ରଚାର କରୁଛନ୍ତି, ଅନେକ ଯୋଜନା ମଧ୍ୟ ଚାଲିଛି। ସେସବୁ ଏ ଦୁଇ ଝିଅଙ୍କ ପାଖରେ ପହଞ୍ଚି ପାରିଲାନି କେମିତି? ବେସରକାରୀ ସ୍କୁଲଗୁଡ଼ିକର ୨୫ ପ୍ରତିଶତ ସିଟ୍ ମେଧାବୀ ଗରିବଙ୍କୁ ମାଗଣାରେ ଦିଆ ଯିବାର ସରକାରୀ ନୀତି ଏଠାରେ କାହିଁକି ଲାଗୁ ହେଲାନାହିଁ? ଏମିତି ଅନେକ ପ୍ରଶ୍ନର ଉତ୍ତର ଖୋଜିବାର ସମୟ ଆସିଛି।

ସମ୍ବନ୍ଧିତ ଖବର